ଆହୁରି କ୍ରୁର ହେଲେ ପୁତିନ ! ଏବେ ଟାର୍ଗେଟରେ ସହଯୋଗୀ, ଋଷିଆ ଏଆରପୋର୍ଟ ଓ ଏଆରସ୍ପେସ୍ ବ୍ରିଟିଶ ବିମାନ ଲାଗି ବନ୍ଦ

ମସ୍କୋ ୨୫।୨:  ଋଷିଆର ୟୁକ୍ରେନ ଆକ୍ରମଣ ଶୁକ୍ରବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ରାଜଧାନୀ କୈଭ ଉପରେ ଋଷିଆ ଆକ୍ରମଣ ତୀବ୍ର ହୋଇଥିବା ବେଳେ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ଏବେ ୟୁକ୍ରେନ ସମର୍ଥକଙ୍କ ବିରୋଧରେ କଠୋର ନୀତି ଅବଲମ୍ବନ କରିଛନ୍ତି। ଏଥିରେ ବ୍ରିଟିଶ ବିମାନଙ୍କ ଋଷିଆ ଅବତରଣ ନିଷିଦ୍ଧ ହୋଇଥିବା ବେଳେ ନିଜ ଆକାଶ ମାର୍ଗକୁ ମଧ୍ୟ ଋଷ ବନ୍ଦ କରିଛି। ଋଷିଆ ବେସାମରିକ ବିମାନ ଚଳାଚଳ ନିୟାମକ ଶୁକ୍ରବାର ଏହି କଟକଣା ଜାରି କରିଛନ୍ତି।

ସେପଟେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଶୁକ୍ରବାର ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମୀର ଜେଲୋଂସ୍କିଙ୍କ ସହ ଟେଲିଫୋନରେ କଥା ହୋଇଥିବା ବେଳେ ସବୁ ପ୍ରକାର ସହାୟତାର ପ୍ରତିଶ୍ରୁତି ମଧ୍ୟ ଦେଇଥିବାର ଜଣାପଡିଛି। ୟୁକ୍ରେନ ଆକ୍ରମଣ ପୂର୍ବରୁ ବ୍ରିଟେନ ଋଷିଆ ଉପରେ ଅନେକ କଟକଣା ଲଗାଇଥିଲା। ଋଷିଆ ଶୁକ୍ରବାର ବ୍ରିଟେନ ବିମାନଙ୍କ ଲାଗି ନିଜର ବିମାନବନ୍ଦର ଓ ଏରୋସ୍ପେସ୍‌ ନିଷିଦ୍ଧ କରି ଏହାର ଜବାବ ଦେଇଛି। ଏହା ପୂର୍ବରୁ ପୁତିନ ୟୁକ୍ରେନ ବିରୋଧରେ ଯୁଦ୍ଧଘୋଷଣା କରି ଏଥିରେ କୌଣସି ଦେଶକୁ ହସ୍ତକ୍ଷେପ ନ କରିବାକୁ ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ଯଦି କେହି ଏପରି ଭୁଲ କରେ ତାକୁ ଇତିହାସର ସବୁଠୁ କଡ଼ା ଜବାବ ଦିଆଯିବ ବୋଲି କହିଥିଲେ।

ଋଷିଆର ୟୁକ୍ରେନ ଆକ୍ରମଣ ପରେ ଗୁରୁବାର ବ୍ରିଟେନ ଋଷିଆ ଉପରେ ନୂଆ କଟକଣାର ରୂପରେଖ ପ୍ରସ୍ତୁତ କରିଥିଲା। ଏଥିରେ ଋଷିଆର ଏରୋଫ୍ଲୋଟ କମ୍ପାନୀକୁ ନିଷିଦ୍ଧ କରିବା ପାଇଁ ବ୍ରିଟେନ ନିଷ୍ପତ୍ତି ନେଇଥିବା ବେଳେ ବ୍ରିଟେନ ହାଉସ୍ ଅଫ କମନସ୍‌ରେ ସବୁଠୁ ବଡ ଓ ସବୁଠୁ କଡା କଟକଣା ପ୍ରସ୍ତାବ ଆଗତ କରିଛି। ଏଥିରେ ଋଷିଆ ସରକାରଙ୍କ ମାଲିକାନାଧିନ ବିଟିବି ବ୍ୟାଙ୍କର ବ୍ରିଟେନରେ ସମ୍ପତ୍ତି ଫ୍ରିଜ କରିବା ଓ ଋଷିଆର ଅନ୍ୟ ବ୍ୟାଙ୍କକୁ ଦେଶର ଆର୍ଥିକ ବ୍ୟବସ୍ଥାରୁ ବାହାର କରିବା ଲାଗି ବ୍ରିଟେନ ସରକାର ହାଉସ ଅଫ କମନସ୍‌ଙ୍କୁ କ୍ଷମତା ପ୍ରଦାନ ଲାଗି ନିବେଦନ କରିଛନ୍ତି।

