ପାକିସ୍ତାନ ସଂସଦ ଭାଙ୍ଗିଲା

ଇସଲାମାବାଦ: ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ଅଚଳାବସ୍ଥା ଗତକାଲି ଏକ ଭିନ୍ନ ମୋଡ଼ ନେଇଛି। ଇମ୍ରାନ୍‌ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟଦାନ ପୂର୍ବରୁ ଖୋଦ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଜାତୀୟ ସଂସଦ(ନ୍ୟାସନାଲ ଆସେମ୍ବ୍ଲି)କୁ ଭାଙ୍ଗି ଦେବାକୁ ସୁପାରିସ କରିବା ପରେ ତୁରନ୍ତ ଏହାକୁ ରାଷ୍ଟ୍ରପତି ଆରିଫ ଆଲିଭ୍ କାର୍ଯ୍ୟକାରୀ କରିଛନ୍ତି।

ସୂଚନା ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଫାରୁକ୍ ହବିବ୍‌ କହିଛନ୍ତି ଯେ, ରାଷ୍ଟ୍ରପତି ଆଲିଭ ସଂସଦକୁ ଭଙ୍ଗ ଘୋଷଣା କରିଛନ୍ତି। ଫଳରେ ୯୦ ଦିନ ମଧ୍ୟରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ସହିତ ମନ୍ତ୍ରିମଣ୍ଡଳକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ତେବେ ନିର୍ବାଚନ ଅନୁଷ୍ଠିତ ହେବା ପର୍ଯ୍ୟନ୍ତ ଇମ୍ରାନ ଦେଶର କାମଚଳା ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ପାକିସ୍ତାନ ସମ୍ବିଧାନର ଧାରା ୨୨୪ ଅନୁଯାୟୀଇମ୍ରାନ ପ୍ରଧାନମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ଜାରି ରଖିବେ।  ପ୍ରଥମେ ସଂସଦର ଉପବାଚସ୍ପତି କାସିମ ସୁରୀ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ଉପବାଚସ୍ପତି ସୁରୀ କହିଥିଲେ, ବିରୋଧ ଦଳ ଗୁଡିକର ଅନାସ୍ଥା ପ୍ରସ୍ତାବ ସମ୍ବିଧାନ ବିରୋଧୀ ଓ ଏହା ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଅନାସ୍ଥା ପ୍ରସ୍ତାବକୁ ଖାରଜ ପରେ ଉପ ବାଚସ୍ପତି ସଂସଦକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।ସଂସଦ ମୁଲତବୀ ପରେ ଇମ୍ରାନ ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଅନାସ୍ଥା ପ୍ରସ୍ତାବ ହେଉଛି ବିଦେଶ ପ୍ରାୟୋଜିତ ଏଜେଣ୍ଡା। ବିଦେଶୀ ରାଷ୍ଟ୍ରଙ୍କ ଷଡ଼ଯନ୍ତ୍ର କ୍ରମେ ଶାସନ କ୍ଷମତା ପରିବର୍ତ୍ତନ ପାଇଁ ହୋଇଥିବା ଯୋଜନାକୁ ସୁରି ଅଗ୍ରାହ୍ୟ କରିଦେଇଛନ୍ତି। କୌଣସି ଦୁର୍ନିତୀଗ୍ରସ୍ତ ଶକ୍ତିକୁ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ସୁଯୋଗ ଦିଆଯିବନାହିଁ। ସଂସଦ ଭଙ୍ଗ ହେବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ଓଏହି ସମୟରେ କାମଚଳା ସରକାର ଦେଶର ଶାସନ ଭାର ନେବ। ଇମ୍ରାନ କହିଛନ୍ତି ଯେ, ସେ ସଂସଦକୁ ଭଙ୍ଗ ଲାଗି ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ। ରାଷ୍ଟ୍ରପତି ସଂସଦକୁ ଭାଙ୍ଗି ସାନି ନିର୍ବାଚନ ପାଇଁ ନିର୍ଦେଶ ଦେବା ପରେ ପାକିସ୍ତାନ ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ନିଜ ଆଡୁ ମାମଲା ଦାୟର କରିଛନ୍ତି। ସୋମବାର ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବେ। ଅନ୍ୟପଟେ ବିରୋଧୀ ଦଳଗୁଡିକ କହିଛନ୍ତି ଯେ ଅନାସ୍ଥା ପ୍ରସ୍ତାବକୁ ଅଗ୍ରାହ୍ୟ ଓ ସଂସଦକୁ ଭଙ୍ଗ କରାଯିବା ନିଷ୍ପତ୍ତି ଅସାମ୍ବିଧାନିକ। ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବିରୋଧରେ ବିରୋଧୀ ଦଳଗୁଡିକ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ କହିଛନ୍ତି। ସଂସଦର ବିରୋଧୀ ଦଳ ନେତା ସେହବାଜ ସରିଫ କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ନେଇ ଉପବାଚସ୍ପତିଙ୍କ ନିଷ୍ପତ୍ତି ଓ ସଂସଦ ଭଙ୍ଗ ଲାଗି ପ୍ରଧାନମନ୍ତ୍ରୀଙ୍କ ସୁପାରିସ ଅସାମ୍ବିଧାନିକ। ପାକିସ୍ତାନ ପିପୁଲସ୍ ପାର୍ଟି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବକୁ ଅଗ୍ରାହ୍ୟ କରାଯିବା ନିଷ୍ପତ୍ତି ଅଗଣତାନ୍ତ୍ରିକ। ଉପ-ବାଚସ୍ପତି ଓ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ବିରୋଧୀ ଦଳ ସଦସ୍ୟମାନେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାର୍ଚ୍ଚ ୮ରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିବାବେଳେ ରବିବାର ଏହା ଉପରେ ସଂସଦରେ ଭୋଟ ହେବାର ଥିଲା।ପାକିସ୍ତାନ ସରକାରରେ ସେନାର ସମ୍ପୃକ୍ତି ସର୍ବାଧିକ ରହିଥିବାବେଳେ ଆଜିର ଏହି ରାଜନୈତିକ ଘଟଣାକ୍ରମରେ କୌଣସି ପ୍ରକାର ସମ୍ପୃକ୍ତ ନଥିବା ସୈନ୍ୟବାହିନୀ ସ୍ପଷ୍ଟ କରିଛି। ସେନା ମୁଖ୍ୟ ମୁଖପାତ୍ର ମେଜର ଜେନେରାଲ ବାବର ଇଫତିଖାର କହିଛନ୍ତି ଯେ ରାଜନୈତିକ ଘଟଣା ସହିତ ସେନାର କୌଣସି ହସ୍ତକ୍ଷେପ ନାହିଁ।

Spread the love