ରୁଷିଆ-ୟୁକ୍ରେନ୍ ଯୁଦ୍ଧ ସଙ୍କଟ : ଭାରତ ପାଇଁ ଏଣୁ ମାରିଲେ ଗୋ ହତ୍ୟା, ତେଣୁ ମାରିଲେ ବ୍ରହ୍ମ ହତ୍ୟା

ଅଶାନ୍ତ ହୋଇଛି ପୃଥିବୀ। କରୋନାର ପ୍ରକୋପ କମିନଥିବା ବେଳେ ଏବେ ଯୁଦ୍ଧର ବିପଦ ମୁଣ୍ଡ ଉପରେ ଖଣ୍ଡା ଭଳି ଝୁଲିଛି। ୟୁରୋପୀୟ ଦେଶ ମଧ୍ୟରେ ଶାନ୍ତି ଭଙ୍ଗ ହୋଇଛି। ତା ସହିତ ପ୍ରଭାବ ପଡ଼ିଛି ସାରା ବିଶ୍ୱ ଉପରେ। ମୁହାଁ ମୁହିଁ ହୋଇଛନ୍ତି ଦୁଇ ପଡ଼ୋଶୀ ରାଷ୍ଟ୍ର ରୁଷିଆ ଓ ୟୁକ୍ରେନ୍। ଉଭୟ ଦେଶ ପରସ୍ପର ସହ ଲଢ଼ିବା ଆରମ୍ଭ କରି ଦେଲେଣି । ବିଶ୍ୱର ଅନ୍ୟତମ ବୃହତ୍ ରାଷ୍ଟ୍ର ରୁଷିଆ ସହ ୟୁକ୍ରେନ୍ ଯୁଦ୍ଧ କରିବାକୁ ତ ଆଗେଇ ଆସିଛି, କିନ୍ତୁ ଏହାର ପରିଣାମ ଯେ କେତେ ଭୟଙ୍କର ହେବ ସେ ନେଇ ବୋଧେ ଆକଳନ କରି ପାରିନାହିଁ। ଏଭଳି ଯୁଦ୍ଧ ସ୍ଥିତିରେ ମିତ୍ର ରାଷ୍ଟ୍ର ମଧ୍ୟ ସହଯୋଗର ହାତ ବଢ଼ାଉଛନ୍ତି।

ଏଭଳି ଏକ ଅନ୍ତର୍ଜାତୀୟ ସମସ୍ୟା ବେଳେ ଆମେରିକା ୟୁକ୍ରେନ୍ ସହ ଠିଆ ହୋଇ ରୁଷିଆ ଆଗରେ ନିଜ ବଳ ପ୍ରଦର୍ଶିତ କରିଛି। ଏଥିସହ ଅନ୍ୟ ଶତ୍ରୁ ରାଷ୍ଟ୍ରକୁ ବି ନିଜ ପରାକାଷ୍ଠା ଦେଖାଉଛି। କିନ୍ତୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ କୌଣସି ରାଷ୍ଟ୍ରକୁ ସିଧାସଳଖ ସମର୍ଥନ କରୁ ନାହିଁ। କାରଣ ଉଭୟ ରୁଷିଆ ଓ ୟୁକ୍ରେନ୍ ଭାରତର ବନ୍ଧୁ ରାଷ୍ଟ୍ର। ଦୁଇ ଦେଶ ସହ ଭାରତର ଭଲ ସମ୍ପର୍କ ରହିଛି। ସେମାନଙ୍କ ସହ ଭାରତ ବିଭିନ୍ନ କ୍ଷେତ୍ରରେ ଚୁକ୍ତି ବି ସ୍ୱାକ୍ଷରିତ କରିଛି। ଏଣୁ ଯୁଦ୍ଧ ସ୍ଥିତିରେ କୌଣସି ଗୋଟିଏ ଦେଶକୁ ସମର୍ଥନ କରି ଅନ୍ୟ ଦେଶର ଶତ୍ରୁ ହେବାକୁ ଚାହୁଁ ନାହିଁ ଭାରତ। ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଛି। ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରି ଯୁଦ୍ଧକୁ ଏଡ଼ାଇବା ପାଇଁ ଭାରତ କହିଛି ।

