୩ମାସ ବଢିଲା AIIMS ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ ୨୩।୩: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍)ଙ୍କ ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ ୩ ମାସ ସମ୍ପ୍ରସାରିତ ହୋଇଛି। ୨୪ ମାର୍ଚ୍ଚ ଗୁରୁବାର ଡା. ଗୁଲେରିଆ ଚାକିରୀରୁ ଅବସର ନେବା କଥା। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏମସଙ୍କ ନୂଆ ନିର୍ଦ୍ଦେଶକଙ୍କ ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଅଥବା ଆଗାମୀ ୩ ମାସ ପର୍ଯ୍ୟନ୍ତ ଡା. ଗୁଲେରିଆଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଥିବା ସୂଚିତ କରିଛନ୍ତି।

ଗୋଟିଏ ପଟେ ଏମସ୍‌  ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଥିବା ବେଳେ ଅପରପଟେ ନୂଆ ନିର୍ଦ୍ଦେଶକ ମନୋନୟନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏଥିଲାଗି ୪ ସଦସୀୟ କମିଟି ଗଠନ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ନୂଆ ନିର୍ଦ୍ଦେଶକଙ୍କ ମନୋନୟନ ହେବ ବୋଲି କୁହାଯାଇଛି। ନୂଆ ନିର୍ଦ୍ଦେଶକଙ୍କ ମନୋନୟନ କମିଟି ମୋଟ ୩୨ଜଣଙ୍କ ନାମ ଉପରେ ଏବେ ବିଚାର କରୁଥିବା ଜଣାପଡିଛି।

ଚୟନ କମିଟି ଆଇସିଏମଆର ମହାନିର୍ଦ୍ଦେଶକଙ୍କ ସମେତ ମୋଟ ୩୨ ଜଣଙ୍କ ନାମ ବିଚାରକୁ ନେଇଛନ୍ତି। ଏହି କମିଟିରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନ, ଦିଲ୍ଲୀ ବିଶ୍ୱବିଦ୍ୟାଳୟଙ୍କ ଭାଇସ ଚାନସେଲର ପ୍ରଫେସର ୟୋଗେଶ ସିଂହ, ଜୈବ ପ୍ରାଦ୍ୟୋଗିକ ବିଭାଗଙ୍କ ସଚିବ ସଦସ୍ୟ ଥିବା ବେଳେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କମିଟିର ସଂଯୋଜନା କରୁଛନ୍ତି।

Spread the love