କାଶ୍ମୀରର କଳା ଦିନ ସରିଯାଇଛି : ମୋଦି

ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଧାରା ୩୭୦ ଉଚ୍ଛେଦର ମୁଖ୍ୟ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ଭାରତୀୟ ଗଣତନ୍ତ୍ର ଓ ସାମ୍ବିଧାନିକ ବ୍ୟବସ୍ଥାରେ ଜାମ୍ମୁ-କାଶ୍ମୀର ସମ୍ପୂର୍ଣ୍ଣ ସାମିଲ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିଜର ଖୁସି ଓ ବିଶ୍ୱାସ ବାଣ୍ଟିଛନ୍ତି । ଜାମ୍ମୁ, କାଶ୍ମୀର ଓ ଲଦାଖବାସୀ ବିକାଶର ଶୀର୍ଷ ଦେଖିବେ ବୋଲି ଭରସା ଦେଇଛନ୍ତି ମୋଦି । ଶିକ୍ଷା, ସ୍ୱାସ୍ଥ୍ୟ, କର୍ମନିଯୁକ୍ତିରେ ସ୍ଥାନୀୟ ବାସିନ୍ଦା ନୂଆ ସୋପାନ ଦେଖିବେ । ସେମାନଙ୍କ ଦ୍ୱାରା ମନୋନୀତ ସରକାର ରାଜ୍ୟର ବିକାଶକୁ ଆଗେଇ ନେବ । ସମ୍ବିଧାନରେ ପ୍ରଦତ୍ତ ମୌଳିକ ସୁବିଧାରୁ ଆଉ କେହି ବଞ୍ଚିତ ହେବେ ନାହିଁ । ଦୀର୍ଘ ୩୮ ମିନିଟ୍ ଧରି ଦେଶବାସୀଙ୍କୁ ତାଙ୍କ ଉଦବୋଧନରେ କାଶ୍ମୀର ବିକାଶର ଲମ୍ବା ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଧାରା ୩୭୦ ଓ ୩୫(ଏ) କାଶ୍ମୀରକୁ କିଭଳି ଧ୍ୱଂସମୁଖୀ କରିଥିଲା ତାହା ଅବତାରଣ କରିଥିଲେ ମୋଦି ।  ଭାରତକୁ ନଷ୍ଟଭ୍ରଷ୍ଟ କରିବା ପାଇଁ ଏହା ପାକିସ୍ଥାନର ଅସ୍ତ୍ର ଥିଲା । ଆତଙ୍କବାଦ ଓ ଭ୍ରଷ୍ଟାଚାରକୁ ଭରପୂର ପ୍ରୋତ୍ସାହନ ଦେଉଥିଲା । କାଶ୍ମୀରରେ ଗତ ୩୦ ବର୍ଷ ଭିତରେ ୪୨ ହଜାର ନିରୀହ ଲୋକଙ୍କ ଜୀବନ ଯାଇଛି । ଭାରତର ପାର୍ଲିଆମେଣ୍ଟ ଲୋକଙ୍କ ମଙ୍ଗଳ ପାଇଁ ଆଇନ ତିଆରି କରେ । ମାତ୍ର ଏହି ଆଇନ ପାଇବାରୁ କାଶ୍ମୀରବାସୀ ବଞ୍ଚିତ ହେଉଥିଲେ । ଦେଶବାସୀଙ୍କ କଲ୍ୟାଣ ପାଇଁ ସମ୍ବିଧାନରେ ସବୁ ବ୍ୟବସ୍ଥା ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ, କାଶ୍ମୀରର ସେହି କଳା ଦିନ ସରିଯାଇଛି । ନୂଆ ବ୍ୟବସ୍ଥାରେ ସେସବୁକୁ ପ୍ରାଥମିକତା ଦିଆଯିବ । ରାଜ୍ୟ ସରକାରୀ କର୍ମଚାରୀ ଓ ପୁଲିସକୁ କେନ୍ଦ୍ର ଶାସିତ ରାଜ୍ୟର ସବୁ ସୁବିଧା ମିଳିବ । ଚାକିରୀରେ ଖାଲି ଥିବା ପଦବୀଗୁଡ଼ିକର ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସ୍ଥାନୀୟ ଯୁବକଙ୍କୁ କର୍ମନିଯୁକ୍ତି, ରୋଜଗାରର ସୁବିଧା ଦିଆଯିବ । ସେନା, ଅର୍ଦ୍ଧ ସାମରିକ ବାହିନୀରେ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଦିଆଯିବ । ଭୋଟ ଅଧିକାର ସମସ୍ତଙ୍କୁ ଦିଆଯିବ । ଆପଣଙ୍କ ଜନପ୍ରତିନିଧି ଆପଣଙ୍କ ଦ୍ୱାରା ନିର୍ବାଚିତ ହେବେ । ନୂଆ ବ୍ୟବସ୍ଥାରେ ଜାମ୍ମୁ-କାଶ୍ମୀର ଆତଙ୍କବାଦ କବଳରୁ ମୁକ୍ତ ହେବ । ବିକାଶର ନୂଆ ଉଚ୍ଚାକୁ ପାର କରି ବିଶ୍ୱକୁ ଆକର୍ଷିତ କରିବ ।
ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ କାଶ୍ମୀରକୁ ଭାରତର ଟୁରିଜିମ୍ କ୍ୟାପିଟାଲ୍ ଭାବେ ଗଢ଼ି ତୋଳିବାର ସ୍ୱପ୍ନ ଦେଇଥିଲେ । ଫିଲ୍ମ ସୁଟିଂ, ସ୍ପୋଟର୍ସ ପାଇଁ ଏହି ଇଲାକାର ଭରପୁର ଉପଯୋଗ ପାଇଁ ପରାମର୍ଶ ଦେଇଥିଲେ । କାଶ୍ମୀର ଯୁବକ ନୂଆ ଆଶା, ନୂଆ ଶକ୍ତି ଏବଂ ନୂଆ ସ୍ୱପ୍ନ ସହ ଆଗକୁ ବଢ଼ିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କାଶ୍ମୀରୀବାସୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଥିଲେ । ଆସନ୍ତୁ, ଆମେ ଭାରତୀୟ ମିଶି ଦୁନିଆକୁ ଆମ ମାଟିର ତାକତ୍ ଦେଖାଇବା । ନୂଆ କାଶ୍ମୀରୀ, ନୂଆ ଭାରତରେ ସାରା ବିଶ୍ୱ ଦେଖିବ ବିକାଶର ଚିତ୍ର । ଜାମ୍ମୁ-କାଶ୍ମୀରୀ ଆମ ଦେଶର ମୁକୁଟ ହେବ ବୋଲି ଭରସା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।
Spread the love