ଶ୍ୱାସକ୍ରିୟ ଦେଇ ଫୁସ୍‌ଫୁସ୍‌ରେ ଅଟକୁଛି ମାଇକ୍ରୋପ୍ଲାଷ୍ଟିକ୍

ନୂଆଦିଲ୍ଲୀ: ମଣିଷ ଦେହରେ ପ୍ଲାଷ୍ଟିକ କଣିକା ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ୍ୟ।ଶ୍ୱାସକ୍ରିୟା ଦେଇ ଫୁସ୍‌ଫୁସ୍‌ରେ ଭରି ରହିଛି କ୍ଷତିକାରକ ମାଇକ୍ରୋପ୍ଲାଷ୍ଟିକ୍ କଣିକା, ଯାହାକୁ ଖୋଜି ପାଇଛନ୍ତି ଇଂଲଣ୍ଡର ବୈଜ୍ଞାନିକ।

ମାକ୍ରୋପ୍ଲାଷ୍ଟିକ କଣିକା ହେଉଛି ପ୍ଲାଷ୍ଟିକ୍‌ର ଅତି କ୍ଷୁଦ୍ର ଖଣ୍ଡ। ଯାହା ବଡ଼ ବଡ଼ ପ୍ଲାଷ୍ଟିକ୍‌ରୁ ଭାଙ୍ଗି ଅତି କ୍ଷୁଦ୍ର ରୂପ ନେଇଥାଏ। ୫ ମିଲିମିଟର ଠାରୁ ବି ଏହା ଛୋଟ। ସମୁଦ୍ରରେ, ପାହାଡ଼ ପର୍ବତ ଓ ବାୟୁରେ ଏହି କଣିକାଗୁଡ଼ିକ ଭାସିବୁଲୁଥାଏ। ଏହା ଏତେ କ୍ଷୁଦ୍ର ଯେ ୱାଟର ଫିଲଟ୍‌ରେସନ୍‌ରେ ମଧ୍ୟ ଏହା ଖସିଯାଇଥାଏ। ଆଉ ଆଜିର ପ୍ରଦୂଷିତ ବାତାବରଣରେ ମଣିଷର ଶ୍ୱାସକ୍ରିୟା ଦେଇ ଏହା ଭିତରକୁ ଯାଇ ଫୁସ୍‌ଫୁସ୍‌ରେ ଅଟକି ଯାଏ, ଫଳରେ ଶୀରରରେ ଶ୍ୱାସକ୍ରିୟା ଜନିତ ନାନା ରୋଗ ସୃଷ୍ଟି କରିଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ହୁଲ୍ ୟୋର୍କ ମେଡିକାଲ ସ୍କୁଲ୍ ଏବଂ ୟୁନିଭର୍ସିଟି ଅଫ୍ ହୁଲ୍ ବୈଜ୍ଞାନିକମାନେ ୧୩ ଜଣଙ୍କର ଫୁସ୍‌ଫୁସ୍ ଟିସୁ ସାମ୍ପଲ ଟେଷ୍ଟ କରିଥିଲେ, ଏଥିରେ ୧୧ ଜଣଙ୍କର ଠାରେ ୩୯ଟି ମାଇକ୍ରୋପ୍ଲାଷ୍ଟିକ କଣିକା ମିଳିଥିଲା। ପୂର୍ବରୁ କୌଣସି ଲାବୋରୋଟୋରୀ ଟେଷ୍ଟରେ ଏତେ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ କଣିକା ବାହାରି ନଥିଲା। ଇଂଲଣ୍ଡ ବୈଜ୍ଞାନିକଙ୍କର ଏହି ଗବେଷଣା ରିପୋର୍ଟ ବର୍ତ୍ତମାନ ବିଜ୍ଞାନ ପତ୍ରିକା ‘ସାଇନ୍ସ ଅଫ୍ ଦି ଟୋଟାଲ ଏନ୍‌ଭାର୍ଣ୍ଣମେଣ୍ଟ’ ପ୍ରକାଶିତ ହେବାକୁ ମନୋନୀତ ହୋଇଛି।

ଏହି ଗବେଷଣାର ମୁଖ୍ୟ ଦାୟିତ୍ୱରେ ଥିବା ବୈଜ୍ଞାନିକ ତଥା ହୁଲ୍ ୟୋର୍କ ମେଡିକାଲ ସ୍କୁଲ୍‌ର ରେସ୍ପୋରେଟୋରୀ ମେଡିସିନ ବିଭାଗର ଅଧ୍ୟାପକ ଡା. ଲୌରା ସାଡୋଫ୍‌ସ୍କି କହିଛନ୍ତି ‘ ପୂର୍ବରୁ ଶବ ବ୍ୟାବଚ୍ଛେଦ ବେଳେ ମଣିଷ ଶରୀରରୁ ମାଇକ୍ରୋପ୍ଲାଷ୍ଟିକ୍ କଣିକା ଦେଖାଯାଉଥିଲା। ହେଲେ ପ୍ରଥମ ଥର ପାଇଁ ଏହି ଗବେଷଣାରେ ଜୀବନ୍ତ ମଣିଷର ଫୁସ୍‌ଫୁସ୍‌ରେ ମାଇକ୍ରୋପ୍ଲାଷ୍ଟିକ ମିଳିଛି।’ ତେବେ ଏହା ଫୁସ୍‌ଫୁସ୍‌ର ତଳ ଅଂଶରେ ଅଟକି ରହିଥିବା ଦେଖିବାକୁ ମିଳିଛି ବୋଲି ଡା. ଲୌରା ସାଡୋଫ୍‌ସ୍କି କହିଛନ୍ତି।

