ଉତ୍ତରାଖଣ୍ଡର ୧୨ମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି

ଡେରାଡୁନ ୨୩।୦୩: ଉତ୍ତରାଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି। ରାଜ୍ୟପାଳ ଗୁରମିତ ସିଂହ ଧାମିଙ୍କ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କ୍ରମାଗତ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିଛନ୍ତି ପୁଷ୍କର ସିଂହ ଧାମି। ୨୦୨୨ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ହାଇକମାଣ୍ଡ ଧାମିଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲେ।

ଧାମିଙ୍କ ସହିତ ଆଠ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଏଥିରେ ଅଛନ୍ତି ସତପାଲ ମହାରାଜ, ଧନ ସିଂହ ରାଓ୍ଵତ, ସୁବୋଧ ଉନିୟାଲ, ଗଣେଶ ଯୋଶୀ, ରେଖା ଆର୍ଯ୍ୟ ଏବଂ ପ୍ରେମଚନ୍ଦ୍ର ଅଗ୍ରଓ୍ଵାଲ। ସିତାରଗଞ୍ଜରୁ ବିଧାୟକ ସୌରଭ ବହୁଗୁଣା ଏବଂ ବାଗେଶ୍ଵରର ବିଧାୟକ ଚନ୍ଦନ ରାମଙ୍କୁ ପ୍ରଥମ ଥର କ୍ୟାବିନେଟ୍‌ରେ ସାମିଲ୍ କରାଯାଇଛି।

ଶପଥ ଗ୍ରହଣ ସମାରୋହ ଡେରାଡୁନର ପରେଡ ଗ୍ରାଉଣ୍ଡରେ ଆୟୋଜିତ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହିତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନେକ ଭିଭିଆଇପି ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସମାରୋହ ପ୍ରଥମ ଥର ରାଜଭବନ ବାହାରେ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ କରାଯାଇଛି।

୨୦ ବର୍ଷର ଇତିହାସରେ ପ୍ରଥମ ଥର କୌଣସି  ରାଜନୈତିକ ଦଳ ଉତ୍ତରାଖଣ୍ଡରେ କ୍ରମାଗତ ସରକାର ଗଠନ କରିଛି। ୨୦୦୦ ମସିହା ନଭେମ୍ବରରେ ଉତ୍ତରାଖଣ୍ଡ ଗଠନ ପରେ ବିଜେପି ସରକାର ଗଢିଥିଲା। ହେଲେ ୨୦୦୨ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଢିଥିଲା। ୨୦୦୭ରେ ବିଜେପି ନିର୍ବାଚନ ଜିତି କ୍ଷମତାସୀନ ହୋଇଥିଲା। ୨୦୧୨ରେ ପୁଣି କଂଗ୍ରେସ ସରକାର ଗଢିଥିଲା। ୨୦୧୭ରେ ବିଜେପି ପ୍ରତ୍ୟାବର୍ତ୍ତନ କରିଥିଲା। ତେବେ ଏମିତି ପରମ୍ପରାକୁ ଭାଙ୍ଗି ପ୍ରଥମ ଥର ବିଜେପି ପୁଷ୍କର ସିଂହ ଧାମିଙ୍କ ନେତୃତ୍ଵରେ ୨୦୨୨ ନିର୍ବାଚନ ଜିତି ଇତିହାସ ରଚିଛି।

Spread the love