ଇମ୍ରାନ ଖାନଙ୍କ ବିଦାୟର ତାରିଖ ସ୍ଥିର ! ଏପ୍ରିଲ ୪ରେ ପାକିସ୍ତାନ ସଂସଦରେ ଉପସ୍ଥାପନ ହେବ ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ ୨୬।୦୩: ଟଳ ମଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି। କେଉଁ ସମୟରେ ବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର ଭାଙ୍ଗିପାରେ। ଉଲ୍ଲେଖନୀୟ ପାକିସ୍ତାନ ତେହରିକ ଏ ଇନସାଫ ପାର୍ଟିକୁ ପୂର୍ଣ୍ଣ ବହୁମତ ମିଳି ନାହିଁ। ତେଣୁ ପାର୍ଟି ଅନ୍ୟ ଦଳ ସମର୍ଥନରେ ସରକାର ଚଳାଉଛନ୍ତି। ପାକିସ୍ତାନର ଗୃହ ମନ୍ତ୍ରୀ ଶେଖ ରଶିଦ କହିଛନ୍ତି, ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ  ଉପରେ ମତଦାନ ଏପ୍ରିଲ ୩ କିମ୍ବା ଏପ୍ରିଲ ୪ ତାରିଖରେ ହେବାର ସମ୍ଭାବନା ରହିଛି।

ଇସଲାମାବାଦରେ ମିଡିଆ ସହ ଆଲୋଚନା ବେଳେ ରଶିଦ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଆଣି ବିରୋଧୀ ବାସ୍ତବରେ ଇମ୍ରାନ ଖାନଙ୍କ ସାହାଯ୍ୟ କରିଛନ୍ତି। ଅନାସ୍ଥା ପ୍ରସ୍ତାବ କାରଣରୁ ଇମ୍ରାନ ଖାନଙ୍କ ଲୋକପ୍ରିୟତା ଆହୁରି ବଢି ଯାଇଛି। ମୁଁ ଇମ୍ରାନ ଖାନଙ୍କୁ ଶୀଘ୍ର ନିର୍ବାଚନ କରାଇବାକୁ ଅପିଲ୍ କରୁଛି। ସେ ସଫେଇ ଦେଇ କହିଛନ୍ତି, ଶୀଘ୍ର ନିର୍ବାଚନ କରାଇବା ତାଙ୍କର ବ୍ୟକ୍ତିଗତ ମତ ଥିଲା। ଏହାକୁ ପାକିସ୍ତାନ ତେହରିକ ଏ ଇନସାଫର ଆଭିମୁଖ୍ୟ ଭାବେ ଦର୍ଶାଯିବା ଉଚିତ୍ ନୁହେଁ।

ପାକିସ୍ତାନର ନ୍ୟାସନାଲ ଆସମ୍ବେଲିର ସଦସ୍ୟ ସଂଖ୍ୟା ହେଉଛି ୩୪୨। ତେଣୁ ସରକାର ବଜାୟ  ରଖିବା ପାଇଁ ଇମ୍ରାନ ଖାନଙ୍କୁ ୧୭୨ ସିଟ୍ ଦରକାର। ଇମ୍ରାନ ଖାନଙ୍କ ସରକାର ପ୍ରତି ବର୍ତ୍ତମାନ ୧୭୬ ସାଂସଦଙ୍କ ସମର୍ଥନ ରହିଛି। ଏଥିରୁ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହରିକ ଏ ଇନସାଫର ୧୫୫ ସାଂସଦ ରହିଛନ୍ତି।

ଏମକ୍ୟୁଏମ-ପି ପାର୍ଟିର ୭ ଏବଂ ପିଏମଏଲ କ୍ୟୁ ଏବଂ ବିଏପିର ୫-୫ ସଦସ୍ୟ ସମର୍ଥନ ପ୍ରତ୍ୟାହାର କଲେ ଇମ୍ରାନ ସରକାରଙ୍କ ପାଖରେ କେବଳ ୧୫୯ ସାଂସଦଙ୍କ ସମର୍ଥନ ରହିବ। ଅନ୍ୟପଟେ ଯଦି ପାକିସ୍ତାନ ତେହରିକ ଏ ଇନସାଫର ୨୪ ଅସନ୍ତୁଷ୍ଟ ସାଂସଦ ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର  କଲେ ଇମ୍ରାନଙ୍କ ସମର୍ଥନରେ ସଦସ୍ୟଙ୍କ ସଂଖ୍ୟା ୧୩୫କୁ ଖସି ଆସିବ। ଆଉ ଇମ୍ରାନ ଖାନଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହେବ।

Spread the love