ସଂକଟରେ ଶ୍ରୀଲଙ୍କା ଓହରି ଗଲେ ୪୧ ସାଂସଦ

ଡେସ୍କ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି କାରଣ ରାଜପକ୍ଷେଙ୍କ ଶାସକ ମେଣ୍ଟରୁ ୪୧ ଜଣ ସାଂସଦ ଓହରିଯାଇଛନ୍ତ। ତଥାପି ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି ଏବଂ ଯଦି କେହି ୧୧୩ଟି ଆସନ ସହ ସଂସଦରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦିଏ ତାହେଲେ ତାଙ୍କୁ ସେ କ୍ଷମତା ହସ୍ତାନ୍ତର କରିବେ ବୋଲି କହିଛନ୍ତି। ସେ ଦେଶରେ ଔଷଧପତ୍ରର ଘୋର ଅଭାବ ଦେଖାଦେଇଥିବାରୁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଇତିମଧ୍ୟରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି କହିଛି, ଶ୍ରୀଲଙ୍କା ରାଜନୈତିକ ଓ ଅର୍ଥନୈତିକ ଘଟଣାବଳୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଛ। ଶ୍ରୀଲଙ୍କାରେ ଅର୍ଥନୈତିକ ସଂକଟ ଅତି ଶୋଚନୀୟ ହୋଇଥିବାରୁ ଅର୍ଥମନ୍ତ୍ରୀ ଅଲୀ ସବ୍‍ରି ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏକ ବିବୃତ୍ତିରେ ସେ କହିଛନ୍ତି, ତାଙ୍କ ଇସ୍ତଫା ଯୋଗୁଁ ଦେଶ ପାଇଁ ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ସେ ଦୁଃଖିତ କିନ୍ତୁ ଦେଶର ସର୍ବୋତ୍ତମ ସ୍ୱାର୍ଥ ରକ୍ଷା ପାଇଁ ସେ ସଦାସର୍ବଦା କାମ କରି ଆସିଛନ୍ତି କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେ ତାଙ୍କର ଦାୟିତ୍ୱ ସୂଚାରୁରୂପେ ତୁଲାଇ ପାରିବେ ନାହିଁ ବୋଲି ବିବେଚନା କରି ଇସ୍ତଫା ଦେଇଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି, ଦେଶର ସମସ୍ୟା ସମାଧାନ କରିବା ପାଇଁ ସାନି ଏବଂ ସକ୍ରିୟ ତଥା ଅଣ ପାରମ୍ପରିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।ଅନ୍ୟପକ୍ଷରେ ଶ୍ରୀଲଙ୍କା ପୁଲିସ୍‍ ବିକ୍ଷୋଭକାରୀମାନଙ୍କୁ ସତର୍କ କରାଇ କହିଛି, ନିଜ ହାତକୁ ସେମାନେ ଆଇନ୍‍ ନିଅନ୍ତୁ ନାହିଁ, ଯଦି ସେମାନେ ଆଇନ୍‍ ଅମାନ୍ୟ କରିବେ ତେବେ ହିଂସାକାଣ୍ଡରେ ଲିପ୍ତ ସମସ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନର୍‍ୱେ ଓ ଇରାକରେ ଥିବା ଦୂତାବାସ ଏବଂ ଅଷ୍ଟ୍ରେଲିଆରେ ଥିବା ବାଣିଜ୍ୟ ଦୂତାବାସକୁ ଏପ୍ରିଲ୍‍ ୩୦ ତାରିଖରୁ ଅସ୍ଥାୟୀ ଭାବେ ବନ୍ଦ ରଖାଯିବ। କ୍ୟାବିନେଟ୍‍ ମନ୍ତ୍ରୀସ୍ତରୀୟ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବାର ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ବିଦେଶରେ ଶ୍ରୀଲଙ୍କାର କୂଟନୈତିକ ପ୍ରତିନିଧିତ୍ୱ ବ୍ୟବସ୍ଥାକୁ ପୁନର୍ଗଠନର ଅଂଶବିଶେଷ ଭାବେ ଏହି ପଦକ୍ଷେପ ନିଆଯାଇଛି।

Spread the love