ଇମ୍ରାନ ସରକାର ଭାଙ୍ଗୁଥିବାର ସଙ୍କେତ ଦେଲେ ମନ୍ତ୍ରୀ

ଇସଲାମାବାଦ ୨୭।୦୩: ସୋମବାର ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ। ଏହା ପୂର୍ବରୁ ରବିବାର ଇସଲାମାବାଦରେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ବିଶାଳ ଜନସଭା ଆୟୋଜନ କରିଛି। ରାଲି ସମୟରେ ଇମ୍ରାନ ଖାନଙ୍କ ପୂର୍ବରୁ ତାଙ୍କ ସରକାରର ମନ୍ତ୍ରୀ ଫଓ୍ଵାଦ ହୁସେନ ନିଜ ଭାଷଣରେ ଏମିତି ବୋହିଗଲେ ଯେ, ଇମ୍ରାନ ଖାନ ଆଉ ଅଧିକ ସମୟ ପ୍ରଧାନମନ୍ତ୍ରୀ ପଦରେ ରହିବେ ନାହିଁ ବୋଲି ସଙ୍କେତ ଦେଇଦେଲେ। ଆଉ କହିଛନ୍ତି ଇମ୍ରାନ ତ ଫକିର,  ପଦ ଆଜି ଯାଉ କି କାଲି ଯାଉ ତାଙ୍କୁ କିଛି ଫରକ ପଡେ ନାହିଁ।

ମଞ୍ଚରୁ ଇମ୍ରାନ ଖାନ ମଧ୍ୟ ବିରୋଧୀ ପାର୍ଟିକୁ ଟାର୍ଗେଟ୍ କରି କହିଛନ୍ତି, ଯେଉଁ ପାକିସ୍ତାନର ସ୍ଵପ୍ନ ସମସ୍ତେ ଦେଖିଥିଲେ, ମୁଁ ସେହି ସ୍ଵପ୍ନକୁ ପୂରା କରୁଛି। ଇମ୍ରାନ ମଞ୍ଚରୁ ନିଜର ଭୁରି ଭୁରି ପ୍ରଶଂସା କରିଛନ୍ତି। ଇସଲାମାବାଦର ବିଶାଳ  ଜନସଭାରେ ଇମ୍ରାନ ଖାନ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ  ହୁସେନ ଇମ୍ରାନଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ପିଟିଆଇ ନେତା ନିଜ ଭାଷଣରେ ଏହା ସାବ୍ୟସ୍ତ କରିବାକୁ ଚେଷ୍ଟା କରିଛନ୍ତି ଯେ, ଯଦି ଇମ୍ରାନ କ୍ଷମତାରୁ ବାହାରି ଯାଆନ୍ତି ତେବେ ପାକିସ୍ତାନ ବରବାଦ ହୋଇଯିବ। ଏହି ସମୟରେ ଫଓ୍ଵାଦ ନିଜ କଥାରେ ଏତେ ମଜି ଗଲେ ଯେ, ଇମ୍ରାନ ଖାନଙ୍କ ସରକାର ଭାଙ୍ଗୁଥିବା ସଙ୍କେତ ଦେଇ ଦେଲେ। ସେ ଇମ୍ରାନଙ୍କୁ ତପସ୍ଵୀ ଦର୍ଶାଇ ଇମ୍ରାନ କ୍ଷମତାଲୋଭୀ ନୁହନ୍ତି ବୋଲି କହିଛନ୍ତି।

Spread the love