ଭୋଟ ଗଣନା ପକ୍ରିୟାକୁ ସ୍ୱଚ୍ଛ କରାଯାଉ: ଦିଲୀପ ମଲ୍ଲିକ

ଭୁବନେଶ୍ୱର, ତା.୨୪/୦୨: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟଗ୍ରହଣ ଶେଷ ହୋଇଛି । ଭୋଟବାକ୍ସ ଥିବା ଷ୍ଟ୍ରଙ୍ଗ ରୁମ୍‌ର ସୁରକ୍ଷା ସହିତ ଆସନ୍ତା ୨୬,୨୭,୨୮ ତାରିଖରେ ହେବାକୁ ଥିବା ଭୋଟ ଗଣତି ପକ୍ରିୟାକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହେବା ନିହାତି ଆବଶ୍ୟକ ଏବଂ ନିର୍ବାଚନ କମିଶନଙ୍କ ସଂପୂର୍ଣ୍ଣ ଦାୟୀତ୍ୱ । ଷ୍ଟ୍ରଙ୍ଗ ରୁମ୍‌ର ସୁରକ୍ଷାର ସଠିକ ନିରୀକ୍ଷଣ ଅତ୍ୟନ୍ତ ଜରୁରୀ । ତେଣୁ ସ୍ୱଚ୍ଛ ଓ ନିରପେକ୍ଷ ଭୋଟ ଗଣତି ପାଇଁ ଗଣତି କେନ୍ଦ୍ର ଭିତରୁ ସିସିଟିଭି ଜରିଆରେ ସର୍ବସାଧାରଣଙ୍କ ପାଇଁ ପ୍ରସାରଣ କରାଯାଉ । ପ୍ରଥମ ଥର ପାଇଁ ବ୍ଲକ ମୁଖ୍ୟାଳୟ ତଥା ବ୍ଲକ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟ, ଘରୋଇ ମହାବିଦ୍ୟାଳୟରେ ମଧ୍ୟ ଭୋଟ ବାକ୍ସ ରଖାଯାଇଛି । ଭୋଟ ଗଣତି ପାଇଁ ୩ଦିନ ନିର୍ଦ୍ଧାରଣ କରାଯାଇ ଜୋନର କ୍ରମ ଅନୁସାରେ ଗଣତିର ଦିନ ଧାର୍ଯ୍ୟ କରାଯାଇଛି । କିନ୍ତୁ ଜୋନ ୱାରି ଭୋଟ ବାକ୍ସ ଗୁଡ଼ିକ ପୃଥକଭାବେ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯିବା ଆବଶ୍ୟକ ଥିବାବେଳେ ଅନେକ ବ୍ଲକରେ ଗୋଟିଏ ଷ୍ଟ୍ରଙ୍ଗ ରୁମ୍‌ରେ ୨ଟି ଜୋନ୍‌ର ଭୋଟ ବାକ୍ସ ରଖାଯାଇଛି । ଯାହାଫଳରେ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସମ୍ପୃକ୍ତି ବିଡିଓମାନଙ୍କ ବିରୋଧରେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । କଟକ ଜିଲ୍ଲା ମାହାଙ୍ଗ ବ୍ଲକରେ ଏଭଳି ତ୍ରୁଟି କରିଛନ୍ତି ସଂପୃକ୍ତ ବିଡିଓ । ୨୬ ଓ ୨୭ ଦୁଇ ଦିନରେ ଗଣତି ହେବାକୁ ଥିବା ୨ଟି ଜୋନ୍‌ର ଭୋଟ ବାକ୍ସ ଗୋଟିଏ ଷ୍ଟ୍ରଙ୍ଗ ରୁମ୍‌ରେ ରହିଛି । ତେଣୁ ୨୬ ତାରିଖ ଦିନ ଷ୍ଟ୍ରଙ୍ଗ ରୁମ୍‌ର ସିଲ୍ ଖୋଲାହେଲା ପରେ ୨୭ ତାରିଖ ଗଣାହେଉଥିବା ଦ୍ୱିତୀୟ ଜୋନ୍‌ର ଭୋଟ ବାକ୍ସ ଆଦୈା ସୁରକ୍ଷିତ ନୁହେଁ । ଏଥିରେ ହେରା ଫେରି ହେବାର ବହୁ ସମ୍ଭାବନା ରହିଛି । ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାଂଶ ସରକାରୀ କର୍ମଚାରୀମାନେ ଲୋକଙ୍କ ବିଶ୍ୱାସ ହରାଇଛନ୍ତି ଏବଂ ଏହି କାରଣରୁ ଷ୍ଟ୍ରଙ୍ଗ ରୁମ ଦାୟୀତ୍ୱରେ ଥିବା ପ୍ରଶାସନକୁ ଲୋକେ ଜଗିବାକୁ ବାଧ୍ୟ ହୋଇଛନ୍ତି ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ଆଶଙ୍କା ପ୍ରକାଶ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ପ୍ରଥମ ଦିନ ଭୋଟ ବାକ୍ସ ବାହାର କରିବା ପରେ ପୂନଃର୍ବାର ସେହି ଷ୍ଟ୍ରଙ୍ଗ୍ ରୁମକୁ ସିଲ୍ କରାଯାଉ । ବାକ୍ସରେ ପଡ଼ିଥିବା ଭୋଟ ଓ ପ୍ରିଜାଇଡିଂ ଅଫିସରଙ୍କ ଭୋଟ ଗଣତି ସାର୍ଟିଫିକେଟ୍ (ଫର୍ମ-୧୧) ମଧ୍ୟରେ ଫରକ ହେଲେ କ’ଣ କରାଯିବ? ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଭଳି ତୃଟି ମନୁଷ୍ୟକୃତ ହୋଇଥାଇପାରେ ଏବଂ ତେଣୁ ଏହି ତୃଟିର କୈାଣସି ସୀମା ନିର୍ଦ୍ଧାରଣ କରାଯାଇଛି କି ? ଯଦି କରାଯାଇଛି, ସେ ମନୁଷ୍ୟକୃତ ତୃଟି (ଐଙ୍କଜ୍ଞବଦ୍ଭ ଋକ୍ସକ୍ସକ୍ଟକ୍ସ) ସୀମାର ପରିମାଣ (%) କେତେ ତାହା ନିର୍ବାଚନ କମିଶନ ସ୍ପଷ୍ଟ କରିବା ଆବଶ୍ୟକ । ଭୋଟ ଗଣତି କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାର ସୁରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରିଛନ୍ତି? କେଉଁ ପୋଲିସ ଅଧିକାରିଙ୍କ ନେତୃତ୍ୱରେ କେତେ ସଂଖ୍ୟାରେ ପୋଲିସ ମୃତୟନ କରାଯିବ ? ଭୋଟ ଗଣତି ସମୟରେ କୈାଣସି ଉତେଜନା ପ୍ରକାଶ ପାଇଲେ ପ୍ରାର୍ଥୀ କିମ୍ବା ପ୍ରାର୍ଥୀଙ୍କ ଏଜେଂଟମାନେ କାହା ସହିତ ଆଲୋଚନା କରିବେ ଏବଂ ତାଙ୍କ ସହ ଯୋଗାଯୋଗ କେମିତି କରିବେ ? ଭୋଟ ଗଣତି ସଂପର୍କରେ ସୁଚନା ପ୍ରଦାନର ପଦ୍ଧତି / ପ୍ରଣାଳିର ସ୍ପଷ୍ଟ କରିବା ସହିତ ପଂଚାୟତୱାରି ଭୋଟ ଫଳାଫଳକୁ ସର୍ବସାଧାରଣଙ୍କରେ ଘୋଷଣା କରାଯିବାକୁ ଶ୍ରୀ ମଲ୍ଲିକ ଦାବୀ କରିଛନ୍ତି ।
ସେହିପରି ଭୋଟ ଗ୍ରହଣରେ ଅନିୟମିତତା ହୋଇଥିବାର ଠୋସ ଅଭିଯୋଗ ଥିବା ବୁଥ୍ ଗୁଡ଼ିକରେ ପୂନଃଭୋଟ ଗ୍ରହଣ କରାଯାଉ । ନିର୍ବାଚନ କମିଶନଙ୍କ ନିୟମକୁ ଉଲ୍ଲଘଂନ କରି ପକ୍ଷପାତିତା କରୁଥିବା ବା ମନଇଛା କାର୍ଯ୍ୟ କଲେ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତ୍ରୁଟିରେ ସଂଶୋଧନ କରାଯାଉ । ବହୁ ସ୍ଥାନରେ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅଧିକାରୀମାନେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ସଂପର୍କରେ ଅବଗତ ନାହାନ୍ତି । ଏହି କାରଣରୁ ପ୍ରାର୍ଥୀଙ୍କ ମଧ୍ୟରେ ଅଯଥା ଦ୍ୱନ୍ଦ ସୃଷ୍ଟି ହେବା ସହିତ ଅପ୍ରିତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି । ନିର୍ବାଚନ କମିଶନ ଭିଡିଓ କନଫରେନ୍ସିଂ ଜରିଆରେ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶାବଳୀ ସଂପର୍କରେ ସଂପୂର୍ଣ୍ଣ ଅବଗତ କରାଉ ନାହାନ୍ତି କି ? ଗଣତି ପାଇଁ ହାତରେ ଆଉ ଦୁଇ ଦିନ ବାକି ଥିବାବେଳେ ନିର୍ବାଚନ କମିଶନ ସମସ୍ତ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶାବଳୀ ସଂପର୍କରେ ବିସ୍ତୃତ ଅବଗତ କରାନ୍ତୁ । ଭୋଟ ଗଣନା ପକ୍ରିୟାକୁ ସ୍ୱଚ୍ଛ କରି ରାଜ୍ୟବାସୀଙ୍କ ରାଜ୍ୟବାସୀଙ୍କ ବିଶ୍ୱାସ ଭାଜନ ହୁଅନ୍ତୁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love