ବିଦ୍ୟାଳୟ, ମହାବିଦ୍ୟାଳୟକୁ ଜମିପଟ୍ଟା ବଣ୍ଟନ

 

ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୬ ହଜାର ୩୭ ବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ ଓ ମହାବିଦ୍ୟାଳୟ ଜମି ପଟ୍ଟା ପାଇଁ ଆବେଦନ କରିଥିଲେ। ଏହି ଆବେଦନ ପତ୍ରକୁ ୩୧୭ ତହସିଲଦାର ବିଚାର କରିବା ସହ ଏଯାବତ୍‌ ପ୍ରାୟ ୨ ହଜାର ଜମି ପଟ୍ଟା ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କୁ ହସ୍ତାନ୍ତର କରିଛନ୍ତି।

ବିଦ୍ୟାଳୟରେ ଜମି ପଟ୍ଟା ନ ଥିବାରୁ ଭିତ୍ତିଭୂମି ବିକାଶ ସହ ଅନ୍ୟ ଉନ୍ନୟନମୂଳକ କାମ ଆଗେଇପାରୁନି। ପାଚେରି ନିର୍ମାଣ ହୋଇ ପାରୁ ନଥିବାବେଳେ ସରକାରୀ ଅର୍ଥ ଖର୍ଚ୍ଚ ନ ହୋଇ ଫେରୁଛି। ଅନୁରୂପ ଭାବେ ମହାବିଦ୍ୟାଳୟ ସ୍ତରରେ ମଧ୍ୟ ସମାନ ସ୍ଥିତି ରହିଛି। ମହାବିଦ୍ୟାଳୟରେ ନାକ୍‌ ମାନ୍ୟତା ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଭିତ୍ତିଭୂମି ବିକାଶ ହୋଇପାରୁନି।

 

ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗ ଏବଂ ରାଜସ୍ବ ବିଭାଗ ପକ୍ଷରୁ ଗତ ଜାନୁୟାରୀ ମିଳିତ ସମୀକ୍ଷା ବୈଠକ କରାଯିବା ସହ ଏନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। ରାଜ୍ୟରେ ମୋଟ ପ୍ରାୟ ୧୦ ହଜାର ବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ ଓ ମହାବିଦ୍ୟାଳୟର ଜମି ପଟ୍ଟା ନ ଥିବା ନେଇ ଚିହ୍ନଟ କରାଯାଇଥିଲା। ତନ୍ମଧ୍ୟରୁ ପ୍ରାୟ ୪ ହଜାର ଶିକ୍ଷାନୁଷ୍ଠାନ ଏଯାବତ୍‌ ଆବେଦନ କରିନାହାନ୍ତି। କିସମ ପରିବର୍ତ୍ତନ ହେବାକୁ ଥିବାରୁ ବହୁ ଆବେଦନପତ୍ର ବିଚାରାଧୀନ ରହିଛି। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଅଧିକାରୀ ବ୍ୟସ୍ତ ଥିବା ଯୋଗୁଁ ପଟ୍ଟା ପ୍ରଦାନ କାର୍ଯ୍ୟ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି। ଚଳିତ ମାସ ଶେଷ ସୁଦ୍ଧା ପ୍ରାୟ ୩୮୦୦ ଶିକ୍ଷାନୁଷ୍ଠାନକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁଜମି ପଟ୍ଟା ପ୍ରଦାନ କରାଯିବ। ଏନେଇ ସମସ୍ତ ତହସିଲଦାର ଓ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୋଗଙ୍କୁ ନିର୍ଦେଶ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ଶାସନ ସଚିବ।

ସ୍ଥାନୀୟ ତହସିଲଦାର ବିବାଦ ଥିବା ଶିକ୍ଷାନୁଷ୍ଠାନ ଗସ୍ତ କରି ସେଠାରେ ମାପ କରିବା ସହ କିଭଳି ଶୀଘ୍ର ପଟ୍ଟା ମିଳିବ ସେ ଦିଗରେ ପଦକ୍ଷେପ ନେବେ। ଚଳିତ ମାସ ଆବଣ୍ଟିତ ଜମି ପଟ୍ଟା ପ୍ରଦାନରେ ସର୍ବାଗ୍ରେ ରହିଛି ବୌଦ୍ଧ ଜିଲା। ବୌଦ୍ଧ ଜିଲାରେ ମୋଟ ୪୬୩ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ପ୍ରଦାନ କରିଥିବାବେଳେ ଗଞ୍ଜାମର ୨୧୫, ବାଲେଶ୍ବରର ୧୩୮, ମୟୂରଭଞ୍ଜର ୧୦୪ ଏବଂ କେନ୍ଦ୍ରାପଡ଼ାର ୮୦ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ଜମି ପଟ୍ଟା ଦିଆଯାଇଛି। ଆସନ୍ତା ଏପ୍ରିଲରେ ପଟ୍ଟା ପାଇ ନଥିବା ପ୍ରାୟ ୪ ହଜାର ବିଦ୍ୟାଳୟକୁ ଚିହ୍ନଟ କରିବା ସହ କିଭଳି ପଟ୍ଟା ପ୍ରଦାନ କରାଯିବ ସେ ଦିଗରେ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ଯୋଜନା କରାଯାଇଛି।

ସୂଚନାଯୋଗ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଅଧିକାରୀ ମିଳିତ ଭାବେ ସମନ୍ବୟ ରଖିବା ସହ କିଭଳି ଜମି ପଟ୍ଟା ମିଳିବ ସେନେଇ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଉଛି।

 

 

Spread the love