ବହୁତ ଦୟାଳୁ ପ୍ରଧାନମନ୍ତ୍ରୀ ମୋଦୀ…ଆମର ବିମାନ ବନ୍ଦର ଆରମ୍ଭ କରାଇଲେ, ପ୍ରଶଂସା କଲେ ରଣତୁଙ୍ଗା

ନୂଆଦିଲ୍ଲୀ ୦୬।୦୪:  ଆର୍ଥିକ ସଙ୍କଟ କାରଣରୁ ଶ୍ରୀଲଙ୍କା ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ଗୋଟିଏ ପଟେ ରାଜପକ୍ଷେ ସରକାରଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି। ଏବେ ଶ୍ରୀଲଙ୍କାର ଜନତା ସଡକକୁ ଓହ୍ଲାଇବା ପାଇଁ ବିବଶ  ହୋଇଛନ୍ତି। ଏହା ମଧ୍ୟରେ ଶ୍ରୀଲଙ୍କାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ ଶ୍ରୀଲଙ୍କାର ସାହାଯ୍ୟ ପାଇଁ କେବଳ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ନାହାନ୍ତି ବରଂ ଭାରତକୁ ଶ୍ରୀଲଙ୍କାର ବଡ ଭାଇ ଦର୍ଶାଇଛନ୍ତି।

ଅର୍ଜୁନ ରଣତୁଙ୍ଗା ଅନେକ ପ୍ରସଙ୍ଗରେ ନିଜର ରାୟ ରଖିବା ସହ ଶ୍ରୀଲଙ୍କାର ସାଂପ୍ରତିକ ଅବସ୍ଥାକୁ ନେଇ ରାଜପକ୍ଷେ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି, ଜାଫନା ବିମାନ ବନ୍ଦରକୁ ଆରମ୍ଭ କରିବାରେ  ଭାରତ ସାହାଯ୍ୟ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଉଦାରତା ଦେଖାଇଛନ୍ତି। ଭାରତ ଆମ ପାଇଁ ବଡ ଭାଇ। ଭାରତ ଆମର ଆବଶ୍ୟକତାକୁ ବୁଝି ପାରୁଛି। ଏହି କାରଣରୁ ଭାରତ ଆମକୁ ପେଟ୍ରୋଲ-ଔଷଧ ପରି ଅନେକ ସାମଗ୍ରୀ ଯୋଗାଣରେ ସାହାଯ୍ୟ କରୁଛି।

ରଣତୁଙ୍ଗା ରାଜପକ୍ଷେ ସରକାରଙ୍କ ସମାଲୋଚନା କରି କହିଛନ୍ତି, ବର୍ତ୍ତମାନ ସରକାରରେ ଏମିତି କିଛି ଲୋକ ଅଛନ୍ତି, ଯିଏ ସମାଜରେ ବିଭାଜନ କରିବାକୁ ଚାହୁଁଛନ୍ତି। ଶ୍ରୀଲଙ୍କାର ସାଂପ୍ରତିକ ସ୍ଥିତି ଅତି ଦୟନୀୟ ରହିଛି। ଶ୍ରୀଲଙ୍କା ସରକାର ଅହଙ୍କାରୀଙ୍କ ପରି ବ୍ୟବହାର କରୁଛନ୍ତି। ସରକାରରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ହିଂସା ଚାହୁଁଛନ୍ତି। ଏମିତି ହେବା ଉଚିତ୍ ନୁହେଁ। ଏହାକୁ ନେଇ ମୋତେ ବହୁତ ଚିନ୍ତା ଆସୁଛି  ବୋଲି ରଣତୁଙ୍ଗା କହିଛନ୍ତି।

ସେ କହିଛନ୍ତି, ବିରୋଧ ପ୍ରଦର୍ଶନ କରୁଥିବା ସାଧାରଣ ଜନତା କେବଳ ମୌଳିକ ଜିନିଷ ଦାବି କରୁଛନ୍ତି। ଏଥିରେ ଦୁଗ୍ଧ, ଗ୍ୟାସ୍, ଚାଉଳ, ପେଟ୍ରୋଲ ପରି ସାମଗ୍ରୀ ସାମିଲ୍। କିନ୍ତୁ ହିଂସାକୁ କଦାପି ଗ୍ରହଣ କରାଯାଇ ପାରିବ ନାହିଁ। ଦେଶ ଗତ ଦୁଇ ବର୍ଷ ଧରି ଗୋଟିଏ ସଙ୍କଟ ଦେଇ ଗତି କରୁଛି।

Spread the love