ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ପାଇଁ ପ୍ରଶାସନ ପ୍ରସ୍ତୁତ, ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଏବଂ ଅଂଶୁଘାତର ମୁକାବିଲା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି  । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପ୍ରସ୍ତୁତି କମିଟି ବୈଠକର ଆଲୋଚନାରୁ ଏହା ଜଣାପଡ଼ିଛି  । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ଼ରେ ଅନୁଷ୍ଠିତ ବୈଠକରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଗ୍ରୀଷ୍ମ ପ୍ରବାହ ମୁକାବିଲା ସମ୍ବନ୍ଧିତ କାର୍ଯ୍ୟପନ୍ଥା ଆଲୋଚନା ନିମନ୍ତେ ଉପସ୍ଥାପନା କରିଥିଲେ  ।

ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା ଅନୁଷ୍ଠାନମାନଙ୍କରେ ଅଂଶୁଘାତ ଚିକିତ୍ସା, ବନାଗ୍ନି ନିରୋଧ ଆଦି ବ୍ୟବସ୍ଥାକୁ ପୁନଃ ପରଖିବା ସହ ସେସବକୁ ପୂର୍ଣ୍ଣ କର୍ମକ୍ଷମ ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ସମସ୍ତ ପାନୀୟ ଜଳ ଉତ୍ସବର ବିଶୁଦ୍ଧିକରଣ ସହ ନିୟମିତ ଯାଞ୍ଚ ଓ ଆବଶ୍ୟକ ସ୍ଥଳେ ଆଶୁ ମରାମତି ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି  ।

ନଳକୂପ ଓ କୁଅ ଆଦି ନିକଟରେ ପଶୁପକ୍ଷୀମାନଙ୍କୁ ନିମନ୍ତେ ଜଳକୁଣ୍ଡ, ଜଙ୍ଗଲରେ ବୋହୁଥିବା ଝରଣାରେ ବାଲି ବସ୍ତା ଦେଇ ଛୋଟ ଛୋଟ ଆଡ଼ିବନ୍ଧ ନିର୍ମାଣ, ଆବଶ୍ୟକସ୍ଥଳେ ଜଳକୁଣ୍ଡ ସ୍ଥାପନ ଆଦି ଉପକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ ଦେଇଛନ୍ତି  । ସହର ଓ ଗ୍ରାମାଞ୍ଚଳରେ ନିଜ ନିଜ ବାସଗୃହ ନିକଟରେ ପଶୁ ପକ୍ଷୀଙ୍କ ପାଇଁ ଜଳକୁଣ୍ଡ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି  ।

Spread the love