‘ଚେର୍ନୋବିଲ’ ଋଷ ପାଇଁ କାହିଁକି ଜରୁରୀ ?
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ଆଣବିକ ଦୁର୍ଘଟଣାର ମୁକ ସାକ୍ଷୀ କୁହା ଯାଉଥିବା ଚେର୍ନୋବିଲ ଆଣବିକ ଉର୍ଜା ପ୍ଲାଣ୍ଟକୁ ଋଷ ଆଜି ନିଜ ଅକ୍ତିଆରକୁ ନେଇଛି । ଆକ୍ରମଣର ୨୪ ଘଣ୍ଟା ଭିତରେ ହିଁ ଋଷ ସେନା ୟୁକ୍ରେନର ଏହି ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳକୁ ନିଜ ଅଧୀନକୁ ନେଇଛି ।
ଯେଉଁମାନେ ଇଣ୍ଟରନ୍ୟାସନାଲ ସମ୍ମାନ ଜିତିଥିବା ସିରିଜ୍ ଚେର୍ନୋବିଲ ଦେଖିଥିବେ ସେମାନେ ଏହି ପ୍ଲାଣ୍ଟରେ ଘଟିଥିବା ଦୁର୍ଘଟଣା ବାବଦରେ ନିଶ୍ଚିତ ଅବଗତ ଥିବେ। ୟୁକ୍ରେନର ଚେର୍ନୋବିଲ ଦୁନିଆର ସବୁଠାରୁ ବଡ଼ ପରମାଣୁ ପାୱାର ପ୍ଲାଣ୍ଟ ମଧ୍ୟରୁ ଗୋଟିଏ । ୧୯୮୬ ମସିହା ଏପ୍ରିଲରେ ମାସରେ ଦୁନିଆର ସବୁଠାରୁ ବଡ଼ ଆଣବିକ ଦୁର୍ଘଟଣା ଘଟିଥିଲା । ଏକ ପରମାଣୁ ରିଏକ୍ଟରରେ ବିସ୍ଫୋରଣ ପରେ ସାରା ୟୁରୋପରେ ରେଡିଏସନ ବ୍ୟାପିଯାଇଥିଲା। ଏହି ପ୍ଲାଣ୍ଟ ୟୁକ୍ରେନର ରାଜଧାନୀ କିଭର ଉତ୍ତରରେ ୧୩୦ କିଲୋମିଟର ଦୂରରେ ରହିଛି। ଦୁର୍ଘଟଣା ହେବା ସମୟରେ ଏହା ସୋଭିଏତ ସଂଘର ଅଂଶଥିଲା। ୧୯୮୬ ମସିହା ଏପ୍ରିଲ ୨୬ ତାରିଖରେ ଚେର୍ନୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟର ୪ ନମ୍ୱର ରିଏକ୍ଟର ବିସ୍ଫୋରଣ ପରେ ସାରା ୟୁରୋପରେ ହାହାକାର ସୃଷ୍ଟି ହୋଇଥିଲା।
ରିପୋର୍ଟ ଅନୁସାରେ, ଚେର୍ନୋବିଲ ଦୁର୍ଘଟଣାରେ ହୋଇଥିବା କ୍ଷତି ଏବଂ ଜୀବନହାନୀ ଆଜି ସୁଦ୍ଧା ହୋଇଥିବା ସବୁଠାରୁ ଭୟଙ୍କର ଆଣବିକ ଦୁର୍ଘଟଣା । ବିସ୍ଫୋରଣ ପରେ ରେଡିଏସନ ମୁକ୍ତ କରିବା ଏବଂ ଦୁର୍ଘଟଣାର ଭୟାବହତାକୁ ରୋକିବା ପାଇଁ ପ୍ରାୟ ୧.୮ କୋଟି ସୋଭିଏତ ରୁବଲ ( ପ୍ରାୟ ୫ ବିଲିୟନ ଭାରତୀୟ ମୁଦ୍ରା) ଖର୍ଚ୍ଚ ହୋଇଥିଲା । ଗୋପନୀୟ ଦସ୍ତାବିଜ ଅଧାରରେ ନିର୍ମାଣ ହୋଇଥିବା ସିରିଜ୍ Chernobyl ଅନୁସାରେ, RBMK-ପରମାଣୁ ରିଏକ୍ଟରର ଗୋଟିଏ ଷ୍ଟିମ୍ ଟର୍ବାଇନରେ ପରୀକ୍ଷଣ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ପରୀକ୍ଷଣ ସମୟରେ ଅନେକ ବୈଷୟିକ ତ୍ରୁଟି ଯୋଗୁଁ Chernobyl ପରମାଣୁ ପାୱାର ପ୍ଲାଣ୍ଟର ୪ ନମ୍ୱର ରିଏକ୍ଟରରେ ବିସ୍ଫୋରଣ ହୋଇଥିଲା।
