ଅସହ୍ୟ ତାତି ଅସ୍ତବ୍ୟସ୍ତ ଜନତା

ଭୁବନେଶ୍ବର : ରାଜ୍ୟରେ ତାପମାତ୍ରାରେ ବୃଦ୍ଧି,ପାଞ୍ଚ ଦିନ ଯାଏ ଅପରିବର୍ତ୍ତିତ ରହିବ।ଏହି ତାତି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ  ଅନୁଭୂତ ହେଉଛି। ଶୁକ୍ରବାର ୪୩.୪ ଡିଗ୍ରୀ ସେଲୟିୟସ୍‍ ତାପମାତ୍ରା ସହ ଟିଟିଲାଗଡ଼଼ ଦେଶର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି। ମହାରାଷ୍ଟ୍ରର ବିଦର୍ଭ ଅନ୍ତର୍ଗତ ଚନ୍ଦ୍ରପୁର ୪୩.୬ ଡିଗ୍ରୀ ତାପମାତ୍ରା ସହ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତେବେ ଶୁକ୍ରବାର ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିବା ବେଳେ ଗତକାଲି ଏଥିରେ ସାମାନ୍ୟ ହ୍ରାସ ଦେଖାଦେଇଛି। ଗତକାଲି ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବଲାଙ୍ଗୀରରେ ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ ରହିଥିଲା।  ସେହିପରି ଗତକାଲି ସବୁଠୁ ତତଲା ସହର ମଧ୍ୟରେ ଟିଟିଲାଗଡ଼଼ ସାରା ବିଶ୍ୱରେ ଦ୍ୱାଦଶ ସ୍ଥାନରେ ରହିଛି।ଅନ୍ୟପଟେ ଆଜି ରାଜ୍ୟର ୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଖରା ଏପରି ହେଉଛି ଯେ, ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଡ. ଉମାଶଙ୍କର ଦାସ କହିଛନ୍ତି ଯେ ଆଗାମୀ ୪ରୁ ୫ ଦିନ ଯାଏଁ ରାଜ୍ୟବ୍ୟାପୀ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ଆଗାମୀ ୩ରୁ ୪ ଦିନ ଯାଏଁ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ। ତେବେ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ବାୟୁର ପ୍ରଭାବ କାରଣରୁ ଦିନ ତାପମାତ୍ରା ସ୍ୱାଭାବିକ କିମ୍ବା ତା ଠାରୁ କମ୍‍ ରହୁଥିବା ସେ ପ୍ରକାଶ କରିଛନ୍ତି।ଅପରପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ଦୁଇ ଦିନ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ଡ. ଦାସ ପୂର୍ବାନୁମାନ କରିଛନ୍ତି। ପୂର୍ବବିହାରରୁ ଉତ୍ତର ଓଡ଼ିଶା ଯାଏଁ ଲମ୍ବିଥିବା ନିମ୍ନ ଚାପରେଖା ସହ ଝାଡ଼ଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେଆଗାମୀ ୨ ଦିନ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ। ୩ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼଼ା, ଗଜପତି, କୋରାପୁଟ ଓ ମାଲକାନଗିରିରେ ସ୍ୱଳ୍ପ ବୃଷ୍ଟି ହୋଇପାରେ। ସେହିପରି ୪ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି।

Spread the love