ଯୁଦ୍ଧରେ ୧୬,୬୦୦ ରୁଷ ସୈନିକଙ୍କ ମୃତ୍ୟୁ, ୟୁକ୍ରେନ ମିଡିଆର ଦାବି

ନୂଆଦିଲ୍ଲୀ, ୨୭।୦୩ :  ଯୁଦ୍ଧରେ ଯିଏ ବି ବିଜୟୀ ହେଉ, ପରାଜିତ ହୁଏ ମଣିଷ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ଏକ ମାସରୁ ଅଧିକ ଦିନ ହୋଇଛି। ୟୁକ୍ରେନର ଚାରି ପଟେ ଭୟଙ୍କର ଦୃଶ୍ୟ। ମଣିଷର ଜୀବନ ଏଥି କେବଳ ସଂଖ୍ୟା ହୋଇ ରହିଯାଇଛି। ରୁଷର ଦାବି ଯୁଦ୍ଧରୁ ଏବେ ଯାଏ କେବଳ ୧,୩୫୧ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ୟୁକ୍ରେନ ମିଡିଆର ଦାବି ରୁଷର ୧୬ ହଜାରରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଛି। ୟୁକ୍ରନ ୱେବସାଇଟ ଦ କିଭ୍ ଇଣ୍ଡିପେଣ୍ଡଣ୍ଟ ଅନୁସାରେ ଫେବ୍ରୁଆରୀ ୨୪ରେ ରୁଷର ଆକ୍ରମଣ ପରେ ବର୍ତ୍ତମାନ ସୁଦ୍ଧା ୧୬ ହଜାର ସୈନିକଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ୫୮୨ ରୁଷ ଟ୍ୟାଙ୍କ ନଷ୍ଟ ହୋଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ୟୁକ୍ରେନର ୧,୬୬୫ ଯୁଦ୍ଧ ତୋପ ନଷ୍ଟ ହୋଇଛି। ସେହିପରି ୧୨୧ ଯୁଦ୍ଧ ବିମାନ ଏବଂ ୧୨୭ ହେଲିକପ୍ଟର ନଷ୍ଟ ହୋଇଛି।

ଏହା ପୂର୍ବରୁ ଶୁକ୍ରବାର ମସ୍କୋ ବୟାନ ଜାରି କରି କହିଥିଲା, ଯୁଦ୍ଧରେ ରୁଷର ୧,୩୫୧ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ୩,୮୨୫ ଯବାନ ଆହତ ହୋଇଛନ୍ତି। ଅନ୍ୟପଟେ ନାଟୋର ଅନୁମାନ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୭ରୁ ୧୫ ହଜାର ସୈନ୍ୟଙ୍କ ମୃତ୍ୟୁ ହୋଇଛି। କେବଳ ଏହାନୁହେଁ ରୁଷର ବହୁ ସୈନ୍ୟ ଅଧିକାରୀଙ୍କୁ ୟୁକ୍ରେନ ସେନା ବନ୍ଧକ ରଖିଥିବା ଦାବି କରାଯାଉଛି। ନ୍ୟୁଜ ଏଜେନ୍ସି ଏଏଫପି ଅନୁସାରେ ରୁଷ ସେନା, ୟୁକ୍ରେନରେ ରୁଷ ସେନାର ରଣନୀତି ବିଫଳତା ପାଇଁ ଜେନେରାଲ ଭ୍ଲାସିଲିଭଙ୍କୁ ବହିଷ୍କାର କରିଛି।

Spread the love