ସଂକଟରେ ଶ୍ରୀଲଙ୍କା ଭାରତର ବଢ଼ୁଛି ବ୍ୟବସାୟ

ନୂଆଦିଲ୍ଲୀ:ଯେମିତି ଜଣେ ଜିତିଲେ ଜଣେ ହାରେ ଠିକ ସେମିତି ଜଣେ କ୍ଷତି ସହିଲେ, ଆଉ କିଛି ଜଣ ଲାଭ ଉଠାନ୍ତି । ଦେଶ ଦେଶ କ୍ଷେତ୍ରରେ ମଧ୍ୟ ଏହା ଘଟୁଛି । ଶ୍ରୀଲଙ୍କା ଏବେ ସ୍ୱାଧୀନତା ପରଠାରୁ ସବୁଠୁ ବଡ଼ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି । ଖାଲି ଆର୍ଥିକ ନୁହେଁ ରାଜନୈତିକ ଓ ସାମାଜିକ ସଂକଟ ଘନେଇବାରେ ଲାଗିଛି । ଶ୍ରୀଲଙ୍କାର ଲୋକ ଚିନି, ଚାଉଳ, କ୍ଷୀରରୁ ନେଇ ଡିଜେଲ, ପେଟ୍ରୋଲ ଓ ଗ୍ୟାସ୍ ଭଳି ଜରୁରୀ ସାମଗ୍ରୀର ଅଭାବକୁ ସାମ୍ନା କରୁଛନ୍ତି ।

ଅନ୍ୟପଟେ ଶ୍ରୀଲଙ୍କାର ଏ ସଂକଟ ଭାରତକୁ କିଛିଟା କ୍ଷେତ୍ରରେ ଫାଇଦା ଦେଇଛି । ବିଶେଷକରି ତାମିଲନାଡ଼ୁର ତିରୁପୁର ସ୍ଥିତ ଟେକ୍ସଟାଇଲ୍ ହବ ଏବଂ ଦକ୍ଷିଣ ଭାରତ ଓ ଆସାମର ଚା’ ବଗିଚା ଶ୍ରୀଲଙ୍କା ସଂକଟ ଯୋଗୁ ବେଶ୍ ଲାଭାନ୍ୱିତ ହୋଇଛନ୍ତି ।ରିପୋର୍ଟ ଅନୁସାରେ, ଶ୍ରୀଲଙ୍କାରେ ଘନେଇଥିବା ସଂକଟ ପାଇଁ କପଡ଼ା ଶିଳ୍ପ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଏପରିକି ଶ୍ରୀଲଙ୍କା ସଂକଟ ପାଇଁ ବଡ଼ ବଡ଼ ବ୍ରାଣ୍ଡ ଅର୍ଡର ବାତିଲ୍ କରିବା ସହ ତିରୁପୁର ଟେକ୍ସଟାଇଲକୁ ନୂଆ ଅର୍ଡର ଦେଇଛନ୍ତି । ଶ୍ରୀଲଙ୍କା ସାଧାରଣତଃ ବାର୍ଷିକ ୫.୪୨ ବିଲିଅନ୍ ଡଲାର କପଡ଼ା ରପ୍ତାନୀ କରିଥାଏ । ସେହିଭଳି ସଂକଟ ଯୋଗୁଁ ଶ୍ରୀଲଙ୍କା ଚା ରପ୍ତାନୀ ହ୍ରାସ ପାଇଥିବାରୁ ଭାରତୀୟ ଚାର ଚାହିଦା ବଢ଼ିଛି ।ଶ୍ରୀଲଙ୍କାରେ ଏବେ ଦୈନିକ ୧୦ର ୧୨ ଘଣ୍ଟା ବିଦ୍ୟୁତ୍ କାଟ ହେଉଛି । ଜେନେରେଟର ଚଲାଇବା ଲାଗି ତେଲ ବି ମିଳୁନି । ଫଳରେ ଟି ପ୍ରୋସେସିଂ ୟୁନିଟରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଏପରିକି ବ୍ଲାକ୍ ଟି ପତ୍ର ନଷ୍ଟ ହେବାରେ ଲାଗିଛି । ଶ୍ରୀଲଙ୍କା ଅର୍ଥୋଡକ୍ସ ଟି ଉତ୍ପାଦନ କରି ଇରାକ, ଇରାନ, ୟୁଏଇ, ଲିବିଆ, ଋଷ ଓ ତୁର୍କୀ ଭଳି ଦେଶକୁ ରପ୍ତାନୀ କରିଥାଏ । ଆଉ ଭାରତ ମୁଖ୍ୟତଃ ଇରାନ ଓ ଋଷ ବଜାରକୁ ରପ୍ତାନୀ କରେ ।

Spread the love