ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ୧୧।୦୪: ପୁରୀରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ୍।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଭର୍ଚୁଆଲରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଉପସ୍ଥିତ ଥିଲେ।  ପ୍ରଥମ ବ୍ୟାଚରେ ଆଡମିଶନ କରିଥିବା ଶହେ ଜଣ MBBS ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିବେ। କଲେଜରେ ୧୯ଟି ବିଭାଗରେ ପାଠ୍ୟକ୍ରମ ପଢାଯିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।

ସୋମବାର ଅପରାହ୍ଣ ୫ଟାରେ ମେଡିକାଲ କଲେଜ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇଥିଲା। ସେଠାରୁ ମେଡିକାଲ କଲେଜକୁ ଯାଇ ଲୋକାର୍ପଣ ଉତ୍ସବରେ ଯୋଗଦେଇଛନ୍ତି ନବୀନ। ଲୋକାର୍ପଣ କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପୁରୀ ଏସପିଙ୍କ ସହ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।

ରବିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ପ୍ରଥମ ବ୍ୟାଚ୍ ପାଇଁ ଶହେ ଜଣ ଛାତ୍ରଛାତ୍ରୀ ଆଡ଼ମିଶନ ନେଇଥିବା ବେଳେ ପାଠପଢା ପାଇଁ ସମସ୍ତ କ୍ଲାସ ରୁମ୍ ସେମାନଙ୍କୁ ଅପେକ୍ଷା କରିଥିବା ବିଦ୍ୟାର୍ଥୀ କହିଥିଲେ। ମେଡିକାଲ କଲେଜରେ ପଢାଇବା ପାଇଁ ୧୫୦ ଜଣ ପ୍ରଫେସର, ବିଶେଷଜ୍ଞ, ସହକାରୀ ପ୍ରଫେସର ମଧ୍ୟ ଯୋଗ ଦେଇ ସାରିଛନ୍ତି।

ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଗତକାଲି ନାମ ଲେଖା ଶେଷ ହୋଇଥିବା ବେଳେ ପ୍ରଥମ ବ୍ୟାଚରେ ୭୦ ଜଣ ଛାତ୍ର ଓ ୩୦ ଜଣ ଛାତ୍ରୀ ରହିଛନ୍ତି। ସେହିପରି ମେଡିକାଲ କଲେଜର କ୍ୟାମ୍ପସ ପାଖରେ ମେଡିକାଲର ନିଜସ୍ଵ ଡାକ୍ତରଖାନା ନିର୍ମାଣ ଚାଲିଥିବା ବେଳେ ଖୁବଶିଘ୍ର ଏହି କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

Spread the love