ଉତ୍କଳ ଦିବସରେ ଅନୁଚିନ୍ତା
ଭୁବନେଶ୍ୱର:୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ହାସଲ କଲା। ମାତ୍ର ଏହା ପାଇବା ପୂର୍ବରୁ ଦୀର୍ଘ ୩୩ ବର୍ଷ ଧରି ଆନ୍ଦୋଳନ ଜାରି ରହିଥିଲା। ଏହି ଆନ୍ଦୋଳନରେ ଯେଉଁମାନେ ଆଗଧାଡ଼ିରେ ଥିଲେ ସେମାନେ ଆଜି ନାହାଁନ୍ତି ସତ; କିନ୍ତୁ ସେମାନଙ୍କର କାର୍ଯ୍ୟକୁ ଆମେମାନେ ସତତ ସ୍ୱୀକାର କରିବା ସଂଗେ ସଂଗେ ଦୀର୍ଘଦିନ ଧରି ଯେଉଁ ଲକ୍ଷ୍ୟ ପୂରଣ ହୋଇପାରିନାହିଁ ସେ ଦିଗରେ ଅଗ୍ରସର ହେବା ମଧ୍ୟ ଆମପାଇଁ ଗ୍ରହଣୀୟ। ଏହି ଅବସରରେ ଏହାର ତାତ୍ପର୍ଯ୍ୟ ଓ ନିର୍ଯ୍ୟାସ ଉପରେ ଆଲୋଚନା କରିବା ଆବଶ୍ୟକ ହୋଇପଡ଼ିଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରାସଙ୍ଗିକତା କ’ଣ ରହିଥିଲା ଓ ତାହା କେତେଦୂର ସଫଳ ହୋଇପାରିଛି ଏବଂ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାପରେ ସେହି ଦାବି କେତେଦୂର ମିଳିପାରିଛି ଏ ସଂପର୍କରେ ଆଲୋଚନା ହେବା ଜରୁରୀ। ଦିନଥିଲା ଭାରତ ମାନଚିତ୍ର, ଭୂଗୋଳରେ ଓଡ଼ିଶାର ସ୍ୱତନ୍ତ୍ରତା ନ ଥିଲା। ଓଡ଼ିଆ ଭାଷା ଆକ୍ରୋଶର ଶିକାର ହୋଇ ତା’ର ଅସ୍ତିତ୍ୱ ହରାଇବାକୁ ବସିଥିଲା। ଓଡ଼ିଶାର ଗୌରବ ଓ ଐତିହ୍ୟକୁ ଧରି ରଖିବା ପାଇଁ ସେହି ଯୋଗଜନ୍ମାମାନେ ଯଦି ଠିକ୍ ସମୟରେ ଉଦ୍ୟମ ନ କରିଥାନ୍ତେ ତେବେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ତ ସମ୍ଭବପର ହୋଇପାରିନଥାନ୍ତା ଓ ପଡ଼ୋଶୀ ଭାଷାର ତାଡ଼ନାରେ ଓଡ଼ିଆ ଭାଷା ମଧ୍ୟ ବିଲୁପ୍ତ ହୋଇଯାଇଥାନ୍ତା। ପ୍ରତିବର୍ଷ ଉତ୍କଳ ଦିବସ ପାଳନ ଅବସରରେ ଆମେମାନେ ସେହି ଓଡ଼ିଆ ପୁଅମାନଙ୍କୁ ସମ୍ମାନ ଜଣାଉଛୁ, ଯାହାଙ୍କର ଅବିରତ ପ୍ରଚେଷ୍ଟା ଫଳରେ ଓଡ଼ିଆ ଜାତି ତାର ଏକ ସ୍ୱତନ୍ତ୍ର ସ୍ଥିତି ଏବଂ ପରିଚୟ ସୃଷ୍ଟି ପାରିପାରିଛି।ଉତ୍କଳ ସମ୍ମିଳନୀର ଆହ୍ୱାନ ସାରା ଓଡ଼ିଶାରେ ପ୍ରସାରିତ ହୋଇଥିଲା। ଫକୀରମୋହନ ସେନାପତି, ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଜଗବନ୍ଧୁ ସିଂହ, କଳ୍ପତରୁ ଦାସ, ଭୁବନାନନ୍ଦ ଦାସ, ରାୟବାହାଦୂର, ଲକ୍ଷ୍ମୀଧର ମହାନ୍ତି, ରାୟବାହାଦୂର ଲୋକନାଥ ମିଶ୍ର, ଲକ୍ଷ୍ମୀନାରାୟଣ ସାହୁ, ହରିହର ମିଶ୍ର, ରାଧାନାଥ ରଥ, ବିଶ୍ୱନାଥ ଦାସ, ଗୋଦାବରୀଶ ମିଶ୍ର ଏପରି ଓଡ଼ିଶାର ବହୁ ଯୋଗଜନ୍ମା ସୁଯୋଗ୍ୟ ସନ୍ତାନଙ୍କ ନେତୃତ୍ୱରେ ଅଗ୍ରସର ହୋଇଆସିଛି। ଉତ୍କଳ ସମ୍ମିଳନୀର ଦୀର୍ଘଦିନର ସଂଗ୍ରାମ ଓ ନିରବଚ୍ଛିନ୍ନ ଉଦ୍ୟମ ପରେ ଇଂରେଜ ସରକାର ଓଡ଼ିଶାର ସ୍ୱତନ୍ତ୍ରତାକୁ ହୃଦୟଙ୍ଗମ କରିପାରିଥିଲେ। ଯାହା ଫଳରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ହାସଲ କରିପାରିଥିଲା।
