ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟ ବୃଦ୍ଧି

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୬ ମାସ ଅର୍ଥାତ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ୮୦ କୋଟିରୁ ଅଧିକ ଲୋକ ଏହି ଯୋଜନାର ଲାଭ ପାଉଛନ୍ତି । ଭାରତର ଶକ୍ତି ହେଉଛି ଦେଶର ପ୍ରତ୍ୟେକ ନାଗରିକଙ୍କ ଶକ୍ତି। ତେଣୁ ଏହି ଶକ୍ତିକୁ ଆହୁରି ସୁଦୃଢ କରିବା ପାଇଁ ସରକାର ଏହି ଯୋଜନାକୁ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଯୋଗ୍ୟ ଏପ୍ରିଲ୍ ୨୦୨୦ ଠାରୁ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ହେଉଛି ବିଶ୍ବର ସବୁଠୁ ବଡ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ।

ସରକାର ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ପ୍ରାୟ ୨.୬୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ଆସନ୍ତା ୬ ମାସ ମଧ୍ୟରେ ଆଉ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ସମୁଦାୟ ପ୍ରାୟ ୩.୪୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ଯୋଜନା ଅଧୀନରେ କେନ୍ଦ୍ର ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ପାଞ୍ଚ କିଲୋଗ୍ରାମ ଖାଦ୍ୟ ଯୋଗାଇ ଦିଆଉଛି।

Spread the love