ଷ୍ଟିଲସିଟି ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ, ପୁରୁଷ ହକି ବିଶ୍ୱକପ ପାଇଁ ଷ୍ଟାଡିୟମର କଲେ ସମୀକ୍ଷା

ରାଉରକେଲା ୧୮/୦୩ : ରାଉରକେଲା ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ତାଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଗସ୍ତ କରିଛନ୍ତି । ପୁରୁଷ ହକି ବିଶ୍ୱକପ ପାଇଁ ହକି ଷ୍ଟାଡିୟମ ବୁଲି କରିଛନ୍ତି ସମୀକ୍ଷା । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ଜାନୁଆରୀରେ ରାଉରକେଲାରେ ଅନୁଷ୍ଠିତ ହେବ ବିଶ୍ୱ ପୁରୁଷ ହକି ବିଶ୍ବକପ । ତାଙ୍କ ସହ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଡ୍କୋ ଏମ୍ଡି ଭୁପିନ୍ଦର ସିଂ ପୁନିଆ ମଧ୍ୟ ଗସ୍ତ କରିଛନ୍ତି । ଶନିବାର ସକାଳ ୧୦ଟା ୧୫ ମିନିଟ୍‌ ସମୟରେ ଏକ ବିମାନ ଯୋଗେ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ୫-ଟି ସଚିବ, କ୍ରୀଡ଼ା ସଚିବ ଓ ଇଡ୍‌କୋ ଏମ୍‌ଡି ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ ।

ସେଠାରୁ ସିଧାସଳଖ ବିପିୟୁଟି ପରିସରରେ ନିର୍ମାଣ ଚାଲିଥିବା ହକି ଷ୍ଟାଡିୟମ, ଅଭ୍ୟାସ ପଡ଼ିଆ ଆଦି ବୁଲି ଦେଖିବା ସହ ଏହାର ସମୀକ୍ଷା କରିଛନ୍ତି । ସେଠାରେ ଏହି ବରିଷ୍ଠ ଉଚ୍ଚ ପଦାଧିକାରୀମାନେ ପ୍ରାୟ ଦୁଇ ଘଣ୍ଟା ରହିବା ପରେ ଅପରାହ୍ନରେ ଭୁବନେଶ୍ୱର ଫେରିଛନ୍ତି । ସୂଚନା ଅନୁସାରେ ଅଭ୍ୟାସ ପଡ଼ିଆର କାମ ପ୍ରାୟ ୮୦ ଭାଗ ସରି ଯାଇଥିବା ବେଳେ ଆଷ୍ଟ୍ରୋ ଟର୍ଫ ବିଛା ହେବାକୁ ବାକି ରହିଛି ।

ସେହିପରି ବିର୍ସା ମୁଣ୍ଡା ହକି ଷ୍ଟାଡିୟମର କାମ ଜୋରସୋରରେ ଚାଲିଛି । ବର୍ତ୍ତମାନ ପଡ଼ିଆ ଖୋଳା କାମ ବାକି ରହିଛି । ଯେଉଁଠାରେ ଆଷ୍ଟ୍ରୋ ଟର୍ଫ ପିଛା ହେବ । ପଡ଼ିଆ ଖୋଳା ଯିବା ପରେ ଠିକାସଂସ୍ଥାକୁ ହସ୍ତାନ୍ତର କରାଯିବ । ଏହା ପରେ ଆଷ୍ଟ୍ରୋ ଟର୍ଫ ବିଛା କାମ ଆରମ୍ଭ ହେବ । ଚଳିତ ବର୍ଷ ଜୁଲାଇ କିମ୍ବା ଅଗଷ୍ଟ ମାସ ଶେଷ ସୁଦ୍ଧା ସମସ୍ତ କାମ ଶେଷ କରାଯିବା ଲାଗି ଧାର୍ଯ୍ୟ କରାଯାଇଛି।

ଆଷ୍ଟ୍ରୋ ଟର୍ଫ ବିଛାଇବା ଲାଗି ଅତିକମ୍‌ରେ ଏକ ମାସରୁ ଦେଢ଼ ମାସ ସମୟ ଲାଗିବ । ଆଷ୍ଟ୍ରୋ ଟର୍ଫ ବିଛା ହେବା ପରେ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ତେବେ ଆସନ୍ତା ବର୍ଷ ଜାନୁଆରୀ ମାସରେ ପୁରୁଷ ହକି ବିଶ୍ୱକପ୍‌ର ମ୍ୟାଚ୍‌ ନିଶ୍ଚିତ ଭାବେ ରାଉରକେଲାରେ ଖେଳା ଯିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି । ଗତବର୍ଷ ଫେବ୍ରୁଆରୀ ମାସ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ରାଉରକେଲା ଗସ୍ତରେ ଆସି ବିପିୟୁଟି ପରିସରରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ ଲାଗି ଶିଳାନ୍ୟାସ କରିଥିଲେ ।

Spread the love