ଅନ୍ୟପଟେ ଭାରତର ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ କିନ୍ତୁ ରୁଷିଆକୁ ଖୋଲାଖୋଲି ସମର୍ଥନ କରୁଛି। ୟୁକ୍ରେନ୍କୁ ବିରୋଧ କରିବା ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ରୁଷିଆ ଗସ୍ତ କରିଛନ୍ତି, ଯାହା ପ୍ରମାଣିତ କରିଛି ଯେ ପାକିସ୍ତାନ ଏବେ ରୁଷିଆକୁ ସମର୍ଥନ କରି ପ୍ରତ୍ୟକ୍ଷ ଭାବେ ୟୁକ୍ରେନ୍‌ର ଓ ପରୋକ୍ଷ ଭାବେ ଆମେରିକାର ଶତ୍ରୁ ହୋଇଛି।

କିନ୍ତୁ ଭାରତ ଏବେ ନିରବ ରହି ବୁଦ୍ଧିମତ୍ତାର ପରିଚୟ ଦେଇଛି। ଜାତିସଂଘ ନିରାପତ୍ତା ପରିଷଦରେ ଉଭୟ ପକ୍ଷଙ୍କୁ ସୁହାଇଲା ଭଳି କଥା କହିଛି । କାରଣ ଯଦି ଭାରତ ଏବେ କୌଣସି ଗୋଟିଏ ରାଷ୍ଟ୍ରକୁ ସମର୍ଥନ କରେ ତେବେ ଆଗକୁ ୟୁକ୍ରେନ୍ ଓ ଆମେରିକାର ଶତ୍ରୁ ହୋଇଯିବ। ଫଳରେ ଏହି ଯୁଦ୍ଧର ପ୍ରଭାବ ଭାରତ ଉପରେ ବି ପଡ଼ିବ। ଆମେରିକା ଭଳି ବୃହତ ତଥା ସବୁ କ୍ଷେତ୍ରରେ ଶକ୍ତିଶାଳୀ ରାଷ୍ଟ୍ରର ଶତ୍ରୁ ନ ହେବାକୁ ଭାରତ ଏବେ ଉଚିତ ଭାବିଛି। କିନ୍ତୁ ବର୍ତ୍ତମାନର ଯୁଦ୍ଧ ସ୍ଥିତିକୁ ବନ୍ଦ କରିବା ନିହାତି ଜରୁରୀ। ରୁଷିଆ ହେଉ କି ୟୁକ୍ରେନ୍ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଥିରୁ ଓହରିଯିବା ତୁରନ୍ତ ଆବଶ୍ୟକ ବୋଲି ଜାତିସଂଘ ବି ମତ ଦେଇଛି। ତେବେ ସମୟ ହିଁ କହିବ ଆଗକୁ ଏହି ସ୍ଥିତି କି ରୂପ ନେଉଛି।

ଅନ୍ୟପକ୍ଷରେ ଭାରତର ମତାମତକୁ ରୁଷିଆ ସ୍ୱାଗତ କରିଛି। ଏହାର ବରିଷ୍ଠ ଅଧିକାରୀ ରୋମାନ୍‌ ବାବୁସ୍କିନ୍‌ କହିଛନ୍ତି କି ଭାରତ ସହ ଆମର ସାମରିକ ଚୁକ୍ତି ରହିଛି। ଯାହା ଉଭୟ ଦେଶର ସମ୍ପର୍କ ଏବଂ ପରସ୍ପର ଉପରେ ବିଶ୍ୱାସକୁ ନେଇ ଆଧାରିତ। ଏଥିରେ ଉଭୟ ଦେଶର ସ୍ୱାର୍ଥ ମଧ୍ୟ ଜଡ଼ିତ। ତେବେ ଏଭଳି ସ୍ଥିତିରେ କିନ୍ତୁ କିଛି ପାଶ୍ଚାତ୍ୟ ଦେଶ ଭାରତକୁ ସମାଲୋଚନା କରିଛନ୍ତି।

Spread the love