ଆଇନଶୃଙ୍ଖଳା, ବିଜୁଳି ଓ ମଣ୍ଡି ସମସ୍ୟା, ତୃଟିପୂର୍ଣ୍ଣ ନିର୍ବାଚନ ପରିଚାଳନା ହେଉଛି ମୁଖ୍ୟ ପ୍ରସଙ୍ଗ: ମୋହନ ମାଝୀ

ଭୁବନେଶ୍ୱର,ତା.୨୪/୦୩: ଶାସକ ତୃଣମୁଳ କଂଗ୍ରେସ ସରକାରରେ ପଶ୍ଚିମବଙ୍ଗ ରାଜ୍ୟରେ ଘଟିଚାଲିଥିବା ରାଜନୈତିକ ଅସହିଷ୍ନୁତା ଏବଂ ହିଂସାତ୍ମକ ପନ୍ଥାକୁ ଆପଣାଇଛି ଶାସକ ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଗଂଜାମ ଜିଲ୍ଲା ଏବଂ ନିଜ ନିର୍ବାଚନମଣ୍ଡଳୀ ହିଂଜିଳିକାଟୁରେ ୪ ଜଣଙ୍କୁ ହତ୍ୟା କରାଗଲା । ଶାସକ ବିଜେଡିର ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଭଳି ଭାବେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାଙ୍କ ଉପରେ ଗାଡି ଚଢାଇ ହତ୍ୟା ଉଦ୍ୟମ କରିଥିଲେ, ତାହା ଅତ୍ୟନ୍ତ ଲଜ୍ଜାଜନକ । ଏଭଳି ଅମାନବୀୟ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ଯେଉଁ ଭଳି ଭାବେ ଶାସକ ବିଜେଡି ତରଫରୁ ସୁରକ୍ଷା ପ୍ରଦାନ କରାଯାଉଛି, ତାହା ଅହୁରି ଅଧିକ ଚିନ୍ତାଜନକ । ଫଟୋ ସାମ୍ବାଦିକ ମନୋଜ ସ୍ୱାଇଁ ହତ୍ୟାକାଣ୍ଡ ପ୍ରସଙ୍ଗ ଏବଂ ଏହି ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଖସାଇ ଦେବାର ଚକ୍ରାନ୍ତ ସମଗ୍ର ଓଡିଶାକୁ ଦୋହଲାଇ ଦେଇଛି । ପୋଲିସ ଓ ପ୍ରଶାସନକୁ ଆୟୁଧ କରି ଶାସକ ବିଜେଡି ନିର୍ବାଚନକୁ ହାତେଇବା ଏବଂ ରାଜ୍ୟ ନିର୍ବାଚନ କମିଶନ ଏହି ପ୍ରସଙ୍ଗରେ ନୀରବତା ଅବଲମ୍ବନ କରିବା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ଆଣିଛି । ପଂଚାୟତ ଓ ପୈାର ନିର୍ବାଚନରେ ବ୍ୟାପକ ମାତ୍ରାରେ ରାଜନୌତିକ ହିଂସାକାଣ୍ଡକୁ ଶାସକ ବିଜେଡି ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହିତ କରିବା କାରଣରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସେହିପରି ଘନ ଘନ ବିଜୁଳି କାଟ୍‌, ଏରିୟର ବକେୟା ପ୍ରଦାନ ନକଲେ ବିଜୁଳି ସଂଯୋଗ କାଟିଦେବା, ବକେୟା ବିଜୁଳି ଶୁଳ୍କ ଆଦାୟ ନାଁ ରେ ଗରୀବ ହିତାଧିକାରୀଙ୍କ ଉପରେ ଜୁଲମ କରିବା ଶାସକ ବିଜେଡିର ଜନବିରୋଧୀ ମାନସିକତାକୁ ପଦାରେ ପକାଇଛି । ଧାନ ମଣ୍ଡି ସମସ୍ୟା, ଟୋକନ ପ୍ରଦାନରେ ଅନିୟମିତତା ଆଦି ସମସ୍ୟାର ସମାଧାନ କରିବାରେ ଶାସକ ବିଜେଡି ସଂପୂର୍ଣ୍ଣ ବିଫଳ ହେବା କାରଣରୁ ସମଗ୍ର ଚାଷୀକୁଳ ଆଜି ହନ୍ତସନ୍ତ । ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେସନରେ ଏ ସମସ୍ତ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ଆଲୋଚନା କରିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ ସୁଚନା ଦେଇଛନ୍ତି ।
ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେସନ ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ନାଉରୀ ନାୟକ, ଡ.ମୁକେଶ ମହାଲିଙ୍ଗ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ଡ.ବୁଧନ ମୁର୍ମୁ, ଇଂ.ଗଣେଷ ରାମ ଖୁଂଟିଆ, ସନାତନ ବିଜୁଳି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସଙ୍କ ସମେତ ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ ।

Spread the love