ଜାମ୍ମୁ-କାଶ୍ମୀରରେ କମିଛି ହିଂସା; ଧାରା ୩୭୦ ଉଠିବା ପରେ ୮୭ ନାଗରିକ ଓ ୯୯ ସୁରକ୍ଷାକର୍ମୀ ସହିଦ ହୋଇଥିବା ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଧାରା ୩୭୦ ଉଠିବା ପରେ ପୂର୍ବ ଅପେକ୍ଷା ଜାମ୍ମୁ-କାଶ୍ମୀରରେ ହିଂସା କମିଛି। ୨୦୧୯ ଅଗଷ୍ଟ ୫ ତାରିଖରେ  ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠାଇଥିଲେ କେନ୍ଦ୍ର ସରକାର। ସେବେଠାରୁ ଏପର୍ଯ୍ୟନ୍ତ ମାତ୍ର ୮୭ ସାଧାରଣ ନାଗରିକ, ୯୯ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ହେଲେ ତା ପୂର୍ବରୁ ଗତ ୫ ବର୍ଷରେ(୨୦୧୪ ମେରୁ ଅଗଷ୍ଟ ୨୦୨୯ ପର୍ଯ୍ୟନ୍ତ) ଜାମ୍ମୁ-କାଶ୍ମୀରରେ ୧୭୭ ସାଧାରଣ ନାଗରିକ, ୪୦୬ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ବୋଲି ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ।

ସେହିପରି ୨୦୧୯ ପରଠାରୁ ୧୪ ହିନ୍ଦୁ ଓ ୪ କାଶ୍ମୀର ପଣ୍ଡିତଙ୍କ ହତ୍ୟା କରାଯାଇଛି। ୨୦୨୧କୁ ମିଶାଇଲେ ଗତ ୫ ବର୍ଷରେ ୩୪ ଜଣ ଦଳିତଙ୍କର ବି ହତ୍ୟା ହୋଇଛି। ସେହିପରି ଜାମ୍ମୁ-କାଶ୍ମୀରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ୍ ଅଧିନରେ କାମ ପାଇବା ପାଇଁ ୨୧୦୫ ପ୍ରବାସୀ ଶ୍ରମିକ ଜାମ୍ମୁ-କାଶ୍ମୀର ଆସିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ହିଂସା ବିରୋଧରେ କେନ୍ଦ୍ର ସରକାର ଜିରୋ ଟଲରାନ୍ସ ନୀତି ଆପଣାଉଛନ୍ତି। ଆତଙ୍କବାଦୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏଥିପାଇଁ ଆତଙ୍କବାଦୀ ଆକ୍ରମଣ ପରିମାଣ ୨୦୧୮ରେ ୪୧୭ରୁ ଧୀରେ ଧୀରେ କମି ବର୍ଷ ୨୦୧୯ରେ ୨୫୫, ବର୍ଷ ୨୦୨୦ରେ ୨୪୪, ବର୍ଷ ୨୦୨୧ରେ ୨୨୯ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ରାଜ୍ୟସଭାର ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଜାମ୍ମୁ-କାଶ୍ମୀର୍‌ରେ ସୁରକ୍ଷା ବ୍ୟବସ୍ଥା ନେଇ ମନ୍ତ୍ରୀ କହିଛନ୍ତି ” କୌଣସି ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ କଡ଼ା ସୁରକ୍ଷା ଓ ଗୁଇନ୍ଦା ନଜର ରଖାଯାଇଛି। ଦିନ ରାତି ପ୍ୟାଟ୍ରୋଲିଂ ହେଉଛି। ଏବଂ ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିଛି।”

ଜାମ୍ମୁ-କାଶ୍ମୀରରେ ନିବେଶ ନେଇ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ଜାମ୍ମୁ-କାଶ୍ମୀରର ସରକାର ଧାରା ୩୭୦ ଉଠିବା ପରଠାରୁ ୫୧ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଗ୍ରହଣ କରିଥିବା ସୂଚନା ଦେଇଛନ୍ତି। ତା ଛଡ଼ା ଜାମ୍ମୁ-କାଶ୍ମୀରର ଶିଳ୍ପ ବିକାଶ ପାଇଁ ୨୦୨୧ ଫେବ୍ରୁଆରୀ ୧୯ ତାରିଖ ଠାରୁ ସେଣ୍ଟ୍ରାଲ୍‌ ସେକ୍ଟର ସ୍କିମ୍ ଘୋଷଣା କରାଯାଇଛି। ଏଥିରେ ୨୦୩୭ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ପାଇଁ ୨୮ ହଜାର ୪୦୦ କୋଟି ବ୍ୟୟ ବରାଦ କରାଯାଇଛି।

Spread the love