ବାହାଘର କାର୍ଡରେ ମୋଦିଙ୍କ ପାଇଁ ଭୋଟ ନିବେଦନ

2019ରେ ପୁଣି  ନରେନ୍ଦ୍ର ମୋଦି  ପ୍ରଧାନମନ୍ତ୍ରୀ ହୁଅନ୍ତି  ବୋଲି ବହୁଲୋକ ଆଶାୟୀ । ତେଣୁ ବିଭିନ୍ନ ଉପାୟରେ ଲୋକେ ମୋଦିଙ୍କୁ ସମର୍ଥନ କରୁଛନ୍ତି ।  ନିକଟରେ ଏପରି ବାହାଘର ନିମନ୍ତ୍ରଣ କାର୍ଡ ଦେଖିବାକୁ ମିଳିଛି, ଯେଉଁଥିରେ ଉପହାର ବଦଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ 2019 ଲୋକସଭା ନିର୍ବାଚନରେ ଭୋଟ୍ ଦେବା ପାଇଁ ଅତିଥିମାନଙ୍କୁ ଅନୁରୋଧ କରାଯାଇଛି। ଏଭଳି ଘଟଣା ଘଟିଛି ମାଙ୍ଗାଲୋରରେ ।  ଗୋଟିଏ ପକ୍ଷ ନୁହେଁ, ବରଂ ଉଭୟ କନ୍ୟା ଓ ବର ଘରର ନିମନ୍ତ୍ରଣ କାର୍ଡରେ ଏପରି ନିଆରା କାର୍ଯ୍ୟ ଦେଖିବାକୁ ମିଳିଛି। ସୋଶାଲ୍‌ ମିଡିଆରେ ଉଭୟ ପକ୍ଷର ଏହି ବାହାଘର ନିମନ୍ତ୍ରଣ କାର୍ଡ ଏବେ ଭାଇରାଲ ହେବାରେ ଲାଗିଛି । ହ୍ଵାଟସ୍ଆପ୍‌ ଗ୍ରୁପ୍‌ରେ ମଧ୍ୟ ଏହି ନିମନ୍ତ୍ରଣ କାର୍ଡକୁ ଅଧିକ ସଂଖ୍ୟାରେ ଶେୟାର୍‌ କରାଯାଉଛି। 

ବର ଏବଂ କନ୍ୟା ଘର ପକ୍ଷର ନିମନ୍ତ୍ରଣ କାର୍ଡରେ ‘2019 ନିର୍ବାଚନରେ ମୋଦିଙ୍କୁ ଆପଣମାନଙ୍କ ଭୋଟ ହିଁ ଆମ ପାଇଁ ଗିଫ୍ଟ୍’ ବୋଲି ଲେଖାଯାଇଛି।  କାର୍ଡରେ ବିଗତ5 ବର୍ଷରେ ମୋଦି ସରକାରଙ୍କ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। କାର୍ଡରେ ମୋଦିଙ୍କ ଫଟୋ ମଧ୍ୟ ରହିଛି। ପୂର୍ବରୁ ଏକ ବାହାଘର ନିମନ୍ତ୍ରଣ କାର୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ସହ ତାଙ୍କ ଦ୍ୱାରା ପ୍ରଣୀତ ‘ସ୍ୱଚ୍ଛ ଭାରତ’ ଅଭିଯାନର ଲୋଗୋ ଲାଗିଥିବା ଦେଖିବାକୁ ମିଳିଥିଲା। ଏହାକୁ ନିଜେ ମୋଦି ଟ୍ୱିଟ୍‌ ବି କରିଥିଲେ।

Spread the love