ସମସ୍ତ ରାଜ୍ୟବାସୀଙ୍କୁ କେବେ ମିଳିବ ବିଶୁଦ୍ଧ ପାନୀୟ ଜଳ ? : ରମାରଞ୍ଜନ ବଳିଆରସିଂହ

ଭୁବନେଶ୍ୱର, ତା.୦୯/୦୩: ଜଳ ହିଁ ଜୀବନ । ଏହାକୁ ଗୁରୁତ୍ୱ ଦେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜଳ ସଂରକ୍ଷଣ, ଭୁତଳ ଜଳ ସଂରକ୍ଷଣ, ବର୍ଷାଜଳ ସଂରକ୍ଷଣକୁ ପ୍ରାଥମିକତା ଦେଇଛନ୍ତି । ପାନୀୟ ଜଳ ହେଉଛି ମୈାଳିକ ଆବଶ୍ୟକତା ଏବଂ ଆଜି ଦିନରେ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ବୃଦ୍ଧି ପାଇଛି । ଦେଶ ସ୍ୱାଧୀନତା ପ୍ରାପ୍ତର ୭୦ ବର୍ଷ ପରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ପାଇଁ ଦେଶବାସୀ ବହୁ ହଇରାଣର ସାମ୍ନା କରୁଥିଲେ । ଜଳ ଜୀବନ ମିଶନ ଜରିଆରେ ୨୦୨୪ ମସିହା ସୁଦ୍ଧା ଦେଶର ସମସ୍ତ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ମୋଦି ସରକାର ଏକ ମହତ ଯୋଜନାର ଶୁଭାରମ୍ଭ କରିଥିଲେ । ସ୍ୱାଧୀନତା ପରଠାରୁ ୨୦୧୯ ପର୍ଯ୍ୟନ୍ତ ଦେଶର ମାତ୍ର ୩.୨୩ କୋଟି ଘରେ ପାଇପ ଯୋଗେ ଜଳ ପହଂଚି ପାରିଥିଲା । ମାତ୍ର ମୋଦି ସରକାରଙ୍କ ଦୃଢ ସଂକଳ୍ପ କାରଣରୁ ଗତ ୩ ବର୍ଷରେ ୯ କୋଟି ୪୦ ଲକ୍ଷରୁ ଅଧିକ ଘରକୁ ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ସମ୍ଭବ ହୋଇଛି ବୋଲି ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ଶ୍ରୀ ରମାରଞ୍ଜନ ବଳିୟାରସିଂହ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଭାବେ ଉତରଦାୟୀତ୍ୱର ପରିଚୟ ଦେଇ ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ କାର୍ଯ୍ୟର ହିସାବ ସାଧାରଣ ଜନତାଙ୍କ ନିକଟରେ ଉପସ୍ଥାପିତ କରିବା ସହିତ ଏହି ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବାର ପ୍ରୟାସ ଜାରୀ ରଖିଛନ୍ତି । ଗତ ୬ ତାରିଖରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଜେପି କାର୍ଯ୍ୟକର୍ତାମାନେ ‘ସାମାଜିକ ନ୍ୟାୟିକ ପକ୍ଷ’ ପାଳନ ଅବସରରେ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ସାଧାରଣ ଜନତାଙ୍କୁ ଅବଗତ କରାଇ ସଚେତନ ସୃଷ୍ଟି କରୁଛନ୍ତି । ‘ସାମାଜିକ ନ୍ୟାୟିକ ପକ୍ଷ’ର ୪ର୍ଥ ଦିବସ ଅବସରରେ ଆଜି କେନ୍ଦ୍ର ସରକାରଙ୍କ “ହର୍ ଘର୍‌, ନଲ୍ ପେ ଜଲ୍‌” ଯୋଜନା ସଂପର୍କରେ ଲୋକଙ୍କ ଗହଣକୁ ଯାଇ ସଚେତନ ସୃଷ୍ଟି କରାଯାଉଛି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ରାଜ୍ୟରେ ଜଳସଂକଟ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ରାଜ୍ୟର ସବୁ ନଦୀ, ନାଳ ଏକ ପ୍ରକାର ଶୁଷ୍କ ହେବାରୁ ଲୋକମାନେ ପିଇବା ପାଣି ଓ ଚାଷ ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ମହିଳାମାନେ ଚୂଆରୁ ପାଣି ଆଣି ପାନୀୟ ଜଳ ଭାବେ ବ୍ୟବହାର କରିବାର ଦୃଶ୍ୟ ଅତ୍ୟନ୍ତ ଅବର୍ଣ୍ଣନୀୟ । ୨୨ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ ହୋଇଥିବା ନବୀନ ସରକାର ରାଜ୍ୟରେ ସାମାନ୍ୟ କେନାଲଟିଏ ମଧ୍ୟ ନିର୍ମାଣ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ୩୧୪ ବ୍ଲକରୁ ୧୬୦ଟି ବ୍ଲକରେ ପାନୀୟ ଜଳ ପ୍ରକଳ୍ପ କାଗଜ କଲମରେ ସୀମିତ ରହିଛି । ରାଜ୍ୟର ୫୬ ପ୍ରତିଶତ ଗ୍ରାମାଂଚଳରେ ପାନୀୟ ଜଳ ବ୍ୟବସ୍ଥା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ୨୩୭ଟି ପ୍ରକଳ୍ପରୁ ୧୧୩ଟି ପ୍ରକଳ୍ପ ବର୍ତମାନ ସୁଦ୍ଧା ଆରମ୍ଭ ହୋଇପାରିନାହିଁ । ଆଦିବାସୀ ଓ ଶିଳ୍ପ ଜିଲ୍ଲା ଭାବେ ପରିଚିତ ସୁନ୍ଦରଗଡ ଜିଲ୍ଲାରେ ମାତ୍ର ୭ ପ୍ରତିଶତ ଘରକୁ ପାଣି ଯୋଗାଣ ହୋଇଛି । ଜାତୀୟସ୍ତରରେ ୮୩ ପ୍ରତିଶତ ବିଦ୍ୟାଳୟ ଏବଂ ୭୮ ପ୍ରତିଶତ ଅଙ୍ଗନବାଡି କେନ୍ଦ୍ରକୁ ପାନୀୟ ଜଳ ବ୍ୟବସ୍ଥା ଥିବାବେଳେ ଓଡିଶାରେ ୬୭ ପ୍ରତିଶତ ବିଦ୍ୟାଳୟ ଏବଂ ୫୪ ପ୍ରତିଶତ ଅଙ୍ଗନବାଡିରେ ପାନୀୟ ଜଳ ଯୋଗାଣ ହୋଇଛି । ଏପରିକି ଓଡିଶାର ୪୦ ପ୍ରତିଶତ ଗ୍ରାମରେ ‘ଗ୍ରାମ ଜଳ ଓ ପରିମଳ କମିଟି’ ଗଠନ ସମ୍ଭବ ହୋଇନାହିଁ । ଗତ ୨୦୧୯ ମସିହା ଡିସେମ୍ବର ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ କରକମଳରେ ଶୁଭ ଦେଇଥିବା ୧୧୦ଟି ମେଗା ଜଳ ପ୍ରକଳ୍ପ ଶେଷ ହୋଇନାହିଁ । ୨୦୨୧-୨୨ ଆର୍ଥିକ ବର୍ଷରେ ପାନୀୟ ଜଳ ବାବଦରେ ରାଜ୍ୟ ସରକାର ମାତ୍ର ୪୨.୦୭ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୨୦୧୯ ମସିହାରୁ ପାନୀୟ ଜଳ ପ୍ରକଳ୍ପ ବାବଦରେ ୧୨୯୮.୭୧ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ବ୍ୟବହାର କରିବାରେ ରାଜ୍ୟ ସରକାର ବିଫଳ ହୋଇଥିଲେ । ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ପାନୀୟ ଜଳ ବାବଦରେ ଖର୍ଚ୍ଚ ନକରିପାରିବା କାରଣରୁ ୮୩୧ କୋଟି ଟଙ୍କା ଫେରିଯିବା ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ ପ୍ରମାଣିତ କରିଛି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟରେ ବହୁ ସ୍ଥାନରେ ପାଇପ ପଡି ରହିଛି, କିନ୍ତୁ ବିଜୁଳି ସଂଯୋଗ ହୋଇନାହିଁ । ଅନେକ ସ୍ଥାନରେ ପାଇପ ଫାଟି ଯାଇଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । ପାଇପ କିଣାରେ ବ୍ୟାପକ ଦୁର୍ନୀତି ହେଉଛି । ଅନ୍ୟ ପଟେ କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ବଡ ବଡ ହୋର୍ଡିଂ ଓ ବିଜ୍ଞାପନ ଜରିଆରେ କେବଳ ଦଳୀୟ ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଅଥଚ କେନ୍ଦ୍ର ଜଳଜୀବନ ମିଶନ ଲୋଗୋ କିମ୍ବା କେନ୍ଦ୍ରୀୟ ଅନୁଦାନ ସଂପର୍କରେ କୌଣସି ସୂଚନା ନାହିଁ । ଏହି କାରଣରୁ ଲୋକେ ପାନୀୟ ଜଳ ପାଇବାରୁ ବଂଚିତ ହୋଇ ଦୁଃଖ କଷ୍ଟରେ ଜୀବନ କାଟିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ ମିଶନ ମୋଡରେ ଆରମ୍ଭ ହୋଇଥିବା କେନ୍ଦ୍ରୀୟ ଯୋଜନା “ହର୍ ଘର୍‌, ନଲ୍ ପେ ଜଲ୍‌” ଯୋଜନାକୁ ରାଜ୍ୟରେ ସଠିକ ଏବଂ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ କେବେ ସୁଦ୍ଧା ସମସ୍ତ ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବେ ତାହା ସ୍ପଷ୍ଟ ଭାବେ ଘୋଷଣା କରିବାକୁ ଶ୍ରୀ ବଳିୟାରସିଂହ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love