ନୂତନ ଆର୍ଥିକବର୍ଷର ନୂଆ ନିୟମ

ନୂଆଦିଲ୍ଲୀ : ପ୍ରତ୍ୟେକ ବର୍ଷ ମାଚ୍ଚ ମାସ ଗଲେ ପୁରୁଣା ଆର୍ଥିକବର୍ଷ  ସରେ  ଓ  ନୂତନ ଆର୍ଥିକବର୍ଷ  ଆରମ୍ଭ ହୁଏ।ଠିିକ ସେମିତି ଏ ବର୍ଷ ମଧ୍ୟ ହେବ। ଏହାଦ୍ୱାରା ଏପ୍ରିଲ ମାସର ଆରମ୍ଭରୁ ପିଏଫ୍‌ ଆକାଉଣ୍ଟଠାରୁ ଜିଏସ୍‌ଟି ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ହେବ।କୁ ଯାଉଛି। ଅନ୍ୟପକ୍ଷରେ ଯେଉଁମାନେ କ୍ରିପ୍ଟୋରେ ଅର୍ଥ ବିନିଯୋଗ କରୁଛନ୍ତି ସେମାନଙ୍କ ଟିକସ ବାବଦରେ ଝଟ୍‌କା ମିଳିପାରେ। କେବଳ ଏତିକି ନୁହେଁ ଏପ୍ରିଲରୁ ଲୋକମାନେ ମଧ୍ୟ ମୁଦ୍ରାସ୍ଫୀତିରେ ବୃଦ୍ଧି ଯୋଗୁ ଦରଦାମ୍‌ କ୍ଷେତ୍ରରେ ବଡ଼ ଆହ୍ବାନର ସମ୍ମୁଖୀନ ହେବାକୁ ଯାଉଛନ୍ତି।କେନ୍ଦ୍ରୀୟ ପ୍ରତ୍ୟେକ୍ଷ ଟିକସ ବୋର୍ଡ (ସିବିଡିଟି) ଆୟକର ନିୟମ ୨୦୨୧ ଅନୁଯାୟୀ ଇପିଏଫ୍ ଖାତାରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସମୁକ୍ତ ଅର୍ଥ ଯୋଗଦାନ କ୍ଷେତ୍ରରେ ସୀମା ଲାଗୁ କରାଯାଇଛି। ଅଧିକ ଅର୍ଥ ଯୋଗଦାନ କ୍ଷେତ୍ରରେ ହେଉଥିବା ଆୟ ଉପରେ ସଦସ୍ୟ ଟିକସ ଦେବେ। ଏଥିସହିତ ସରକାରୀ କର୍ମଚାରୀଙ୍କ ଜିପିଏଫକୁ ଟିକସମୁକ୍ତ ଅର୍ଥ ଯୋଗଦାନର ସୀମା ବାର୍ଷିକ ୫ ଲକ୍ଷ ଟଙ୍କା ରଖାଯାଇଛି।

ନୂତନ ଆର୍ଥିକବର୍ଷର ପ୍ରଥମ ଦିନରୁ ଏକ ପ୍ରମୁଖ ପରିବର୍ତ୍ତନ ହେବାକୁ ଯାଉଛି ତାହା ହେଉଛି କ୍ରିପ୍ଟୋକରେନ୍ସି ଉପରେ ଟିକସ । ୨୦୨୨-୨୩ ବଜେଟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ଭର୍ଚୁଆଲ ଡିଜିଟାଲ ସମ୍ପତ୍ତି କିମ୍ବା କ୍ରିପ୍ଟୋ କରେନ୍ସି ଉପରେ ୩୦ ପ୍ରତିଶତ ଟିକସ ଘୋଷଣା କରିଛନ୍ତି। ଏହା ଅଧୀନରେ ଯଦି ନିବେଶକ କ୍ରିପ୍ଟୋ ସମ୍ପତ୍ତି ବିକ୍ରୟ କରିବାରେ କିଛି ଲାଭ କରନ୍ତି, ତେବେ ତାଙ୍କୁ ସରକାରଙ୍କୁ ଟିକସ ଦେବାକୁ ପଡିବ। ଏହାସହିତ, ଯେତେବେଳେ ବି କ୍ରିପ୍ଟୋ ସମ୍ପତ୍ତି ବିକ୍ରୟ ହୁଏ, ଏହାର ବିକ୍ରିର ଶତକଡ଼ା ହାରରେ ଟିଡିଏସ୍‌ କଟାଯିବ।

