କୋଲକାତା ଦ୍ବିତୀୟ ବିଜୟ ହାସଲ

ମୁମ୍ବାଇ  : ଉମେଶ ଯାଦବଙ୍କ ଘାତକ ବୋଲିଂ ପରେ ରସେଲଙ୍କ ପ୍ରହାର ବଳରେ ଚଳିତ ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ଦ୍ବିତୀୟ ବିଜୟ ହାସଲ କରିଛି। ୱାଙ୍ଖେଡ ଷ୍ଟାଡ଼ିୟମରେ ଗତକାଲି ଖେଳାଯାଇଥିବା ଅଷ୍ଟମ ମ୍ୟାଚରେ କଲକାତା ୬ ୱିକେଟରେ ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତ କରିଛି। ଏହି ବିଜୟ ସହ କୋଲକାତା ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି।
ପଞ୍ଜାବ ବିଜୟ ପାଇଁ ୧୩୮ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କୋଲକାତା ଏହାକୁ ଆ​‌​‌ନ୍ଦ୍ରେ ରସେଲଙ୍କ ବିସ୍ଫୋରକ ୭୦ରନ ବଳରେ ୩୩ଟି ବଲ୍‌ ବାକି ଥାଇ ୪ ୱିକେଟ ହରାଇ ୧୪୧ରନ କରି ବିଜୟୀ ହୋଇଥିଲା। କୋଲକାତାର ଏହା ୩ୟ ମ୍ୟାଚରୁ ୨ୟ ବିଜୟ ହୋଇଥିବାବେଳେ ପଞ୍ଜାବ ପ୍ରଥମ ପରାଜୟ ବରଣ କରିଛି। ଏହି ଲୋ ସ୍କୋରିଂ ମ୍ୟାଚରେ କୋଲକାତାର ଦୁଇ ଓପନର ଅଜିଙ୍କ୍ୟ ରାହାଣେ ଓ ଭେଙ୍କଟେଶ ଆୟର ଇନିଂସ ଆରମ୍ଭ କରି ପ୍ରଥମ ୱିକେଟରେ ୧୪ରନ ଯୋଡିଥିଲେ। ରାହାଣେ ୧୧ଟି ବଲରୁ ୩ଟି ଚୌକା ସହ ୧୨ରନ କରି ଆଉଟ୍‌ ହୋଇଥିଲେ। ଖରାପ ଫର୍ମରେ ଥିବା ଭେଙ୍କଟେଶ ମାତ୍ର ୨ରନ କରି ଆଉଟ୍‌ ହୋଇଥିଲେ। ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୮ ଓଭରରେ ୪ ୱିକେଟ ହରାଇ ୫୪ରନ କରିଥିଲା। ଅଧିନାୟକ ଶ୍ରେୟାସ ଆୟର ଦ୍ରୁତ ଗତିରେ ରନ କରିବାକୁ ଯାଇ ୧୫ଟି ବଲରୁ ୫ଟି ଚୌକା ସହ ୨୬ ରନ କରିଥିବାବେଳେ ନିତିଶ ରାଣା ଖାତା ଖୋଲି ପାରିନଥିଲେ। ୫ମ ୱିକେଟ ପାଇଁ ସାମ୍‌ ବିଲିଙ୍ଗ୍‌ସ ଓ ରସେଲ ଅବିଭାଜିତ ୪୫ଟି ବଲରୁ ୯୦ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ। ରସେଲ ୩୧ଟି ବଲରୁ ୮ଟି ଛକା ଓ ୨ଟି ଚୌକା ସହ ୭୦ ଓ ବିଲିଙ୍ଗ୍‌ସ ୨୪ରନ କରି ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ ରାହୁଲ ଚହର ୨ଟି , ଓଡିନ ସ୍ମିଥ୍‌ ଓ କାଗିସୋ ରାବଡା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
କୋଲକାତା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସ୍କୋର ମାତ୍ର ୨ରନ ଥିବାବେଳେ ଅଧିନାୟକ ମୟଙ୍କ ଅଗ୍ରୱାଲ ୧ରନ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟ ପାଇଁ ଶିଖର ଧାୱନ ଓ ଭାନୁକା ରାଜପାକ୍ଷେ ୪୧ରନ ଯୋଡିଥିଲେ। ସ୍କୋର ୪୩ରନ ଥିବାବେଳେ ଧାୱନ ୧୬ରନ କରି ଆଉଟ୍‌ ହୋଇଥିଲେ। ରାଜପାକ୍ଷେ ଦ୍ରୁତ ଗତିରେ ରନ କରିବାକୁ ଯାଇ ୯ଟି ବଲରୁ ୩ଟି ଛକା ଓ ୩ଟି ଚୌକା ସହାୟତାରେ ୩୧ରନ କରି ଆଉଟ୍‌ ହୋଇଥିଲେ। ପଞ୍ଜାବ ୬୨ରନରେ ୩ଟି ୱିକେଟ  ହରାଇଥିଲା। ଚତୁର୍ଥ ୱିକେଟ ପାଇଁ ଲିଆମ ଲିଭିଙ୍ଗଷ୍ଟୋନ ଓ ରାଜ୍‌ ଅଙ୍ଗଦ ବାୱା ୧୬ରନ ଯୋଡିଥିଲେ । ଲିଭିଙ୍ଗଷ୍ଟୋନ ୧୯ରନ କରି ଆଉଟ୍‌ ହୋଇଥିଲେ। ରାଜ୍‌ ମଧ୍ୟ ବେଶି ସମୟ ତିଷ୍ଠି ନପାରି ୧୧ରନ କରି ଆଉଟ୍‌ ହୋଇଥିଲେ। ପଞ୍ଜାବ ୧୦ ଓଭରରେ ୮୫ ରନ ମଧ୍ୟରେ ଅଧା ୱିକେଟ ହରାଇଥିଲା। ଷଷ୍ଠ ୱିକେଟର ପତନ ୯୨ରେ ଘଟିଥିଲା। ଶାହାରୁଖ ଖାନ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ସପ୍ତମ ୱିକେଟ ପାଇଁ ହରପ୍ରିତ ବାର୍‌ ଓ ଓଡେନ ସ୍ମିଥ୍‌ ୧୦ରନ ଯୋଡିଥିଲେ। ହରପ୍ରିତ ୧୪ରନ କରି ଆଉଟ୍‌ ହୋଇଥିଲେ। ୧୦୨ରନରେ ସପ୍ତମ ୱିକେଟର ପତନ ଘଟିଥିଲା। ଶେଷ ଆଡକୁ କାଗିସୋ ରାବଡାଙ୍କ ଦ୍ରୁତ ୧୬ଟି ବଲରୁ ୨୫ରନ ସହାୟତାରେ ପଞ୍ଜାବ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଦଳ ଶେଷରେ ୧୮.୨ ୧୩୭ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଓଡେନ ସ୍ମିଥ୍‌ ୯ରନ କରି ଅପରାଜିତ ରହିଥିଲେ। କଲକାତା ପକ୍ଷରୁ ଉମେଶ ଯାଦବ ୪ଟି, ଟିମ୍‌ ସାଉଥି ୨ଟି, ଶିଭମ ମାଭି, ସୁନୀଲ ନାରାୟଣ ଓ ଆ​‌େ​‌ନ୍ଦ୍ର ରସେଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Spread the love