ଉତ୍କଳ ସମ୍ମିଳନୀ ଓଡ଼ିଶାର ସ୍ୱତନ୍ତ୍ରତାକୁ ନେଇ ଅଭିଯାନ କରୁଥିଲେ ମଧ୍ୟ ଓଡ଼ିଶାର ଓ ଓଡ଼ିଆମାନଙ୍କର ସର୍ବାଙ୍ଗୀଣ ଉନ୍ନତି ତାର ଅନ୍ୟତମ ଲକ୍ଷ୍ୟ ଥିଲା। ବୈଷୟିକ ଉନ୍ନତି, ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉତ୍କଳ ସମ୍ମିଳନୀର ପ୍ରସ୍ତାବରେ ଓଡ଼ିଶାର ଆର୍ଥିକ ବିକାଶ ରହିଥିଲା ବେଳେ ଉତ୍କଳ ସନ୍ତାନ ଭାବେ ପରିଚୟ ବହନ କରୁଥିବା ସମସ୍ତ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଭାଇଚାରା ଓ ସଦ୍ଭାବ ପ୍ରତିଷ୍ଠା ପାଇଁ ଅନ୍ୟତମ ଲକ୍ଷ୍ୟ ରଖାଯାଇଥିଲା। ୧୯୩୬ ମସିହାରୁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ହାସଲ କଲା ଏବଂ ୧୯୪୭ ମସିହାରୁ ଭାରତ ଇଂରେଜ ଶାସନରୁ ମୁକ୍ତ ହେଲା ସତ କିନ୍ତୁ ଉତ୍କଳ ସମ୍ମିଳନୀର ସ୍ୱପ୍ନ ସବୁ ସାକାର ହୋଇପାରିନାହିଁ। ଏବେ ବି ଓଡ଼ିଶାର ବହୁ ଅଞ୍ଚଳ ଝାଡ଼ଖଣ୍ଡ, ଛତିଶଗଡ଼ ସହିତ ରହିଛି। ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପଡ଼ୋଶୀ ରାଜ୍ୟ ସହିତ ଓଡ଼ିଶାର ସଦ୍ଭାବ ରହିଥିଲେ ମଧ୍ୟ ଭୌଗୋଳିକ ଦୃଷ୍ଟିରୁ ଏବେ ବି ଅନେକ ଅଞ୍ଚଳରେ ପଡ଼ୋଶୀ ରାଜ୍ୟମାନଙ୍କର ଲୋଲୁପତା ରହି ଆସିଛି। ଷଢ଼େଇକଳା, ଖରସୁଆଁ ଆଜି ବି ଓଡ଼ିଶା ସହିତ ସାମିଲ ହୋଇପାରିନାହିଁ। ସେହିପରି ଓଡ଼ିଶାର ଅର୍ଥନୈତିକ ଅଧୋଗତି ଘଟିଚାଲିଛି। ଓଡ଼ିଶାରେ ସାଂସ୍କୃତିକ ବିକାଶ ମଧ୍ୟ ମନ୍ଥର। ଓଡ଼ିଆ ଭାଷା ଆଜି ବିଦେଶୀ ଭାଷା ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହେଉଅଛି। ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁଥିରେ ଓଡ଼ିଶା ଭାରତର ଅନ୍ୟ ପ୍ରଦେଶ ତୁଳନାରେ ବହୁ ପଛରେ। ୧୧୬ ବର୍ଷ ତଳେ ଓଡ଼ିଶାର ସାମଗ୍ରିକ ବିକାଶ ଓ ସ୍ୱତନ୍ତ୍ରତାକୁ ନେଇ ସେଦିନର ମନୀଷୀମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ଉତ୍କଳ ସମ୍ମିଳନୀ ଗଠନ କରି ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଉଦ୍ୟମ କରିଥିଲେ, ସେ ସ୍ୱପ୍ନ ଆଜି ବି ଅଧୁରା ରହିଯାଇଛି। ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ଏବଂ ପ୍ରତ୍ୟେକ ଓଡ଼ିଆଙ୍କର ବିକାଶ ପାଇଁ ଉଦ୍ୟମ ହେବ ତ ଓଡ଼ିଶା ଦିବସ ପାଳନର ସାର୍ଥକତା ପ୍ରତିପାଦିତ ହେବ।