ଏଥିରେ ବ୍ରିଟେନରେ କାର୍ଯ୍ୟ କରୁଥିବା ଋଷିଆର ୫ଟି ବ୍ୟାଙ୍କକୁ ନିଷିଦ୍ଧ କରିବେ ବୋଲି ଜନସନ କହିଛନ୍ତି। ଯଦି ଏପରି ହୁଏ ଆଗାମୀ ଦିନରେ ଋଷିଆର ଔଦ୍ୟୋଗିକ, ବୈଷୟିକ ଓ ସୈନ୍ୟ କ୍ଷମତା ଗୁରୁତର ପ୍ରଭାବିତ ହେବ ବୋଲି କୁହାଯାଇଛି। ସେପଟେ ଶୁକ୍ରବାର ଦ୍ୱିତୀୟ ଦିନ ମଧ୍ୟ ୟୁକ୍ରେନରେ ଋଷିଆର ସୈନ୍ୟ ଅଭିଯାନ ଜାରି ରହିଛି। ଋଷିୟ ସୈନିକ ଏବେ ରାଜଧାନୀ କୈଭରେ ପହଞ୍ଚିସାରିଥିବା ବେଳେ ୟୁକ୍ରେନ ସେନା ସେମାନଙ୍କର ତୀବ୍ର ମୁକାବିଲା କରୁଛନ୍ତି। ଏଥିରେ ଋଷିଆ ଏପର୍ଯ୍ୟନ୍ତ ୨୪୩ ୟୁକ୍ରେନୀ ସୈନିକ ଓ ଗୋଟିଏ ମେରିନ ବ୍ରିଗେଡକୁ ଆତ୍ମସମର୍ପଣ କରାଇବାରେ ସକ୍ଷମ ହୋଇଥିବା ଋଷିଆ ପ୍ରତିରକ୍ଷାମନ୍ତ୍ରାଳୟ ଦାବି କରିଛନ୍ତି।

ସେପଟେ ଦୁଇଦିନର ସାମରିକ କାର୍ଯ୍ୟାନୁଷ୍ଠାନରେ ୟୁକ୍ରେନର ୧୧୮ଟି ମିଲେଟ୍ରି ଇନଫ୍ରାଷ୍ଟ୍ରକ୍ଚର ଧ୍ୱଂସ୍ତ ହୋଇଥିବାର ସୂଚନା ଦିଆଯାଇଛି। ଏଥିରେ ୧୧ଟି ମିଲେଟ୍ରି ଏୟାରଫିଲ୍ଡ, ୧୩ଟି କମାଣ୍ଡ ଏଣ୍ଡ କମ୍ୟୁନିକେସନ ସେଣ୍ଟର, ୧୪ଟି ଏସ୍-୩୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷାପ୍ରଣାଳୀ ଓ ୩୬ଟି ରାଡାର କେନ୍ଦ୍ର ଧ୍ୱଂସ୍ତ ହୋଇଥିବାର କୁହାଯାଇଛି। ଏହା ଛଡା ୟୁକ୍ରେନର୫ଟି ଯୁଦ୍ଧବିମାନ, ଏକ ହେଲିକପ୍ଟର ଓ ୫ଟି ଡ୍ରୋନକୁ ଗୁଳିକରି ଖସାଇ ଦେଇଥିବାର ମଧ୍ୟ ଋଷିଆ ଦାବି କରୁଛି।

ସେହିପରି ଏପର୍ଯ୍ୟନ୍ତ ଯୁଦ୍ଧରେ ୟୁକ୍ରେନର ୧୮ଟି ଟ୍ୟାଙ୍କ, ୭ଟି ରକେଟ୍ ଲଞ୍ଚର, ୪୧ଟି ମିଲେଟ୍ରି ବାହନ ଓ ୫ଟି କମ୍ବାଟ ବୋଟ ନଷ୍ଟ ହୋଇଥିବାର ଋଷିଆ କହିଛି। ସେହିପରି ଚେର୍ଣ୍ଣୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟ ନେଇ ମଧ୍ୟ ଋଷିଆ ସୂଚିତ କରିଛି। ଏହାକୁ ଆମେ ଗୁରୁବାର ଆମ ନିୟନ୍ତ୍ରଣକୁ ନେଇଯାଇଥିଲୁ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛନ୍ତି। ଅଞ୍ଚଳକୁ କବଜାକୁ ନିଆଯିବା ପରେ ଦିନ ତମାମ ଯାଞ୍ଚ କରାଯାଇଥିଲା ଓ ଏଥିରୁ ଲିକେଜର ସାମାନ୍ୟତମ ସୁରାଗ ମଧ୍ୟ ନଥିବା କୁହାଯାଇଛି। ଏଠାରେ ସବୁକିଛି ଏବେ ସ୍ୱଭାବିକ ଥିବା ମନ୍ତ୍ରାଳୟ ସୂଚିତ କରିଛନ୍ତି।

Spread the love