ପୁଣି ସମ୍ପ୍ରସାରିତ ହେଲା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଅବଧି

ନୂଆଦିଲ୍ଲୀ ୨୬।୩:  ଭାରତ ସରକାର ଶନିବାର ଦେଶର ୮୦ କୋଟି ଜନତାଙ୍କୁ ଆଶ୍ୱସ୍ତ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅବଧି ସମ୍ପ୍ରସାରଣ କରିଛନ୍ତି। ଏହି ଯୋଜନାର କାର୍ଯ୍ୟକାଳ ଆଉ ୬ ମାସ ବଢାଇ ୩୦ ସେପ୍ଚେମ୍ବର ୨୦୨୨ ପର୍ଯ୍ୟନ୍ତ କରାଯାଇଛି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ଟ୍ୱିଟ୍‌ ବାର୍ତ୍ତାରେ ସୂଚିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍‌ରେ ‘ଭାରତର ସାମର୍ଥ୍ୟ ତାର ପ୍ରତ୍ୟେକ ନାଗରିକର ଶକ୍ତିରେ ରହିଛି। ଏହି ଶକ୍ତିକୁ ଆହୁରି ମଜଭୁତ କରିବା ପାଇଁସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶର ୮୦ କୋଟିରୁ ଅଧିକ ଲୋକେ ପୂର୍ବ ଭଳି ଯୋଜନାର ଲାଭ ନେଇପାରିବେ ’।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର କ୍ୟାବିନେଟ୍ ପିଏମଜିକେଏୱାଇକୁ ଆହୁରି ୬ ମାସ ସମ୍ପ୍ରସାରଣ କରିବା ଲାଗି ମଞ୍ଜୁର କରିଛନ୍ତି। ଏହା ପୂର୍ବରୁ ଏହି ଯୋଜନାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଥିଲା। ତେବେ ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦ୍ୱିତୀୟ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ରାଜ୍ୟରେ ଏହି ଯୋଜନାକୁ ଅଧିକ ୩ ମାସ ଲାଗି ସମ୍ପ୍ରସାରଣ କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ଶନିବାର ସନ୍ଧ୍ୟା ଟ୍ୱିଟ୍‌ ସାରା ଦେଶବାସୀଙ୍କୁ  ଆଶ୍ୱସ୍ତ କରିଛି।

ଉଲ୍ଲେଖଯୋଗ୍ୟ ଯେ ଦେଶରେ କୋରନା ଭାଇରସ ମହାମାରୀ ଲାଗି ଲକଡାଉନ କାଳରେ ପ୍ରଧାନମନ୍ତ୍ରୀ ନିତ୍ୟାନ୍ତ ଆବଶ୍ୟକ କରୁଥିବା ଲୋକଙ୍କ ଲାଗି ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ। ଯାହାକି ଲକଡାଉନ କାଳରେ କାମଧନ୍ଦା ହରାଇ ଖାଲିହାତରେ ଘରେ ବସିଥିବା ଲୋକଙ୍କ ଲାଗି ବେଶ ସହାୟକ ହୋଇଥିଲା। ୨୦୨୦ ଓ ୨୦୨୧ରେ କରୋନା ଦେଶରେ ବିତ୍ପାତ ରଚିଥିଲା। ଏଥିରେ ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ଲକଡାଉନ ଅବଧି ବଢ଼ିବଢି଼ ଚାଲିଥିଲା। ଏଣୁ ବେରୋଜଗାରୀରେ କରୋନା କାଳ ହୋଇଥିବା ବେଳେ ଯୋଜନା ଅନ୍ତତଃ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି।

Spread the love