ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ଇମ୍ରାନ ?

ଲାହୋର, ୨୦/୦୩: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ଇମ୍ରାନଙ୍କ  ଗାଦି ଉପରେ ବିପଦର କଳାବାଦଲ ଏବେବି ରହିଛି । ବିରୋଧିମାନେ ତାଙ୍କୁ ଲଗାତର ଭାବେ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ପ୍ରୟାସ କରୁଛନ୍ତି । ପାକିସ୍ତାନ ସମ୍ବିଧାନ ଅନୁସାରେ, ଯଦି ନ୍ୟାଶନାଲ ଆସେମ୍ବଲୀରେ ଅଧିକାଂଶ ସଦସ୍ୟ ଅନାସ୍ଥା ପ୍ରସ୍ତାବରେ ମତଦାନ କରନ୍ତି ତେବେ ଇମ୍ରାନଙ୍କୁ ଇସ୍ତଫା ଦେବାକୁ ପଡିବ । ତେବେ ଅନାସ୍ଥା ପ୍ରସଙ୍ଗରେ ଆସନ୍ତା ୨୮ରେ ଭୋଟିଂ ହେବ ।

କୁହାଯାଉଛି ଯେ, ଅନାସ୍ଥା ପ୍ରସ୍ତାବ ଦିନ ପାକିସ୍ତାନରେ ହିଂସାକାଣ୍ଡ ଘଟିପାରେ । କାରଣ ଗତ ୧୦ ତାରିଖରେ ପାକସ୍ତାନୀ ପୋଲିସ ଅନେକ ନେତା ଓ ସାଂସଦଙ୍କୁ ଅଟକ ରଖିଥିଲା । ଏହାପରେ ଦେଶର ଜଣେ କ୍ୟାବିନେଟ୍ ମନ୍ତ୍ରୀ ବୋମା ପକାଇ ବିରୋଧିଙ୍କୁ ଉଡାଇ ଦେବେ ବୋଲି ଧମକ ଦେଇଥିଲେ । ସେହିପରି ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭୋଟିଂ ଦିନ ନିଜ ସମର୍ଥକଙ୍କ ସହ ଇସଲାମାବାଦ ଆସିବେ । ଯିଏ ଇମ୍ରାନଙ୍କ ବିରୋଧରେ ଭୋଟ୍ ଦେବେ ସେମାନଙ୍କୁ ବିରୋଧ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ ।

ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାଓ୍ୱଲ ଭୁଟୋ ଜରଦାରୀ ଶନିବାର କହିଥିଲେ ଯେ, ଅନାସ୍ଥା ଭୋଟ୍ ଦିନ ଅନେକ ବେଆଇନ କାର୍ଯ୍ୟ ହୋଇପାରେ । ଏପରିକି ବାଚସ୍ପତି ସମ୍ବିଧାନ ବିରୋଧରେ ଯାଇପାରନ୍ତି । ଏତିପାଇଁ ସତର୍କ ରହିବାକୁ ହେବ ବୋଲି ସେ କହିଥିଲେ ।

Spread the love