ମାର୍ଚ୍ଚ ୩୧ରୁ ଆରମ୍ଭ ହେବ ମହଙ୍ଗାଇ ମୁକ୍ତ ଭାରତ ଅଭିଯାନ

ନୂଆଦିଲ୍ଲୀ ୨୬।୦୩: ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରୁଥିବା କଂଗ୍ରେସ ପାର୍ଟି ମହଙ୍ଗାଇ ପ୍ରସଙ୍ଗରେ ସରକାରଙ୍କୁ ଘେରି ନିଜର  ଜନାଧାର ଫେରି ପାଇବାକୁ ଉଦ୍ୟମ ଚଳାଇଛି। ଏହି କ୍ରମରେ କଂଗ୍ରେସ ମାର୍ଚ୍ଚ ୩୧ରରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଦେଶବ୍ୟାପୀ କେନ୍ଦ୍ର ସରକାରଙ୍କ ବିରୋଧରେ ମହଙ୍ଗାଇ ମୁକ୍ତ ଭାରତ ଅଭିଯାନ ଚଲାଇବ। ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁରଜେଓ୍ଵାଲା କହିଛନ୍ତି, ମୋଦୀ ସରକାର ଜନତାଙ୍କୁ କାଙ୍ଗାଳ କରି ନିଜ ଖଜାନା ଭରିବାରେ ଲାଗିଛନ୍ତି। ତେଣୁ ଦରବୃଦ୍ଧି ଏବଂ ଆକାଶଛୁଆଁ ତେଲ ଦାମ ପ୍ରତିବାଦରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଦେଶବ୍ୟାପୀ ପ୍ରଦର୍ଶନରେ ସାମିଲ୍ ହେବେ।

ସୁରଜେଓ୍ଵାଲା କହିଛନ୍ତି, ସରକାର କ୍ରମାଗତ ତେଲ ଦାମ ବଢାଇ ଲୋକଙ୍କ ପକେଟ୍‌ରୁ ଲୁଟି ଚାଲିଛନ୍ତି। କଣ ସରକାରଙ୍କୁ ଗରିବଙ୍କ ପ୍ରତି ତିଳେ ହେଲେ ଚିନ୍ତା ନାହିଁ ? ଗତ ପାଞ୍ଚ ଦିନରେ କ୍ରମାଗତ ଚତୁର୍ଥ ଦିନ ପେଟ୍ରୋଲ ଓ ଡିଜେଲ୍ ଦାମ ବୃଦ୍ଧି ଘଟିବା ନେଇ ସୁରଜେଓ୍ଵାଲା ବିଜେପିକୁ କଠୋର ଶବ୍ଦରେ ସମାଲୋଚନା କରିଛନ୍ତି। ବିଜେପି ପୂରା ଲଜ୍ଜାହୀନ ହୋଇ ଜନତାଙ୍କୁ ଲୁଟି ଚାଲିଛି।

ଅନ୍ୟପଟେ ରାହୁଲ ଗାନ୍ଧୀ କ୍ରମାଗତ ତୈଳ ଦର ବୃଦ୍ଧି ନେଇ ସରକାରଙ୍କୁ ଘେରି  ଚାଲିଛନ୍ତି। ରାହୁଲ  କହିଛନ୍ତି, ରାଜା ମହଲକୁ ଯିବାକୁ ପ୍ରସ୍ତୁତି ଚଲାଇଥିବା ବେଳେ ଜନତା ମହଙ୍ଗା ମାଡର ବୋଝ ତଳେ ଦବିବାରେ ଲାଗିଛନ୍ତି। ସୂଚନାଯୋଗ୍ୟ, ଗତ ପାଞ୍ଚ ଦିନରୁ ଚାରି ଦିନ ତେଲ ଦର ବୃଦ୍ଧି ଘଟିଛି। ଶନିବାର ମଧ୍ୟ ପେଟ୍ରୋଲ-ଡିଜେଲ୍ ଦର ଲିଟର ପିଛା ୮୦ ପଇସା ବଢିଛି। ଏହା ଉପରେ ସରକାରଙ୍କ ତର୍କ ଏହା ଯେ, ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ତେଲ ଦାମ ବଢିବାରେ ଲାଗିଛି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପରେ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ତେଲ ଦର ପାଇଁ ରୁଷ-ୟୁକ୍ରେନ ଯୁଦ୍ଧକୁ ଦାୟୀ କରିଛନ୍ତି।

Spread the love