ମହଙ୍ଗା ହେବ ପେଟ୍ରୋଲ

ନୂଆଦିଲ୍ଲୀ : ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୦୦ ଡଲାର ଟପିବା ପରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ୍ ବିକ୍ରିରେ କଂପାନିଗୁଡ଼ିକ ପ୍ରାୟ ୯ ଟଙ୍କାର କ୍ଷତି ସହୁଛନ୍ତି। ଆସନ୍ତା ସପ୍ତାହ ରାଜ୍ୟ ନିର୍ବାଚନ ଶେଷ ହେବା ପରେ କଂପାନିଗୁଡ଼ିକ ଦରବୃଦ୍ଧି ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି। ବୁଧବାର ଦିନ ‌ଅଶୋଧିତ ତୈଳ ଦାମ୍ ୧୧୩ ଡଲାର ସ୍ତର ଅତିକ୍ରମ କରିଛି। ଆଠ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ଆନ୍ତର୍ଜାତିକ ବଜାରରେ ତେଲ ଏତେ ମହଙ୍ଗା ହୋଇଛି ଯାହା ଭାରତ ଭଳି ଆମଦାନି ଉପରେ ନିର୍ଭରଶୀଳ ଦେଶ ଲାଗି ଏକ ବଡ଼ ବିପଦ ହୋଇପାରେ।

ୟୁକ୍ରେନରେ ରୁଷିଆ ଆକ୍ରମଣ କରିବା ପରଠାରୁ ତେଲ ବଜାର ଅସ୍ଥିର ରହିଛି। ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ନିୟମିତ ବ୍ୟବଧାନରେ ବୃଦ୍ଧି ପାଉଛି। ମାର୍ଚ୍ଚ ୧ରେ ଦର ୧୦୨ ଡଲାର ଥିଲା। ଗତବର୍ଷ ନଭେମ୍ବରରେ ଯେତେବେଳେ ଅଶୋଧିତ ତୈଳ ଦର ୮୧.୫ ଡଲାର ଥିଲା ତା’ ପରଠାରୁ ତେଲ କଂପାନିଗୁଡ଼ିକ ଆଉ ପେଟ୍ରୋଲ ଓ ଡିଜେଲ୍ ଦରରେ କୌଣସି ସଂଶୋଧନ କରିନାହାନ୍ତି। ଦୀର୍ଘ ୧୧୮ ଦିନ ହେଲାଣି ଦର ଅପରିବର୍ତ୍ତିତ ରହିଛି। ଏହାସତ୍ତ୍ବେ ପେଟ୍ରୋଲ୍‌ ଲିଟର ଦାମ୍ ୧୦୦ ଟଙ୍କାରୁ ଅଧିକ ରହିଛି। ଇତିମଧ୍ୟରେ ଅଶୋଧିତ ତୈଳ ଦରରେ ୨୫ ଡଲାର ଭଳି ବୃଦ୍ଧି ହୋଇସାରିଲାଣି। ଯଦି ତାହାର ସବୁ ବୋଝ ଗ୍ରାହକଙ୍କ ଉପରେ ଲଦିବାକୁ କଂପାନିଗୁଡ଼ିକ ନିଷ୍ପତ୍ତି ନେବେ ତେବେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଅସହ୍ୟ ସ୍ତରକୁ ଚାଲିଯିବ।

ପେଟ୍ରୋଲ ଓ ଡିଜେଲ ହେଉଛି ରାଜୈନତିକ ଦୃଷ୍ଟିରୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଭୋଟ ବିଗିଡ଼ିବାର ଆଶଙ୍କା ଥିବାରୁ ନିର୍ବାଚନ ସମୟରେ ତୈଳ ଦରବୃଦ୍ଧି ଉପରେ ରୋକ ଲଗାଇ ଦିଆଯାଏ। ଅତୀତରେ ବହୁବାର ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛ। ନିର୍ବାଚନ ଶେଷ ହେବା ପରେ ପୁଣି ଥରେ ଦରବୃଦ୍ଧି ଆରମ୍ଭ ହୋଇଯାଏ। ‌ଦେଶର ତିନି ତୈଳ କଂପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଲିଟର ପିଛା ପେଟ୍ରୋଲ୍ ଓ ଡିଜେଲ୍ ଉପରେ ପ୍ରାୟ ୫ ଟଙ୍କା ୭୦ ପଇସାର କ୍ଷତି ସହୁଛନ୍ତି। ଏହା ବାଦ ସେମାନଙ୍କର ଲିଟର ପିଛା ଅଢ଼େଇ ଟଙ୍କାର ବ୍ୟବସାୟ ମାର୍ଜିନ ରହିଛି। ଯଦି ସବୁ ବୋଝକୁ ସେମାନେ ଗ୍ରାହକଙ୍କ ଉପରେ ଲଦିବାକୁ ଚାହିବେ ତେବେ ପେଟ୍ରୋଲ୍ ଦାମ୍‌ ୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ବ୍ରୋକରେଜ୍ ସଂସ୍ଥା ଜେପି ମୋର୍ଗାନ ଏହାର ରିପୋର୍ଟରେ ଜଣାଇଛି। ଯଦି ଅଶୋଧିତ ତୈଳ ଦାମ୍ ଅଧିକ ଦିନ ପର୍ଯ୍ୟନ୍ତ ୧୦୦ ଡଲାର ଉପରେ ରହିବ ଓ ସରକାର ୧-୩ ଟଙ୍କା ପର୍ଯ୍ୟନ୍ତର ଟିକସ ହ୍ରାସ କରିବେ ତେବେ ପେଟ୍ରୋଲ୍‌ ଦାମ୍‌ରେ ୫-୮ ଟଙ୍କାର ବୃଦ୍ଧି ହେବ ବୋଲି ରିପୋର୍ଟରେ କୁହାଯାଇଛି।

ଉତ୍ତରପ୍ରଦେଶ ଭଳି ରାଜ୍ୟରେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଦେଶରେ ପେଟ୍ରୋଲ୍ ଦାମ୍ ଏହାର ସର୍ବୋଚ୍ଚ ସ୍ତର ୧୧୦ ଟଙ୍କା ୪ ପଇସାରେ ଏବଂ ବହୁ ରାଜ୍ୟରେ ଡିଜେଲ୍ ଦାମ୍ ମଧ୍ୟ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଥିଲା। ଏହାକୁ ନେଇ ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା। ତାହାକୁ ନଜରରେ ରଖି ସରକାର ଡିଜେଲ୍‌ରୁ ୧୦ ଟଙ୍କା ଏବଂ ପେଟ୍ରୋଲ୍‌ରୁ ୫ ଟଙ୍କାର ଟିକସ ହ୍ରାସ କରିଥିଲେ। ସେହିଦିନ ଠାରୁ ତେଲ ଦର ବଢ଼ିନାହିଁ। ସେତେବେଳେ ଅଶୋଧିତ ତୈଳ ଦର ୮୨ ଡଲାର ପାଖାପାଖି ଥିଲା।

Spread the love