Air India ସମ୍ପର୍କରେ କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ : ଲୋକସଭାରେ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କ ୨୦୨୨-୨୩ ବାର୍ଷିକ ବଜେଟ୍ ଗୃହୀତ ହୋଇଛି। ଏଥିରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଗ ନେଇ ଗୃହରେ ଏୟାର ଇଣ୍ଡିଆ ବିନିବେଶର ଜବାବ ରଖିଛନ୍ତି। ସେ କହିଛନ୍ତି ଯେ ସରକାରୀ ବିମାନ କମ୍ପାନୀ ଦୈନିକ ୨୦ କୋଟି ଟଙ୍କା କ୍ଷତି କରୁଥିଲା, ଏଥିଲାଗି ଜନତାଙ୍କ କଷ୍ଟାର୍ଜିତ ଧନ ବ୍ୟୟ ହେଉଥିଲା। ଏବେ କମ୍ପାନୀରୁ ସରକାରଙ୍କ ଅଂଶ ବାହାର କରି ନିଆଯାଇଥିବାରୁ ସେ ବାବଦ ଅର୍ଥ ସାମାଜିକ ବିକାଶ କାର୍ଯ୍ୟରେ ସରକାର ନିବେଶ କରିପାରିବେ ବୋଲି ସିନ୍ଧିଆ କହିବା ସହ ୨୦୦୫-୦୬ ବର୍ଷ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବେଶ ସୁରୁଖୁରୁରେ କାରବାର କରୁଥିଲା। ସେତେବେଳେ କମ୍ପାନୀ ବାର୍ଷିକ ୧୪ କୋଟି ଟଙ୍କା ଲାଭରେ ଚାଲୁଥିଲା ବୋଲିି କହିଥିଲେ।

ଲାଭରେ ଚାଲୁଥିବାରୁ କମ୍ପାନୀ ୧୧୧ଟି ନୂଆ ବିମାନ କ୍ରୟ ଲାଗି ରାଜିନାମା ସ୍ୱାକ୍ଷର କରିଥିଲା। ଏଥିଲାଗି ଏୟାର ଇଣ୍ଡିଆକୁ ୫୫ ହଜାର କୋଟି ଟଙ୍କା ଋଣ କରିବାକୁ ପଡିଥିଲା। ପରେ ୨୦୧୩-୧୪ରେ ଏହାର ୧୫ଟି ବିମାନ ବିକ୍ରି କରିଦିଆଯାଇଥିଲା। କଥା କେବଳ ଏତିକିରେ ନଥିଲା ଏହି ସମୟରେ ଦୁଇ ଅଲଗା ବ୍ୟବସାୟୀକ ପରମ୍ପରାର ବିମାନ କମ୍ପାନୀଙ୍କୁ ବିଲୟ କରିଦିଆଯାଇଥିଲା। ଫଳରେ ଏୟାର ଇଣ୍ଡିଆ ସହ କ୍ଷତିରେ ଚାଲୁଥିବା ଇଣ୍ଡିଆନ ଏୟାରଲାଇନ୍ସ ମିଶିଯାଇଥିଲା। ଫଳରେ ଏପର୍ଯ୍ୟନ୍ତ ଲାଭରେ ଥିବା ଏୟାର ଇଣ୍ଡିଆର କ୍ଷତି ଆରମ୍ଭ ହୋଇଯାଇଥିଲା।

୨୦୦୭-୦୮ରୁ ୨୦୨୧-୨୨ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ବାର୍ଷିକ କ୍ଷତି ୩ହଜାରରୁ ୭ହଜାର ୫୦୦ କୋଟିକୁ ପହଞ୍ଚିଥିଲା। ଫଳରେ ମୋଟ କ୍ଷତିର ପରିମାଣ ୮୫ ହଜାର କୋଟି ଟଙ୍କାରେ ପହଞ୍ଚିଥିଲା। ଏଣୁ ଏୟାର ଇଣ୍ଡିଆ ଋଣରେ ବୁଡ଼ି ଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ସରକାରୀ ବିମାନ କମ୍ପାନୀର କ୍ଷତିକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ। ତେବେ କୌଣସି ମାର୍ଗରୁ ମଧ୍ୟ ସଫଳ ହୋଇପାରିନଥିଲା, ଏଣୁ ବିନିବେଶ ନିଷ୍ପତ୍ତି ନିଆଯାଇଥିଲା। ବିମାନ କମ୍ପାନୀର କ୍ଷତିରୁ ଜନତା ଓ ଦେଶ ଉଭୟକୁ ରକ୍ଷା କରିବା ଚିନ୍ତାର କାରଣ ପାଲଟିଥିଲା। ଏ ବାବଦେ ଖର୍ଚ୍ଚ ହେଉଥିବା ଅର୍ଥ ଉଜ୍ଜ୍ୱଳା ଓ ଜଲ ଜୀବନ ମିସନରେ ବ୍ୟୟ କରିବା ଲାଗି ଚାହିଁଥିଲେ ସରକାର।

ଏଥିରେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଭବିଷ୍ୟତ ନେଇ କରାଯାଇଥିବା ପ୍ରଶ୍ନର ମଧ୍ୟ ଜବାବ ରଖିଥିଲେ ସିନ୍ଧିଆ। କହିଥିଲେ ଯେ ଏ ବାବଦେ ଶେୟାର ଧାରକ ବୁଝାମଣାରେ ଏ ବାବଦେ ବିସ୍ତୃତ ଉଲ୍ଲେଖ ରହିଛି। ଏଥିରେ ପ୍ରଥମ ସର୍ତ୍ତ ଭାବେ କମ୍ପାନୀର କୌଣସି କର୍ମଚାରୀଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ଚାକିରୀରୁ ବାହାର କରାଯିବ ନାହିଁ। ସେହିପରି ପ୍ରଥମ ବର୍ଷ ପରେ ଯଦି କମ୍ପାନୀ କର୍ମଚାରୀଙ୍କୁ ହଟାଇବାକୁ ଚାହେଁ ତେବେ କର୍ମଚାରୀଙ୍କ ଲାଗି ସ୍ୱେଚ୍ଛାକୃତ ସେବା ନିବୃତ୍ତ ଯୋଜନା (ଭିଆରଏସ୍) ଲାଗୁ ହେବ। ତେବେ କାହାରିକୁ ଛଟେଇ କରାଯିବ ନାହିଁ ବୋଲି ସିନ୍ଧିଆ ଗୃହରେ ସ୍ପଷ୍ଟ କରିଦେଇଛନ୍ତି।

ସେହିପରି ସେବା ନିବୃତ୍ତ କର୍ମଚାରୀ ପୂର୍ବରୁ ପାଉଥିବା ସମସ୍ତ ସୁବିଧା ସୁଯୋଗ ପାଇପାରିବେ। ଯେପରିକି ସରକାରୀ ଚିକିତ୍ସା ସୁବିଧା ସେମାନଙ୍କୁ ପୂର୍ବ ଭଳି ଉପଲବ୍ଧ ହୋଇପାରିବ। ଉଲ୍ଲେଖଯୋଗ୍ୟ ଯେ ଟାଟା ସମୂହ ସାର୍ବଜନିକ କ୍ଷେତ୍ରର କମ୍ପାନୀ ଏୟାର ଇଣ୍ଡିଆର ମାଲିକାନା ହାସଲ କରିଛନ୍ତି। ଏବେ ଟାଟାଙ୍କ ଛାତ ତଳୁ ଏହାର ପରିଚାଳନା ହେବ।

Spread the love