ଅନୁଷ୍ଠିତ ହେଲା ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ, ଜାତୀୟ ସୁରକ୍ଷା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୩।୩: ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରିପ୍ରେକ୍ଷୀରେ ବଦଳୁଥିବା ବିଶ୍ୱ ପରିଦୃଶ୍ୟକୁ ନଜରରେ ରଖି ରବିବାର ନୂଆଦିଲ୍ଲୀରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର, ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ପ୍ରମୁଖ ଯୋଗ ଦେଇଥିଲେ।

ବୈଠକରେ ଋଷିଆର ୟୁକ୍ରେନ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ପାର୍ଥୀବ ଶରୀର ଏ ପର୍ଯ୍ୟନ୍ତ ଭାରତ ଅଣାଯାଇ ପାରିନଥିବାରୁ ଏଥିଲାଗି ହର ସମ୍ଭବ ପ୍ରୟାଶ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ଯୁଦ୍ଧକୁ ନେଇ ବଦଳୁଥିବା ପରିଦୃଶ୍ୟରେ ଭାରତର ସୁରକ୍ଷା ସମୀକ୍ଷା ମଧ୍ୟ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ଭାରତର ସୀମାବର୍ତ୍ତି ଅଞ୍ଚଳ ସମେତ ଭାରତର ସୁରକ୍ଷା ପ୍ରସ୍ତୁତି ନେଇ ମନ୍ତ୍ରୀ ଓ ଅଧିକାରୀମାନେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି।

ଏଥିରେ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ବାହାର କରିବା ଲାଗି ଚଳାଯାଇଥିବା ଅପରେସନ ଗଙ୍ଗାର ବିବରଣୀ ମଧ୍ୟ ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ଏହି ଉଦ୍ଧର ଅପରେସନରେ ପଡୋଶୀ ଦେଶମାନଙ୍କର କିଛି ନାଗରିକଙ୍କୁ ମଧ୍ୟ ସଫଳତାର ସହ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦିଆଯାଇଛି। ଗତମାସ ୨୪ ତାରିଖରେ ଋଷିଆ ୟୁକ୍ରେନ ବିରୋଧରେ ଯୁଦ୍ଧଘୋଷଣା କରିଥିଲା। ସେବେଠାରୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଅନେକ ଉଚ୍ଚସ୍ତରୀୟ ବୈଠକ କରିସାରିଲେଣି। ଏଥିରେ ରବିବାର ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ ମନ୍ତ୍ରୀମଣ୍ଡଳ ବୈଠକରେ ମଧ୍ୟ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଛି।

Spread the love