କୁହାଯାଏ ସେହି ସମୟରେ ସୋଭିଏସ ସଂଘର ସରକାର ଏହି ଦୁର୍ଘଟଣାକୁ ଲୁଚାଇବାକୁ ଅନେକ ପ୍ରୟାସ କରିଥିଲା। ଆମେରିକାର ସାଟେଲାଇଟ୍ ଫଟୋରେ ମଧ୍ୟ ଏହାକୁ ନେଇ କିଛିଟା ସନ୍ଦେହ ଥିଲା। କିନ୍ତୁ ଚେର୍ନୋବିଲରୁ ରେଡିଏସନ ବ୍ୟାପିବା ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସୋଭିଏତର ରସାୟନ ବିଜ୍ଞାନୀ ବାଲେରୀ ଲେଗାସୋବ ଏହାର ଖୁଲାସା କରିଥିଲେ। ସୋଭିଏତ ସଂଘର ଚାପରେ ପ୍ରଫେସର ବାଲେରୀ ଲେଗାସୋବ ୫୧ ବର୍ଷ ବୟସରେ ୧୯୮୮ ମସିହା ଏପ୍ରିଲ ୨୬ ତାରିଖରେ ଆତ୍ମହତ୍ୟା କରିଥିଲେ । କିନ୍ତୁ ଏହା ପୂର୍ବରୁ ସେ ଚେର୍ନୋବିଲ ଦୁର୍ଘଟଣା ସହ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ କିଛି ଟେପ୍ ରେକର୍ଡ ସହ ବାହାରକୁ ପଠାଇ ଦେଇଥିଲେ। କୁହାଯାଏ ସେହି ଟେପ୍ ଯୋଗୁଁ କୋଟି କୋଟି ଲୋକଙ୍କ ଜୀବନ ବଞ୍ଚିପାରିଥିଲା। ଅନ୍ୟପଟେ ପ୍ରଫେସର ଲେଗାସୋବଙ୍କ ସହ କାମ କରୁଥିବା ଅନ୍ୟ ବୈଜ୍ଞାନିକମାନଙ୍କୁ ଦଣ୍ଡ ଭୋଗିବାକୁ ପଡିଥିଲା । ଏହାସହ ତାଙ୍କର ଅନ୍ୟ କିଛି ସହଯୋଗୀ ରେଡିଏସନ ଯୋଗୁଁ ଗୁରୁତର ରୋଗରେ ଆକ୍ରାନ୍ତ ହୋଇ କିଛି ବର୍ଷରେ ମୃତ୍ୟୁ ବରଣ କରିଥିଲେ। ଦୁର୍ଘଟଣା ପରେ ରେଡିଏନସନ ରୋକିବା ପାଇଁ ସୁରକ୍ଷା ଉପକରଣ ଗୁଡିକୁ ଘୋଡାଇ ଦିଆଯାଇଥିଲା ଏବଂ ତୁରନ୍ତ ପ୍ଲାଣ୍ଟକୁ ନିଷ୍କ୍ରିୟ କରାଯାଇଥିଲା । ଦୁର୍ଘଟଣା ପରେ ନିଆଁକୁ ଆୟତ୍ତ କରିବା ନିୟୋଜିତ ଅଗ୍ନିଶମ ବାହାନୀର କର୍ମଚାରୀଙ୍କ ରେଡିଏସନ ଯୁକ୍ତ ପୋଷାକ ଆଜି ବି ପ୍ରିପ୍ୟାତ ହସ୍ପିଟାଲରେ ରଖାଯାଇଛି। ଆଜି ବି ସେଥିରେ ରେଡିଓକ୍ଟିଭ ରହିଛି।
ଚେର୍ନୋବିଲ ଦୁର୍ଘଟଣାରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାର ପ୍ରକୃତ ସଂଖ୍ୟା ସୋଭିଏତ ସଂଘ ପକ୍ଷରୁ ଜାରି କରାଯାଇନାହିଁ। କିନ୍ତୁ କୁହାଯାଏ ପ୍ରାୟ ୬ ଲକ୍ଷରୁ ଅଧିକ ଲୋକେ ବିସ୍ଥାପିତ ହୋଇଥିଲେ। ୟୁକ୍ରେନ ଏବଂ ବେଲାରୁଷରେ ୨୬୦୦ ବର୍ଗ କିଲୋମିଟର ଅଞ୍ଚଳ ଏବେ ବି ଶ୍ରୀହିନ। ବିବିସି ଅନୁସାରେ, ଚେର୍ନୋବିଲ ଦୁର୍ଘଟଣାରେ ତତ୍କାଳ ୩୧ ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଏହି ଦୁର୍ଘଟଣାର ବର୍ଷ ବର୍ଷ ପରେ ବି ଲୋକଙ୍କ ମୃତ୍ୟୁ ହୋଇଥିଲା, ଯାହାର ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସଂଖ୍ୟା ନାହିଁ। ଚିର୍ନୋବିଲ ସିରିଜ ଅନୁସାରେ ୪ ହଜାରରୁ ୯୩ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଚେର୍ନୋବିଲ ପାୱାର ପ୍ଲାଣ୍ଟ ଦୁର୍ଘଟଣା ହିଁ ସୋଭିଏତ ସଂଘ ପତନର ପ୍ରମୁଖ କାରଣ ବୋଲି କୁହାଯାଏ ।