ଭାରତର ଚତୁର୍ଥ ଟିକା କୋଭୋଭାକ୍ସକୁ ଅନୁମତି

ନୂଆଦିଲ୍ଲୀ : ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)ର କରୋନା ଟିକା କୋଭୋଭାକ୍ସକୁ ଭାରତର ଔଷଧ ନିୟାମକ ସର୍ତ୍ତମୂଳକ ମଞ୍ଜୁରି ଦେଇଛନ୍ତି। ସୀମିତ ଜରୁରୀକାଳୀନ ସ୍ଥିତିରେ ୧୨ରୁ ୧୭ ବର୍ଷ ବର୍ଗଙ୍କୁ  ଦେବାକୁ ଅନୁମତି ମିଳିଛି। ଏହା ୧୮ ବର୍ଷରୁ କମ୍‌ ବୟସ୍କଙ୍କ ଲାଗି ମଞ୍ଜୁରି ମିଳିଥିବା ଭାରତର ଚତୁର୍ଥ ଟିକା। ଗତ ସପ୍ତାହରେ କୋଭୋଭାକ୍ସକୁ ଜରୁରୀକାଳୀନ ଅନୁମତି ଦେବା ଲାଗି ସିଡିଏସସିଓର କରୋନା ବିଶେଷଜ୍ଞ କମିଟି ସୁପାରିସ କରିବା ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଏହାକୁ ମଞ୍ଜୁରି ଦେଇଛନ୍ତି। କୋଭୋଭାକ୍ସ ଟିକା ପ୍ରସ୍ତୁତ ପାଇଁ ଆମେରିକାର ନୋଭୋଭାକ୍ସ କମ୍ପାନୀ ବୈଶ୍ବିକ ସହାୟତା ଯୋଗାଇ ଦେଇଛି।

ବିଭିନ୍ନ ରାଷ୍ଟ୍ରରେ ପରୀକ୍ଷଣ ବେଳେ ଏହି ଟିକା ୯୦ ପ୍ରତିଶତ ପ୍ରଭାବୀ ବୋଲି ଜଣାପଡିଛି। ତେଣୁ ଭାରତରେ କୋଭୋଭାକ୍ସ ମଧ୍ୟ ଯଥେଷ୍ଟ ପ୍ରଭାବୀ ରହିବ ବୋଲି ଏସଏସଆଇର ସିଇଓ ଅଦର ପୁନାୱାଲା ଟ୍ବିଟ କରି କହିଛନ୍ତି। ଏ ପର୍ଯ୍ୟନ୍ତ ୧୫ ବର୍ଷରୁ କମ ବୟସର ଶିଶୁଙ୍କୁ କରୋନା ଟିକା ଦେବାଲାଗି ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏସଆଇଆଇର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହଙ୍କ ଅନୁଯାୟୀ ୧୨ରୁ ୧୭ ବର୍ଷ ବୟସର ୨୭୦୭ ଶିଶୁଙ୍କ ଉପରେ ଏହି ଟିକା ପରୀକ୍ଷଣ କରାଯାଇଥିଲା। ଏହା ଅତ୍ୟଧିକ ପ୍ରଭାବୀ ଏବଂ ସୁରକ୍ଷିତ ବୋଲି ଏଥିରୁ ଜଣାପଡିଥିଲା।

Spread the love