ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଜି ଭାଗ୍ୟ ପରୀକ୍ଷା

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆଜି ଭାଗ୍ୟ ପରୀକ୍ଷା କାରଣ ଅନାସ୍ଥା ପ୍ରସ୍ତାବ ଉପରେ ଆଜି ପାକିସ୍ତାନ ସଂସଦରେ  ଦିନ ୧୧ଟାରୁ ଆଲୋଚନା ଆରମ୍ଭ ହେବ ଓ  ପରେ  ଭୋଟିଂ ହେବ। ଗତକାଲି ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରି ଇମ୍ରାନ୍‌ ଭାରତକୁ ଉଚ୍ଚ ପ୍ରଶଂସା କରିଥିଲେ। ଭାରତର ବିଦେଶ ନୀତି ସ୍ୱତନ୍ତ୍ର, ଭାରତକୁ କେହି ହରାଇ ପାରିବେ ନାହିଁ । ଆଜି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବାକୁ କେହି ସାହସ କରିବେନି ବୋଲି ଇମ୍ରାନ କହିଥିଲେ। ଗଣତନ୍ତ୍ରର ସୁରକ୍ଷା ସେନା ନୁହେଁ, ଜନତା ହିଁ କରିପାରିବେ ବୋଲି ଇମ୍ରାନ ଖାନ୍ କହିଥିଲେ। ଆମେରିକାର କୂଟନୀତିଜ୍ଞ ପାକିସ୍ତାନରେ ଶାସନ ପରିବର୍ତ୍ତନ ପାଇଁ ଧମକ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ। “ଯଦି ଇମ୍ରାନ ଖାନ ହାରିଯାଆନ୍ତି, ତେବେ ପାକିସ୍ତାନକୁ କ୍ଷମା କରାଯିବ। ଆମେ ୨୨ କୋଟି ଲୋକ, ଏହା ଅପମାନଜନକ ଯେ ବିଦେଶରୁ କେହି ୨୨ କୋଟି ଲୋକଙ୍କୁ ନିର୍ଦ୍ଦେଶ ଦେଉଛି ବୋଲି ଇମ୍ରାନ ତାଙ୍କ ଅଭିଭାଷଣରେ କହିଥିଲେ।

 ସଂସଦରେ ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଲାଗି ଇମ୍ରାନଙ୍କୁ ତାଙ୍କର କେତେକ ସହଯୋଗୀ ପରାମର୍ଶ ଦେଇଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରସିଦ ଇସ୍ତଫା ଦେବା ଲାଗି ଇମ୍ରାନଙ୍କୁ ପରାମର୍ଶ ଦେଇଥିବାବେଳେ ସେ ଏହାକୁ ଅଗ୍ରାହ୍ୟ କରିଛନ୍ତି।

ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବିଦେଶ ପ୍ରାୟୋଜିତ ଷଡଯନ୍ତ୍ର ବୋଲି କହିଛନ୍ତି। ଗତକାଲି ରାତିରେ ଇମ୍ରାନ ଦେଶବାସୀଙ୍କୁ ସମ୍ବୋଧନ କରି ଇମ୍ରାନ କହିଛନ୍ତି ଯେ ସେ ସୁପ୍ରିମକୋର୍ଟ ରାୟକୁ ଗ୍ରହଣ କରୁଛନ୍ତି, ମାତ୍ର ଏହି ରାୟ ତାଙ୍କୁ ବ୍ୟଥିତ କରିଛି। ବିରୋଧୀ ଦଳ ନେତା ସେହବାଜ୍ ସରିଫ କହିଛନ୍ତି ଯେ ଇମ୍ରାନଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ପାକିସ୍ତାନକୁ ସମସ୍ୟା ଓ ଅନ୍ଧକାରରୁ ମୁକ୍ତ କରିବ।
ଅନାସ୍ଥା ପ୍ରସ୍ତାବରେ ଇମ୍ରାନ ପରାସ୍ତ ହେବା ନିଶ୍ଚିତ ହୋଇଥିବାବେଳେ ସେହବାଜ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଛି। ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ପ୍ରାୟୋଜିତ ଷଡଯନ୍ତ୍ର ନେଇ ଇମ୍ରାନ ଯେଉଁ ଅଭିଯୋଗ କରିଛନ୍ତି ତା’ର ତଦନ୍ତ ନିମନ୍ତେ କମିସନ ଗଠନ କରାଯାଇଛି। ଏପ୍ରିଲ ୩ରେ ବିରୋଧୀ ଦଳଙ୍କ ଅନାସ୍ଥା ପ୍ରସ୍ତାବକୁ ଉପ-ବାଚସ୍ପତି କାସିମ୍ ଖାଁ ଖାରଜ କରିଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଅନୈତିକ ଦର୍ଶାଇ ଏପ୍ରିଲ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଲାଗି ନିର୍ଦେଶ ଦେଇଛନ୍ତି । ସେହିପରି ରାଷ୍ଟ୍ରପତି ଆରିଫ ଆଲଭି ସଂସଦକୁ ଭଙ୍ଗ କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରି ସଂସଦକୁ ପୁନଃସ୍ଥାପିତ କରିଛନ୍ତି।

Spread the love