ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ଫାଇନାଲରେ ଓଡ଼ିଶା
ଭୁବନେଶ୍ବର : କର୍ଣ୍ଣାଟକର ବାଙ୍ଗାଲୋରରେ ଚାଲିଥିବା ଦ୍ବିତୀୟ ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଓଡ଼ିଶା ୧୨୯ରନରେ ଦିଲ୍ଲୀକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ବିନା ୱିକେଟରେ ୧୮୭ରନ କରିଥିଲା। ଝିଲି ବିରୁଆ ୪୯ବଲରୁ ୧୦ଟି ଚୌକା ସହ ୯୩ ଓ ରଚନା ଜେନା ୪୨ଟି ବଲରୁ ୯ଟି ଚୌକା ସହ ୮୨ରନ କରି ଅପରାଜିତ ରହିଥିଲେ। ଜବାବରେ ଦିଲ୍ଲୀ ୧୧.୨ ଓଭରରେ ୫୮ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଓଡ଼ିଶା ପକ୍ଷରୁ ପ୍ରଭାତୀ ଟୁଡୁ ୨ଟି ଓ ଯମୁନାରାଣୀ ଟୁଡୁ ଗୋଟିଏ ୱିକେଟ ନେଇଥିଲେ। ଝିଲି ବିରୁଆ ପ୍ଳେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ସେହିପରି ଦ୍ବିତୀୟ ସେମିଫାଇନାଲରେ କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।ଓଡ଼ିଶା ୨୦୧୯ରେ ଆୟୋଜିତ ପ୍ରଥମ ଜାତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ପ୍ରତିଯୋଗିତାରେ ଦିଲ୍ଲୀକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ଓଡ଼ିଶା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାଶ,ପ୍ରକାଶ କୁମାର ରଥ, ଚନ୍ଦ୍ରଶେଖର ପଟ୍ଟନାୟକ, ହାଇଟେକ ଗ୍ରୁପ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ବିରଞ୍ଚି ନାରାୟଣ ସାହୁ, ଯୋଗେନ୍ଦ୍ର ଜାନି, ପ୍ରଜ୍ଞାନ ପ୍ରତିମା ବେହେରା, ଅଶୋକ ସାହୁ ପ୍ରମୁଖ ଫାଇନାଲ ମ୍ୟାଚ ଲାଗି ଓଡ଼ିଶା ଦଳକୁ ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଛନ୍ତି।