ଫୁସ୍‌ଫୁସ୍‌ର ଥିବା ବାୟୁ ଦ୍ୱାର ଖୁବ୍‌ କ୍ଷୁଦ୍ର ହୋଇଥିବାରୁ ସେଥିରେ ପ୍ଲାଷ୍ଟିକ୍ କଣିକା ଜମି ରହିବା କେହି ବିଶ୍ୱାସ କରିପାରୁ ନଥିଲେ। ହେଲେ ଗବେଷଣାରେ ତାହା ସମ୍ପୂର୍ଣ୍ଣ ଦେଖାଯାଉଛି ବୋଲି ସାଡୋଫ୍‌ସ୍କି କହିଛନ୍ତି। ସର୍ଜିକାଲ ପଦ୍ଧତିରେ ଜୀବନ୍ତ ଫୁସଫୁସ୍ ଟିସୁକୁ ନେଇ ପରୀକ୍ଷଣ କରାଯାଇଥିଲା। ଯେଉଁ ରୋଗୀମାନେ ନିୟମିତ ଡାକ୍ତରଖାନା ରୁଟିନ ଚେକ୍ ପାଇଁ ଆସୁଥିଲେ ସେମାନଙ୍କ ନେଇ ଏହି ପରୀକ୍ଷଣ କରାଯାଇଥିଲା ବୋଲି ଗବେଷକ ବୈଜ୍ଞାନିକ କହିଛନ୍ତି।

ଏଥିରୁ ଗବେଷକମାନେ ୧୨ ପ୍ରକାରର ମାଇକ୍ରୋପ୍ଲାଷ୍ଟିକ କଣିକା ଖୋଜିପାଇଛନ୍ତି। ଏହି ସବୁ କଣିକାଗୁଡ଼ିକ ପ୍ୟାକେଜିଂ, ବୋଟଲ, ପ୍ଲାଷ୍ଟିକ ରସି, କପଡ଼ା, ଏବଂ ଅନ୍ୟାନ୍ୟ ନିର୍ମାଣ ଆଦିରୁ ବାହାରିଥାଏ। ତେବେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ ଅଧିକ ମାଇକ୍ରୋପ୍ଲାଷ୍ଟିକ କଣିକା ଦେଖିବାକୁ ମିଳିଛି ବୋଲି ଗବେଷକ ତାଙ୍କ ରିପୋର୍ଟରେ କହିଛନ୍ତି।

ଗବେଷଣାକୁ ନେଇ ଡ. ଲୌରା କହିଛନ୍ତି ‘ଫୁସ୍‌ଫୁସ୍‌ରେ ବାୟୁ ନିର୍ଗମନ ନଳୀ ଅତି କ୍ଷୁଦ୍ର ଥିବାରୁ ଏହାର ତଳ ଅଂଶରେ ଅଧିକ ପରିମାଣରେ ପ୍ଲାଷ୍ଟିକ କଣିକା ମିଳିବ ବୋଲି ଆମେ ଭାବି ନଥିଲୁ। ଆମେ ଭାବିଥିଲୁ ଯେ କଣିକାଗୁଡ଼ିକ ଫୁସ୍‌ଫୁସ୍ ଭିତରେ ପଶିବା ପୂର୍ବରୁ ବାହାରେ ହିଁ ଛାଣି ହୋଇ ରହିଯାଇଥିବ।’ ହେଲେ ତଳ ଅଂଶରେ ପ୍ଲାଷ୍ଟିକ୍ କଣିକା ମିଳିବା ଆମକୁ ଆଶ୍ଚର୍ଯ୍ୟ କରିଥିଲା ବୋଲି ଡ. ଲୌର କହିଛନ୍ତି। ତା ସହିତ ଏହି ଗବେଷଣାରେ ଶ୍ୱାସକ୍ରିୟା ଦେଇ ଭିତରକୁ ଗଲାଭଳି ଆକାରର ପ୍ଲାଷ୍ଟିକ କଣିକା ମଧ୍ୟ ମିଳିଥିଲା। ଏହା ପୂର୍ବରୁ ରକ୍ତରେ ମଧ୍ୟ ଅତି କ୍ଷଦ୍ରୁ ପ୍ଲାଷ୍ଟିକ କଣିକା ଖୋଜିପାଇଥିଲେ ବୈଜ୍ଞାନିକ। ଏହାପରେ ସାରା ବିଶ୍ୱରେ ସତର୍କ ବାଣୀ ଶୁଣାଇ ଦିଆଯାଇଥିଲା। ଆଉ ଏବେ ଫୁସ୍‌ଫୁସ୍‌ର ତଳ ଅଂଶରେ ମାଇକ୍ରୋପ୍ଲାଷ୍ଟିକ କଣିବା ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Spread the love