ରୁକୁଣା ରଥଯାତ୍ରା: ୫ରେ ସମନ୍ୱୟ ବୈଠକ, ୮ରେ ମରିଚିକୁଣ୍ଡ ପାଣି ନିଲାମ

ଭୁବନେଶ୍ୱର : ଆସନ୍ତା ୯ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଏବଂ ୮ ତାରିଖରେ ନେତ ଉତ୍ସବ । ତେବେ ନେତ ଉତ୍ସବର ନୀତି ତଥା ରଥଯାତ୍ରାର ନୀତିନିର୍ଘଣ୍ଟ ନେଇ ପ୍ରସ୍ତୁତ ତାଲିକାରେ ମୋହର ବାଜିବାକୁ ବାକି ରହିଛି । ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସମନ୍ୱୟ ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ମଙ୍ଗଳବାର ଉଭୟ ଟ୍ରଷ୍ଟ ବୋର୍ଡ଼ ବୈଠକ ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ପରେ ସମମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ରଥ ପ୍ରତିଷ୍ଠା ପାଇଁ କେଦାରଗୌରୀ ପାଖ ମୁକ୍ତେଶ୍ୱର ମନ୍ଦିର ଠାରେ ଥିବା ମରିଚି କୁଣ୍ଡରୁ ପାଣି ଅଣାଯିବ ।

ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଧୂପ ନୀତି ପରେ ରଥ ପ୍ରତିଷ୍ଠା ପ୍ରକ୍ରିୟା କରାଯିବ । ମରିଚି କୁଣ୍ଡର ପ୍ରଥମ ଗରା ପାଣି ରଥ ପ୍ରତିଷ୍ଠା ନୀତିରେ ବ୍ୟବହାର ହେବ । ଏହାପରେ ଉକ୍ତ କୁଣ୍ଡର ପାଣି ନିଃସନ୍ତାନ ଦମ୍ପତିଙ୍କ ଉଦ୍ଦେଶ୍ୟରେ ନିଲାମ କରାଯିବ । ନିଲାମ ପ୍ରକ୍ରିୟା ୮ତାରିଖ ମଧ୍ୟରାତ୍ରିରୁ ୯ତାରିଖ ସକାଳ ପ୍ରାୟ ୭ଟା ଯାଏ ଜାରି ରହିବ । ଏହି ପାଣିରେ ନିଃସନ୍ତାନ ଦମ୍ପତି ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ଶ୍ରଦ୍ଧାଳୁ ବିଶ୍ୱାସ କରନ୍ତି । କରୋନା କଟକଣା କାରଣରୁ ବିଗତ ୨ବର୍ଷ ହେବ ଏହି ପାଣି ନିଲାମ ହୋଇ ପାରି ନଥିଲା । କିନ୍ତୁ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଦମ୍ପତି ନିଲାମରେ ଅଂଶ ଗ୍ରହଣ କରିବେ ବୋଲି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି । ନିଲାମ ପ୍ରକ୍ରିୟା ବଡୁ ନିଯୋଗ କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନରେ କରାଯିବ । ଏଥିରେ ଯେଉଁ ଦମ୍ପତି ସବୁଠାରୁ ଅଧିକ ଟଙ୍କାରେ ନିଲାମ ଡାକିବେ ତାଙ୍କୁ ମିଳିବ ପ୍ରଥମ ଗରା ପାଣି । ଏହାପରେ ନିଲାମ ମୂଲ୍ୟର କ୍ରମ ଅନୁସାରେ ପାଣି ଦିଆଯିବ । ଶେଷରେ ଏକ ମୂଳ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ପାଣି ଗରା ଦିଆଯିବ ।

ସୋମବାର ବଡୁ ନିଯୋଗର ବାର୍ଷିକ ବୈଠକ ଆୟୋଜନ ହେବ । ଏହି ସଭାରେ ମରିଚି କୁଣ୍ଡ ପାଣି ନିଲାମ ନେଇ ବିସ୍ତୃତ ଆଲୋଚନା ହେବ ବୋଲି ବଡୁ ନିଯୋଗର ସମ୍ପାଦକ କମଳକାନ୍ତ ବଡ଼ୁ କହିଛନ୍ତି । ଏବେ ରଥ ଖଳାରେ କାମ ଜାରି ରହିଛି । ରଥରେ ଅଖ ଚକ ଲାଗିସାରିଥିବାବେଳେ ରଥ ଉପରକୁ ଚଉକା ଉଠିଛି । ତେବେ ୭ ତାରିଖ ସନ୍ଧ୍ୟା ସୁଦ୍ଧା ରଥ କାର୍ଯ୍ୟ ଶେଷ କରିବାକୁ ସ୍ଥିର କରାଯାଇଥିବା ବରିଷ୍ଠ ମହାରଣା ବିରେନ୍ ମହାରଣା କହିଛନ୍ତି । ୫୨ ଫୁଟ୍ ଉଚ୍ଚ ତଥା ୨୨ବର୍ଗ ଫୁଟର ରଥ ଭାସ୍କରେଶ୍ୱର ମନ୍ଦିର ନିର୍ମାଣ ଶୈଳୀ ଅନୁସାରେ ନିର୍ମାଣ କରାଯାଉଥିବା ସେ କହିଛନ୍ତି । ରଥ ନିର୍ମାଣରେ ୬୦ରୁ ଊର୍ଦ୍ଧ୍ୱ ବଢ଼େଇ ସେବକ ଓ ଭୋଇ ସେବକ ଆଦି ଲାଗିଛନ୍ତି ।

Spread the love