ଓଡ଼ିଶାରେ ଜିଏସଟି ଆଦାୟ ୨୩% ବୃଦ୍ଧି
ନୂଆଦିଲ୍ଲୀ : ଗତ ଫେବ୍ରୁଆରି ମାସରେ ଦେଶର ଜିଏସଟି ରାଜସ୍ବ ୧ ଲକ୍ଷ ୩୩ ହଜାର କୋଟି ରହିଛି । ଏହା ଫେବ୍ରୁଆରୀ ୨୦୨୧ ତୁଳନାରେ ୧୮ ପ୍ରତିଶତ ଅଧିକ, ମାତ୍ର ଜାନୁଆରୀ ୨୦୨୨ ତୁଳନାରେ ପ୍ରାୟ ୫.୬ ପ୍ରତିଶତ କମ । ଜାନୁଆରୀ ୨୦୨୨ରେ ଦେଶର ଜିଏସଟି ରାଜସ୍ବ ୧ ଲକ୍ଷ ୪୦ ହଜାର କୋଟି ଟପିଯାଇଥିଲା ।
ଫେବ୍ରୁଆରୀ ମାସରେ ସଂଗ୍ରହ ହୋଇଥିବା ୧.୩୩ ଲକ୍ଷ କୋଟିରୁ କେନ୍ଦ୍ରୀୟ ଜିଏସଟି ଟ. ୨୪୪୩୫ କୋଟି, ରାଜ୍ୟ ଜିଏସଟି ଟ.୩୦,୭୭୯ କୋଟି, ଇଣ୍ଟିଗ୍ରେଟେଡ୍ ଜିଏସଟି ୬୭,୪୭୧ କୋଟି ଟଙ୍କା ଓ ସେସ ୧୦,୩୪୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ କରୋନା ମହାମାରୀର ୨ୟ ଲହରର ପ୍ରକୋପ ଅଧିକ ଥିବାରୁ ବିଭିନ୍ନ ରାଜ୍ୟ ପୁଣି ଥରେ ଲକଡାଉନ ଲାଗୁ କରିଥିଲେ । ଏହା ଫଳରେ ଅର୍ଥନୀତି ପ୍ରଭାବିତ ହେବା ସହ ଜିଏସଟି ରାଜସ୍ବ ହ୍ରାସ ପାଇଥିଲା । ତେବେ କରୋନାର ପ୍ରକୋପ କମିବା ସହ ଲକଡାଉନ କଟକଣା କୋହଳ ହେବା ସହ ଅର୍ଥନୈତିକ କାର୍ଯ୍ୟକଳାପ ସ୍ବାଭାବିକ ହୋଇଥିଲା । ଏହା ଜିଏସଟି ରାଜସ୍ବ ବୃଦ୍ଧିର କାରଣ ବୋଲି କୁହାଯାଉଛି । ଚଳିତ ଆର୍ଥିକ ବର୍ଷରେ ୫ମ ଥର ପାଇଁ ମାସିକ ଜିଏସଟି ରାଜସ୍ବ ୧ ଲକ୍ଷ ୩୦ ହଜାର କୋଟି ଉପରେ ରହିଛି । ତେବେ ଫେବ୍ରୁଆରୀ ମାସ ୨୮ ଦିନିଆ ହୋଇଥିବାରୁ ଜିଏସଟି ସଂଗ୍ରହ ଜାନୁଆରରୀ ତୁଳନାରେ କମିଥିବା ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।