ୟେ ୱକତ୍ ନା ଗୁଜର ଜାୟେ…
‘ୟେ ୱକତ୍ ଗୁଜର ଜାୟେଗା
ୟେ ସାମ୍ ବିତ୍ ଜାୟେଗୀ
ୟେ ସୁରଜ୍ ଡୁବ୍ ଜାୟେଗା
ଚାନ୍ଦ୍ ଭି ତୋ ଆଜକଲ୍ ନହିଁ ଦିଖତା
ସାୟଦ୍ ସବକୋ ପଡ୍ ଗୟୀ ହେ ତୁମହାରୀ ଆଦତ୍
ସିର୍ଫ୍, ତୁମହାରେ ଔର୍ ମେରେ ତନହାଇ କେ ଅଲାୱା…’
ଧୀରେଧୀରେ ତୁ ପରିଚିତ ହେବାରେ ଲାଗିଲୁ । ଖୁବ୍ ପରିଚିତ । ଆହୁରି, ଆଉ ଟିକେ…ଶେଷରେ ନିଜର ହେବାରେ ଲାଗିଲୁ । ଏତେ ନିଜର ହେଇଗଲୁ ଯେ, ନକହିଲେ ଭଲ । ସଂଧ୍ୟା ହେଇ ଆସୁଥିଲା । ସମୟର ବେଗ ସାଙ୍ଗେ ସମସ୍ତଙ୍କ ଗତିପଥ ବଦଳିବାରେ ଲାଗୁଥାଏ । ତୋ ଆଖିର ଇସାରା ଆଉ ମନର ଭାବନା ସ୍ପଷ୍ଟ ଭାବେ ପଢି ପାରିଥିଲି ସେ ଦିନ । ତୁ ନିକଟତର ହେଲୁ, ଆଉ ଟିକେ ନିକଟତର । ତୋ ଓଠର ଉଷୁମ ପବନର ପ୍ରତିଟି ସ୍ପର୍ଶକୁ ମୁଁ ଅନୁଭବ
କରିପାରୁଥିଲି ସେଦିନ …..
ଅନ୍ଧାରୀ ଆଲୁଅର ପ୍ରତିଟି କୋଣରେ ନିଜକୁ ଖୋଜୁଥାଏ । ଚାରି କାନ୍ଥ ଭିତରେ ହୁଏତ ନିଜକୁ ଠଉରାଇବାକୁ ଚେଷ୍ଟା କରୁଥିଲି । ବେଳେବେଳେ କାନ୍ଥରେ ଟଙ୍ଗା ହେଇଥିବା ବୁଦ୍ଧଙ୍କ ସ୍ଥିତପ୍ରଜ୍ଞ ରୂପ ଦେଖି ନିଜକୁ ପରଖିବାକୁ ଚେଷ୍ଟା କରୁଥାଏ । କିଛି ପୁରୁଣା ସ୍ମୃତିକୁ ସତେଜ କରିବାକୁ ହୁଏ ତ ଚେଷ୍ଟା କରୁଥିଲି ସେଦିନ । ଠିକ୍ ସେତିକିବେଳେ ପଛରୁ କ୍ଲାସିକାଲ ରେଡିଓର ପୁରୁଣା କଲେକ୍ସନ ଭିତରୁ ଭାସି ଆସଥିଲା…
‘ଦୋ ନୈନା ଔର୍ ଏକ୍ କହାନୀ
ଥୋଡା ସା ବାଦଲ୍ ଥୋଡା ସା ପାନୀ
ଏକ କହାନୀ…’
ସତରେ ତୋ ବିଷୟରେ ବା କଣ ବର୍ଣ୍ନା କରିବି । ପ୍ରେମିକାର ତୁଳନା ନାହିଁ । ସେଥିପାଇଁ ତ ସେ ଅତୁଳନୀୟ । ନାଲି ଗୋଲାପ ପରି ଓଠର ଲିପଷ୍ଟିକ, ଆଖିରେ କଜଳପାତିର ତୀକ୍ଷ୍ଣ ସରୁ ଧାର ଆଉ ତୋ ନିରୀହ ଚାହାଣୀର ନିରବତା ସବୁବେଳେ ମନରେ ଏକ ଅଜଣା ଶିହରଣ ସୃଷ୍ଟି କରେ । ସେଦିନ ବି ହୋଇଥିଲା,ଯେଉଁଦିନ ମୋ ଛାତିରେ ତୋ ମୁଣ୍ଡଟାକୁ ରଖି ଦେଇଥିଲୁା ଶୀତଳ ପବନର ମାଦକତାରେ ମତୁଆଲା ହୋଇ ସାରିଥିଲେ ଦୁହୋଁ ମାତ୍ର, ସେଦିନ…….
