ଖାର୍କିଭ ଓ ପିସୋଚିନରୁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର

ଭୁବନେଶ୍ୱର: ୟୁକ୍ରେନରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ ଅଞ୍ଚଳ ଖାର୍କିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଆହୁରି ଅନେକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମକୁ ଜୋରଦାର କରିଛନ୍ତି । ଖାର୍କିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ୩ ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ  ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ୱତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମାକୁ ଆଣିବା ପାଇଁ ସଫଳ ହୋଇଛନ୍ତି ।ଉକ୍ତ ଅଞ୍ଚଳରେ ଥିବା ସବୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଏ ପର୍ଯ୍ୟନ୍ତ ୧୯୯ ଜଣ ଛାତ୍ରଛାତ୍ରୀ ନିରାପଦରେ ଭାରତରେ ପହଞ୍ଚି ସାରିଛନ୍ତି । ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବରେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି ।ନୂଆଦିଲ୍ଲୀ ସ୍ଥିତ ରେସିଡେଣ୍ଟ କମିଶନ୍ ଅଫିସ୍ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ୟୁକ୍ରେନ ସୀମା ସଂଲଗ୍ନ ୪ଟି ଦେଶ ପାଇଁ ୪ ଜଣ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ସମନ୍ୱୟ ରଖିବା ପାଇଁ ଦାୟିତ୍ୱ ଦେଇଛନ୍ତି ।

Spread the love