ଡାକ ଘର ମାସିକ ଆୟ ଯୋଜନା(ଏମ୍‌ଆଇଏସ୍‌), ବରିଷ୍ଠ ନାଗରିକ ସଞ୍ଚୟ ଜମା କିମ୍ବା ଡାକ ଘର ଅବଧି ଜମା ଯୋଜନାରେ ବିନିଯୋଗ ସହିତ ଜଡିତ ନିୟମ ବଦଳିବାକୁ ଯାଉଛି। ଏହି ଯୋଜନାଗୁଡିକରେ ସୁଧ ପରିମାଣ ଏପ୍ରିଲ୍ ପହିଲାରୁ ନଗଦ ଆକାରରେ ଉପଲବ୍ଧ ହେବନାହିଁ। ଏଥିପାଇଁ ଆପଣଙ୍କୁ ଏକ ସଞ୍ଚୟ ଖାତା ଖୋଲିବାକୁ ପଡିବ। ଏହା ବ୍ୟତୀତ, ଯେଉଁ ଗ୍ରାହକମାନେ ସେମାନଙ୍କର ଡାକଘର ସଞ୍ଚୟ ଖାତା କିମ୍ବା ବ୍ୟାଙ୍କ ଆକାଉଣ୍ଟକୁ ଏହି ସ୍କିମ୍ ସହିତ ଲିଙ୍କ୍ କରିନାହାଁନ୍ତି ସେମାନଙ୍କୁ ଏହାକୁ ଲିଙ୍କ୍ କରିବାକୁ ପଡିବ।

ନୂତନ ଆର୍ଥିକବର୍ଷ ଆରମ୍ଭରୁ ସାଧାରଣ ଲୋକଙ୍କ ପାଇଁ ଔଷଧ ଖର୍ଚ୍ଚ ବଢ଼ିବାକୁ ଯାଉଛି। ମୁଦ୍ରାସ୍ଫୀତିର ପ୍ରଭାବରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏପ୍ରିଲ ପହିଲାରୁ ଔଷଧ କିଣିବା ମହଙ୍ଗା ହେବ। ଏହାର କାରଣ ହେଉଛି ପହିଲାଠାରୁ ୮୦୦ ଜରୁରୀ ଔଷଧର ମୂଲ୍ୟ ୧୦.୭ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି। ଏଥିରେ ପାରାସିଟାମଲ ଅନ୍ତର୍ଭୁକ୍ତ। ଏହି ଔଷଧଗୁଡିକର ହୋଲସେଲ ମୂଲ୍ୟରେ ପରିବର୍ତ୍ତନ ପାଇଁ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ) ଅନୁମୋଦନ ଦେଇଛି।

ସିବିଆଇସି ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ଅଧୀନରେ ଇ-ଚାଲାଣ ପ୍ରଦାନର କାରବାର ସୀମାକୁ ୫୦ କୋଟି ଟଙ୍କାରୁ ୨୦ କୋଟି ଟଙ୍କାକୁ ହ୍ରାସ କରିଛି। ଏହି ନିୟମ ମଧ୍ୟ ୨୦୨୨ ଏପ୍ରିଲ ୧ ରୁ କାର୍ଯ୍ୟକାରୀ ହେଉଛି।

ଯେଉଁ ଗ୍ରାହକଙ୍କ ପାଇଁ ଏକ୍ସିସ୍ ବ୍ୟାଙ୍କରେ ଦରମା କିମ୍ବା ସଞ୍ଚୟ ଖାତା ଅଛି, ଏପ୍ରିଲ୍ ପହିଲାରୁ ନୂତନ ନିୟମ କାର୍ଯ୍ୟକାରୀ ହେଉଛି। ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ସୀମାକୁ ୧୦,୦୦୦ରୁ ୧୨,୦୦୦ ଟଙ୍କାକୁ ବୃଦ୍ଧି କରିଛି। ବ୍ୟାଙ୍କର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ବ୍ୟାଙ୍କ ମାଗଣା ନଗଦ କାରବାରର ନିର୍ଦ୍ଧାରିତ ସୀମାକୁ ଚାରିଟି ମାଗଣା କାରବାର କିମ୍ବା ୧.୫ ଲକ୍ଷ ଟଙ୍କାକୁ ପରିବର୍ତ୍ତିତ କରିଛି।

ପ୍ରତ୍ୟେକ ମାସ ପରି ଏପ୍ରିଲର ପ୍ରଥମ ଦିନରେ ମଧ୍ୟ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ୁଛି। ଏପ୍ରିଲରେ ପୁଣି ଥରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ ଯେ, ନିକଟରେ ଏଲପିଜି ସିଲିଣ୍ଡର ମୂଲ୍ୟରେ ହୋଇଥିବା ୫୦ ଟଙ୍କା ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ଭାର ହୋଇଛି।

Spread the love