ୟୁକ୍ରେନ ରାଷ୍ଟ୍ରପତିଙ୍କୁ ହତ୍ୟା ଷଡଯନ୍ତ୍ର

କିଭ୍‌: ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କିଙ୍କୁ ହତ୍ୟା ନିମନ୍ତେ ରୁଷିଆ ସେନା ପକ୍ଷରୁ ଷଡଯନ୍ତ୍ର କରାଯାଇଛି। ଜେଲେନସ୍କିଙ୍କୁ ହତ୍ୟା କରି ୟୁକ୍ରେନକୁ ଦଖଲ କରିବା ଲାଗି ରୁଷିଆ ଯୋଜନା କରିଥିବାବେଳେ ସଫଳ ହୋଇପାରି ନାହିଁ। ଜେଲେନସ୍କିଙ୍କ ଅଦମ୍ୟ ସାହସ ଓ ଦେଶଭକ୍ତି ନିକଟରେ ସାରା ବିଶ୍ବ ଶତମୁଖ ହୋଇଉଠିଛି। ରୁଷିଆର ଘନ ଘନ ଆକ୍ରମଣ ସତ୍ତ୍ବେ ଜେଲେନସ୍କି ରାଜଧାନୀ କିଭ୍‌ରେ ରହି ନିଜ ସେନାକୁ ନେତୃତ୍ବ ଦେଇଆସୁଛନ୍ତି।ଏପରିସ୍ଥିତିରେ ଜେଲେନସ୍କିଙ୍କୁ ହତ୍ୟା ଲାଗି ରୁଷିଆ ସେନା ଗତ ସପ୍ତାହରେ ତିନି ଥର ଉଦ୍ୟମ କରିଥିବାବେଳେ ଏହାକୁ ୟୁକ୍ରେନ ସେନା ପଣ୍ଡ କରିଛି। ରିପୋର୍ଟ ଅନୁଯାୟୀ ୱାଗନର ଗ୍ରୁପ୍ ଓ ଚେଚେନ ବିଦ୍ରୋହୀଙ୍କୁ ନେଇ ରୁଷିଆ ହତ୍ୟା ଷଡଯନ୍ତ୍ର କରିଥିଲା। ମାତ୍ର ୟୁକ୍ରେନର ଜାତୀୟ ସୁରକ୍ଷା ଓ ପ୍ରତିରକ୍ଷା ପରିଷଦ ଏହି ଦୁଇ ଗୋଷ୍ଠୀକୁ ନିପାତ କରିବାରେ ସଫଳ ହୋଇଥିଲେ। ଚେଚେନ ସ୍ବତନ୍ତ୍ର ବାହିନୀକୁ ଶନିବାର କିଭ୍‌ର ଉପକଣ୍ଠରେ ହତ୍ୟା କରାଯାଇଥିଲା।ୟୁକ୍ରେନ ଜାତୀୟ ସୁରକ୍ଷା ଓ ପ୍ରତିରକ୍ଷା ପରିଷଦ ସଚିବ ଓଲେକ୍ସି ଡାନିଲୋଭ କହିଛନ୍ତି ଯେ ଚେଚନ୍ୟା ପ୍ରମୁଖ ଅର୍ଦ୍ଧସାମରିକ ବାହିନୀକୁ ଧରି ରୁଷିଆ ହତ୍ୟା ଷଡଯନ୍ତ୍ର କରିଥିଲା। ମାତ୍ର ଏହି ସନ୍ଦିଗ୍ଧ ହତ୍ୟାକାରୀଙ୍କୁ ନିପାତ କରାଯାଇଛି। ଜେଲେନସ୍କିଙ୍କୁ ହତ୍ୟା ଷଡଯନ୍ତ୍ରରୁ ରକ୍ଷା ନିମନ୍ତେ ଆମେରିକା ତାଙ୍କୁ ସ୍ଥାନାନ୍ତର ଲାଗି ସୁଯୋଗ ଦେଇଥିଲା। ଏପରିକି ଜେଲେନସ୍କିଙ୍କୁ ଆମେରିକା ଚାଲିଆସିବାକୁ କୁହାଯାଇଥିଲା।ମାତ୍ର ଜେଲେନସ୍କି କିଭ୍‌ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ରୁଷିଆର ଆକ୍ରମଣ ସତ୍ତ୍ବେ ୟୁକ୍ରେନ କେବେହେଲେ ଆତ୍ମସମର୍ପଣ କରିବ ନାହିଁ ବୋଲି ଜେଲେନସ୍କି କହିଛନ୍ତି। ସେ କହିଛନ୍ତି ପୁତିନ ଯଦି ଭାବୁଥାଏ ଯେ ୟୁକ୍ରେନ ଆତ୍ମସମର୍ପଣ କରିବ ତେବେ ଏହା ସ୍ପଷ୍ଟ ଯେ ପୁତିନ ୟୁକ୍ରେନକୁ ଭଳ ଭାବେ ଜାଣି ନାହାନ୍ତି। ୟୁରୋପୀୟ ସଂଘ ସଂସଦ ଜେଲେନସ୍କିଙ୍କ ସାହସ ଓ ଦେଶଭକ୍ତିକୁ ସମ୍ମାନ ଜଣାଇଛି। ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରମ କହିଛନ୍ତି ଯେ ଜେଲେନସ୍କି ହେଉଛନ୍ତି ସ୍ବାଧୀନତା, ସାହସ ଓ ସମ୍ମାନର ପ୍ରତୀକ।

Spread the love