ଆମେ କେଉଁ ପ୍ରକାର ଲୁଣ ଖାଇବା ଉଚିତ
ନୂଆଦିଲ୍ଲୀ: ଆମ ଶରୀର ଆବଶ୍ୟକତା କରୁଥିବା ସୋଡିୟମ୍ର ପ୍ରମୁଖ ସ୍ରୋତ ହେଉଛି ଲୁଣ ବା ଲବଣ ଯାହାକୁ ବୈଜ୍ଞାନିକଙ୍କ ଭାଷାରେ ଏହାକୁ ସୋଡିୟମ୍ କ୍ଲୋରାଇଡ୍ ବୋଲି କୁହାଯାଏ। ଶରୀରରେ ଥିବା କୋଷଗୁଡ଼ିକ ସଠିକ୍ ଭାବେ କାର୍ଯ୍ୟ କରିବା, ଶରୀରରେ ଥିବା ତରଳ ପଦାର୍ଥ ସନ୍ତୁଳିତ ରହିବା ତଥା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଦାୟିତ୍ବ ସୋଡିୟମ୍ର। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୋକଙ୍କୁ ଦୈନିକ ୫ ଗ୍ରାମରୁ କମ୍ ଲୁଣ ଖାଇବାକୁ ପରାମର୍ଶ ଦେଇଥାଏ । କିନ୍ତୁ ଭାରତୀୟମାନେ ୧୧ ଗ୍ରାମ୍ ଲୁଣ ଖାଇଥାନ୍ତି ବୋଲି ଜଣାପଡିଛି । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଇଥିବା ପରାମର୍ଶଠାରୁ ଯଥେଷ୍ଟ ଅଧିକ । ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପ ବଢ଼ିପାରେ। କେବଳ ସେତିକି ନୁହେଁ, ଅଧିକ ଲୁଣ ଖାଇବା ଦ୍ୱାରା ହୃଦ୍ରୋଗ,ଗ୍ୟାସଟ୍ରିକ୍ ଆଦି ସମସ୍ୟା ଦେଖାଯିବା ସହ ମସ୍ତିଷ୍କରେ ରକ୍ତପ୍ରବାହ ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇଥାଏ। ଏଥିଯୋଗୁଁ ମସ୍ତିଷ୍କର ଶିରା ଫାଟିଯିବା ବା ରକ୍ତ ଜମାଟ ବାନ୍ଧିବା ଭଳି ଗୁରୁତର ସମସ୍ୟା ଉପୁଜିଥାଏ । ତେବେ ବଜାରରେ ଲୁଣ କିଣିବା ସମୟରେ କେତୋଟି ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକ ଯଥା-
ବଜାରରେ ବିଭିନ୍ନ ପ୍ରକାରର ଲୁଣ ମିଳିଥାଏ । ଯେଉଁଥିରେ କମ୍ ମାତ୍ରାରେ ସୋଡିୟମ୍ ରହିଥାଏ, ସେପରି ଲୁଣ ଶରୀର ପାଇଁ ଭଲ ହୋଇଥାଏ।
ବଜାରରେ ଅଧିକ ରିଫାଇନ୍ଡ ଲୁଣ ମିଳିଥାଏ। ଏଥିରେ ୯୭ରୁ ୯୯ ପ୍ରତିଶତ ସୋଡିୟମ କ୍ଲୋରାଇଡ୍ ରହିଥାଏ । ଏଥିରେ କୌଣସି ଅଶୁଦ୍ଧତା ନଥାଏ । କିନ୍ତୁ ପୋଷକ ତତ୍ତ୍ୱ ଦୃଷ୍ଟିରୁ ଏହାକୁ ଭଲ ବୋଲି କହିବା ଅନୁଚିତ।
ସି-ସଲ୍ଟ ବା ସମୁଦ୍ର ଲୁଣକୁ ଅଧିକ ରିଫାଇନ୍ କରାଯାଇନଥାଏ । ଏଥିରେ ଅଧିକ ମାତ୍ରାରେ ଖଣିଜ ଲବଣ ରହିଥାଏ । ସମୁଦ୍ର ଲୁଣରେ ବିଶୋଧିତ ଲୁଣଠାରୁ ୧୦ ପ୍ରତିଶତ ସୋଡିୟମ୍ ମାତ୍ରା କମ୍ ଥାଏ।
ହିମାଳୟରୁ ମିଳୁଥିବା ଗୋଲାପି ରଙ୍ଗର ଲୁଣ ମଧ୍ୟ ଶରୀର ପାଇଁ ଉପଯୋଗୀ। ଏଥିରେ ସୋଡିୟମ୍ର ମାତ୍ରା କମ୍ ଥିବାବେଳେ ମାଗ୍ନେସିୟମ, ପୋଟାସିୟମ ଭଳି ଅନେକ ଖଣିଜ ଲବଣ ଭରପୂର ମାତ୍ରାରେ ରହିଛି।
ସେଲଟିକ୍ ଲୁଣରେ ମଧ୍ୟ ସୋଡିୟମ୍ର ମାତ୍ରା କମ୍ ରହିଛି। ଏହା ପ୍ରାକୃତିକ ଭାବେ ଶୁଦ୍ଧ ଏବଂ ଏଥିରେ କୌଣସି ପ୍ରକାର ଅପମିଶ୍ରଣ କରାଯାଏ ନାହିଁ।
ଚିପ୍ସ, ଆଚାର ଭଳି ପ୍ୟାକେଟ୍ ଖାଦ୍ୟରେ ମାତ୍ରାଧିକ ଲୁଣଥାଏ, ତେଣୁ ଏଭଳି ଖାଦ୍ୟଠାରୁ ଦୂରେଇ ରହିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେବ।