ଜଣେ ସିଆରପିଏଫ ଯବାନ ସହିଦ

ଶ୍ରୀନଗର:  ପୁଲୱାମାରେ ଦୁଇ ଜଣ ବିହାରୀ ଶ୍ରମିକଙ୍କୁ ଆକ୍ରମଣ କରାଯିବାର କିଛି ଘଣ୍ଟା ପରେ  ଶ୍ରୀନଗରରେ  ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ଜଣାପଡ଼ିଛି ଏବଂ ଜଣେ ସିଆରପିଏଫ ଯବାନ ଆହତ ହୋଇଥିବା ବେଳେ ତାଙ୍କୁ ଏସଏମଏଚଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏବେ ଘଟଣା ଘଟିଥିବା ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା।ତେବେ ଗତକାଲି ସୁରକ୍ଷା ବାହିନୀ ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରୁ ୪ ଜଣ ଲସ୍କର-ଏ-ତୋଏବା ସହଯୋଗୀଙ୍କୁ ଗିରଫ କରିଥିଲେ। ବାନ୍ଦିପୋରା ପୁଲିସ ଦୁଇଟି ଆତଙ୍କବାଦୀ ଆଡ୍ଡାର ପର୍ଦ୍ଦାଫାଶ କରି ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଏବାର ଚାରି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିଲା। ପୁଲିସ କହିଥିଲା ଯେ ଅଭିଯୁକ୍ତମାନେ ଜିଲ୍ଲାରେ ଆତଙ୍କବାଦୀଙ୍କ ପାଇଁ ଲଜିଷ୍ଟିକ୍‌ ଏବଂ ପରିବହନ ସମନ୍ଵୟ ରକ୍ଷା କରୁଥିଲେ।

ନିର୍ଦ୍ଦିିଷ୍ଟ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ବାନ୍ଦିପୋରାର ଆଷ୍ଟଙ୍ଗୋ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ପାଇଥିଲେ। ଏହି ତିନିଜଣଙ୍କ ନାମ ଇରଫାନ ଅହମ୍ମଦ ଭଟ୍ଟ, ସଜାଦ ଅହମ୍ମଦ ମୀର ଏବଂ ଇରଫାନ ଅହମ୍ମଦ ଜାନ ବୋଲି ଚିହ୍ନଟ କରାଯାଇଛି।

ଅନ୍ୟ ଏକ ଘଟଣାରେ ଏହି ସମୟରେ ସୁରକ୍ଷା ବାହିନୀ ଯବାନମାନେ ରଖହାଜିନର ଏକ ଚେକପୋଷ୍ଟରେ ଜଣେ ଆତଙ୍କବାଦୀ ସହଯୋଗୀକୁ ଗିରଫ କରିଥିଲେ। ଗିରଫ ଆତଙ୍କବାଦୀ ସହଯୋଗୀ ଜଣକ ଇରଫାନ ଅଜିଜ ଭଟ୍ଟ ବୋଲି ଚିହ୍ନଟ କରାଯାଇଥିଲା। ତା ନିକଟରୁ ଏକ ଚାଇନା ନିର୍ମିତ ଗ୍ରେନେଡ୍‌ ମଧ୍ୟ ଉଦ୍ଧାର କରାଯାଇଥିଲା।

Spread the love