ଆଇନ ଉଲଘଂନକାରୀ ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରାଯାଉ : ବିଜେପି

ଭୁବନେଶ୍ୱର  : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଅପେକ୍ଷା ତୃତୀୟ ପର୍ଯ୍ୟାୟରେ ବିଜୁ ଜନତା ଦଳର କର୍ମୀମାନଙ୍କ ଗୁଣ୍ଡାଗର୍ଦ୍ଦି ସବୁ ସୀମା ଟପିଛି । ବିଜୁ ଜନତା ଦଳର ମନ୍ତ୍ରୀଠୁ ଆରମ୍ଭ କରି ନେତା, କର୍ମୀମାନେ ଗଣତନ୍ତ୍ର ଉଲଘଂନ କରିବାର ସବୁ ସୀମାକୁ ଟପିଯାଇଛନ୍ତି ଏବଂ ଏଥିରେ ସେମାନଙ୍କୁ ସଂପୂର୍ଣ୍ଣ ସହାୟତା କରୁଛି ପୋଲିସ ଓ ପ୍ରଶାସନ । ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଏବଂ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବା ସରକାରୀ କର୍ମଚାରୀଙ୍କ ପ୍ରତି ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟ ନିର୍ବାଚନ କମିଶନ । ପୁଲିସ ଉପସ୍ଥିତିରେ ବୁଥ୍ ରିଗିଂ କରିବାଠୁ ଆରମ୍ଭ କରି ବୁଥ୍‌ରେ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ମାରି କଣ୍ଠରୋଧ କରିବା ଶାସକ ବିଜେଡିର ହୀନ ମାନସିକତାକୁ ପଦାରେ ପକାଇଛି । ଶାସକ ବିଜେଡିର ସମସ୍ତ ଅଗଣତାନ୍ତ୍ରୀକ ଓ ହିଂସା କାର୍ଯ୍ୟକଳାପ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ୱେ କୈାଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା କାରଣରୁ ରାଜ୍ୟରେ ନିର୍ବାଚନୀ ହିଂସାକାଣ୍ଡ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି, ଯାହାକି ଅତ୍ୟନ୍ତ ଚିନ୍ତାର କାରଣ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।
ନୟାଗଡ଼ ଜିଲ୍ଲା ଇଟାମାଟିରେ ଭୋଟଗ୍ରହଣ ସରିବା ପରେ ପ୍ରିଜାଇଡିଂ ଅଫିସର ଜଣକ ନିଜ ବ୍ୟକ୍ତିଗତ ଗାଡିରେ ଭୋଟ ବାକ୍ସ ନେଇ ଯାଉଥିଲେ । ଯାହାକି ଖୋଲାଖୋଲି ଆଚରଣ ବିଧିର ଉଲ୍ଲଂଘନ । ସେହିପରି ନୟାଗଡ଼ ଜିଲ୍ଲାର ହରିପୁରଠାରେ ଗୋବିନ୍ଦ ପତି ନାମକ ଜଣେ ସେନାଧିକାରୀଙ୍କ ନାଁରେ ବିଜେଡି କର୍ମୀ ମିଛ ଭୋଟ ଦେଉଥିବାବେଳେ ପ୍ରିଜାଇଡିଂ ଅଫିସର ନୀରବଦ୍ରଷ୍ଟା ସାଜି ପ୍ରୋତ୍ସାହିତ କରୁଥିଲେ । ଭଦ୍ରକ ଜିଲ୍ଲା ଫତେପୁରରେ ବିଜେଡି ନେତ୍ରୀ ଜୋରଜବରଦସ୍ତ ବୁଥ ରିଗିଂ କରୁଥିବାବେଳେ ପୋଲିସ ପ୍ରଶାସନ ଉପସ୍ଥିତ ରହି ତାଙ୍କୁ ସମର୍ଥନ କରୁଥିଲେ । କଳାହାଣ୍ଡି ଜିଲ୍ଲାର କୋକସରା-ଜୟପାଟଣା ବ୍ଲକରେ ବିଜେଡି ତରଫରୁ ବ୍ୟାପକ ମାତ୍ରାରେ ବୁଥ୍ ରିଗିଂର ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରିଛି । ଆଇନ ଉଲଘଂନକାରୀ ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରିବା ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ପୁନଃ ଦାବୀ କରାଯାଇଛି । ବିହୀତ କାର୍ଯ୍ୟାନୁଷ୍ଠାନ ନହେଲେ ବିଜେପି ଧାରଣା ଦେବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ସେହିପରି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ମାଖନପୁର, କୁରୁନ୍ତା ଓ କୁପାରୀ ପଂଚାୟତରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ଶାସକ ବିଜେଡି କର୍ମୀମାନେ ବ୍ୟାପକ ଭାବେ ବୁଥ୍ ରିଗିଂ କରୁଥିବାବେଳେ ପୋଲିସ ଓ ପ୍ରଶାସନ ନୀରବଦ୍ରଷ୍ଟା ସାଜି ସହାୟତା କରିବା ଗଣତନ୍ତ୍ରକୁ ହତ୍ୟା କରିବା ସଦୃଶ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରନଜିତ୍ ଦାସ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାଲ ସେଲର ଜୟନ୍ତ ଜେନା, ଗଣମାଧ୍ୟମ ସହମୁଖ୍ୟ ସୁଜିତ ଦାସ୍ ଏବଂ ସାମାଜିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ରଶ୍ମୀରଂଜନ କାନୁନଗୋ ପ୍ରମୁଖ ସାମିଲ ଥିଲେ ।

Spread the love