ଦୃଷ୍ଟି ବାଧିତ ଛାତ୍ର ବୃତ୍ତି ପରୀକ୍ଷାରେ ଟପ୍ପର

ଆଠଗଡ଼: ଆଠଗଡ଼ ବ୍ଲକରେ ଚଳିତ ବର୍ଷ ୫ମ ବୃତ୍ତି ପରୀକ୍ଷାରେ ବ୍ଲକସ୍ତରରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ରାସରସିକପୁର ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୃଷ୍ଟି ବାଧିତ ଛାତ୍ର ସତ୍ୟପ୍ରକାଶ ମହାପାତ୍ରଙ୍କୁ ଗୁରୁବାର ସମ୍ମାନିତ କରି ଉତ୍ସାହିତ କରାଯାଇଛି। ରାସରସିକପୁର ସ୍କୁଲର ପ୍ରଧାନଶିକ୍ଷକ ଦେବରାଜ ନାୟକଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଆଠଗଡ଼ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିରନ୍ତର କଠିନ ଅଧ୍ୟବସାୟ ଓ ଏକାଗ୍ରତା ବଳରେ ଜଣେ କିପରି ଶୀର୍ଷ ସ୍ଥାନରେ ପହଞ୍ଚି ଥାଏ ତାର ଉଦାହରଣ ସୃଷ୍ଟି କରିଛନ୍ତି ଦିବ୍ୟାଙ୍ଗ ଛାତ୍ର ସତ୍ୟପ୍ରକାଶ ମହାପାତ୍ର ବୋଲି ପ୍ରକାଶ କରିବା ସହିତ ସତ୍ୟପ୍ରକାଶଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ସହକାରୀ ବ୍ଲକ ଶିକ୍ଷାଧିକାରୀ ନବକିଶୋର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଣେ ଦୃଷ୍ଟିବାଧିତ ଛାତ୍ର ହୋଇ ନିଜର ଏକାଗ୍ରତା ଓ ଦୃଢ ଇଚ୍ଛାଶକ୍ତି ବଳରେ ସତ୍ୟପ୍ରକାଶ ଶିର୍ଷକୁ ଉଠିପାରିଛନ୍ତି ବୋଲି ମତବ୍ୟକ୍ତ କରି ତାଙ୍କର ଭବିଷ୍ୟତ ଉଜ୍ଜଳମୟ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ଶିବଶଙ୍କର ଜେନାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଏବଂ ଦୁଇ ଅତିଥି ସତ୍ୟପ୍ରକାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ଶିକ୍ଷକ ଶଶଧର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅନ୍ୟତମ ଶିକ୍ଷକ ପ୍ରକାଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love