ଅଭିମାନୀ ମନ, କେତେ ବା ଅବୁଝା ହେବ । କୃଷ୍ଣଚୂଡାର ମହକରେ ମହକି ସାରିବା ପରେ ଆଉ କଣ ଅଛି ଯେ ! ଖାଲି ଯାହା ଅର୍ପଣର ମାର୍ଗରେ ଥାଇ ଏକ ସ୍ୱୀକୃତିପ୍ରାପ୍ତ ବାଟୋଇର ଅନୁମୋଦନ ଦରକାର ।
ତୁ ବି ଜାଣିଛୁ ମୁଁ ତତେ ଭଲପାଏ । ତୁ ବି ମତେ ପସନ୍ଦ କରୁ ବୋଲି ଅନେକ ଥର କହିଛୁ । ସୃଜନଶୀଳତାର ବନ୍ଧନରେ ହୁଏତ ତୁ ବି ବାନ୍ଧି ହୋଇସାରିଛୁ । ଏକଥା ସେଦିନ ମୁଁ ଭାବିଥିଲି, ଯେଉଁଦିନ ମୋ କୋଳରେ ମୁଣ୍ଡ ରଖି ତୁ ଅନେକ ସମୟ ଧରି ଶୋଇଥିଲୁ । ମୁଁ ବି ସେଦିନ ତତେ ବହୁ ନିକଟରୁ ଦେଖିଥିଲି । କେଜାଣେ କାହିଁକି ସେଦିନ ତୁ ଆହୁରି ସୁନ୍ଦର ଦେଖା ଯାଉଥିଲୁ । ତୋ ଲମ୍ବା କେଶରେ ସେଦିନ ଅନେକ ସମୟ ଧରି ଖେଳିଥିଲି । ତୋ ମୁଣ୍ଡକୁ ଆଉଁଷି ଦେଇଥିଲି । ତୁ ବି ମତେ ଖୁବ୍ ନିକଟରୁ ସେଦିନ ଦେଖିଥିଲୁ । ଆଉ ଭଲପାଉ ବୋଲି କହିଥିଲୁ …ମାତ୍ର ଏକଥା ବି କହିଥିଲୁ ଯେ ଏସବୁ ପାଇଁ ସମୟ ବି ଦରକାର.,
ସମୟ । ସିଏ ତ ଅମାନିଆ । କାହା ବୋଲ ମାନେ ନି । ନା ତାର କିଏ ବନ୍ଧୁ ଅଛନ୍ତି, ନା କିଏ ଶତ୍ରୁ । ସିଏ ତ ଅନବରତ ଗଡି ଚାଲିଥାଏ । ବାସ୍, ତା ସାଙ୍ଗରେ ମୁଁ, ସିଏ ଆଉ ସମସ୍ତେ । ପ୍ରେମର ବାସ୍ନାରେ ହୁଏ ତ ଆମେ ଦୁହେଁ ବିମୋହିତ ହୋଇ ସାରିଥିଲେ । କୃଷ୍ଣଚୂଡାର ମହକ ହୁଏତ ଆମ ଦୁହିଁଙ୍କୁ ସ୍ପର୍ଶ କରି ସାରିଥଲ।। । ହୁଏତ ଦୁହିଁଙ୍କ ମନରେ ଲାଗି ସାରିଥିଲା ଇସ୍କର ଛିଟା …
‘ୱକତ୍ ନେ କିୟା ହେ ଆଜ୍ ଐସି ସିତମ୍
ତୁମ୍ ରହେ ନା ତୁମ୍, ହମ୍ ରହେ ନା ହମ୍…’
୍ଅନ୍ଧାରର ଜୁଲୁମ୍ ସାଙ୍ଗେ କୋହରେ ବତୁରା କୁରକୁରେ ଆଉ ଅଭିମାନର ହ୍ୱିସ୍କି । ଦୁହିଁଙ୍କ ଭିତରେ ଥିବା ଦୂରତାକୁ ସୀମିତ ଲଣ୍ଠନ ଆଗରେ ସ୍ପଷ୍ଟ ଭାବେ ବାରି ହୋଇ ପଡୁଥାଏ ।ଜହ୍ନ ବି ଉଦାସୀନ ଥାଏ । ସହରର ଚିକ୍ ଚିକ୍ ଆଲୁଅ ଗୁଡାକ ବି ପାୱାରକଟ୍ ଭଳି ଲାଗୁଥାଏ । ତୁ ହିଁ ତ ସମୟ ଆଉ ପରିସ୍ଥିତି ହାତରେ ସବୁ ନିଷ୍ପତିିକୁ ଟେକି ଦେଇଥିଲୁ । ଛୋଟିଆ ଭୁଲ୍ ବୁଝାମଣା ସେଦିନ ଅଘୋଷିତ ଭାବେ ଉଭୟଙ୍କ ପାଇଁ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି କରିଥିଲା । ହୁଏ ତ ଆଜି ନହେଲେ ବି କାଲି ତୁ ଠିକ୍ ବୁଝି ପାରିବୁ । ।
‘ୱକତ୍ କି କୈଦ୍ ମେ ଜିନ୍ଦେଗୀ ହେ ମଗର୍
ଚନ୍ଦ୍ ଘଡିୟାଁ ୟହି ହେ ଜୋ ଆଜାଦ୍ ହେ’
ହୁଏ ତ ମୋ ଭଳି ଆଜି ବି ତୁ କେଉଁ ୧୩ ମହଲା ଛାତର ବାଲକୋନିରେ ବସି ଆମ ଦୁହିଙ୍କ ସେଇ ପ୍ରିୟ ‘ଆଜ୍ ଜାନେ କି ଜିଦ୍ ନା କରୋ’ଗୀତ ଶୁଣୁଥିବୁ ଆଉ ବିତି ଯାଇଥିବା ପ୍ରତିଟି ମୁହୂର୍ତକୁ ମନେ ପକାଉଥିବୁ……
ବୀରମହାରାଜପୁର, ସୁବର୍ଣ୍ପୁର, ଫୋ-୯୬୫୮୨୬୩୨୮୫ ( ଚାରୁ ଚନ୍ଦନ ଦାସ)