ବିଶ୍ବର ଧନୀ ତାଲିକାର ୬ଷ୍ଠ ସ୍ଥାନରେ ଗୌତମ ଆଦାନୀ

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍‌ ତଥା ପ୍ରତିଷ୍ଠାତା ଗୌତମ ଆଦାନୀଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ବର ଧନ କୁବେରଙ୍କ ତାଲିକାରେ ଗୌତମ ଆଦାନୀ ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ବଢୁଛନ୍ତି । ଏବେ ସେ ମୁକେଶ ଅମ୍ବାନୀଙ୍କୁ ବହୁ ପଛରେ ପକାଇଦେଇଛନ୍ତି ।

ବିଶ୍ବର ଧନୀ ତାଲିକାର ୬ଷ୍ଠ ସ୍ଥାନକୁ ଉଠିଛନ୍ତି ଗୌତମ ଆଦାନୀ । ଯେତେବେଳେ କି ମୁକେଶ ଅମ୍ବାନୀ ୧୧ତମ ସ୍ଥାନକୁ ଚାଲିଯାଇଛନ୍ତି ।
ଗତ କିଛିଦିନ ହେଲା ଗୌତମ ଆଦାନୀଙ୍କ ସମ୍ପତ୍ତି ପରିମାଣ ବେଶ୍‌ ବୃଦ୍ଧିପାଇଛି । ବ୍ଲୁମ୍‌ବର୍ଗ ବିଲିୟନର୍ସ ଇଣ୍ଡେକ୍ସ ଅନୁଯାୟୀ, ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ୧୧୮ ବିଲିୟନ ଡଲାର ହୋଇଯାଇଛି । ନେଟଓ୍ବର୍ଥ ମାମଲାରେ ବିଶ୍ବର ମହାନ୍‌ ଧନ କୁବେର ତଥା ଉଦ୍ୟୋଗପତିଙ୍କୁ ପଛରେ ପକାଇଦେଇଛନ୍ତି ଆଦାନୀ । ସେ ଏବେ ଗୁଗଲର ଦୁଇ ପ୍ରତିଷ୍ଠାତା ସଦସ୍ୟ ଲ୍ୟାରି ପେଜ୍‌ ଏବଂ ସାର୍ଜେ ବ୍ରିନ୍‌ଙ୍କୁ ପଛରେ ପକାଇଦେଇଛନ୍ତି ।

ବ୍ଲୁମ୍‌ବର୍ଗ ବିଲିୟନର୍ସ ଇଣ୍ଡେକ୍ସର ରିପୋର୍ଟ ଅନୁଯାୟୀ, ଲ୍ୟାରୀ ପେଜ୍‌ ୧୧୬ ବିଲିୟନ ଡଲାର ସହ ବିଶ୍ବ ଧନୀ ତାଲିକାର ସପ୍ତମ ଏବଂ ସର୍ଜେ ବ୍ରିନ୍‌ ୧୧୧ ବିଲିୟନ ଡଲାର ସହ ଅଷ୍ଟମ ସ୍ଥାନରେ ରହିଛନ୍ତି । ଧନୀ ତାଲିକାର ୧୧ତମ ସ୍ଥାନକୁ ଖସିଯାଇଛନ୍ତି ମୁକେଶ ଅମ୍ବାନୀ । ତାଙ୍କର ମୋଟ ସମ୍ପତ୍ତି ପରିମାଣର ୯୭.୪ ବିଲିୟନ ଡଲାର ରହିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଅମ୍ବାନୀଙ୍କ ସମ୍ପତ୍ତି ପରିମାଣରେ ୭.୪୫ ବିଲିୟନ ଡଲାର ବୃଦ୍ଧି ଘଟିସାରିଛି ।ବିଶ୍ବ ଧନୀ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ଟେସଲା ମାଲିକ ଏଲନ୍‌ ମସ୍କ । ତାଙ୍କର ନେଟଓ୍ବର୍ଥ ହେଉଛି ୨୪୯ ବିଲିୟନ ଡଲାର । ଅନ୍ୟତମ ଧନ କୁବେର ତଥା ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ୧୭୬ ବିଲିୟନ ଡଲାର ସହିତ ବିଶ୍ବ ଧନୀ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ବର୍ନାର୍ଡ ଅର୍ନଲ୍ଟ ୧୩୯ ବିଲିୟନ ଡଲାର ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ୧୩୦ ବିଲିୟନ ଡଲାର ସହ ବିଲ୍‌ ଗେଟ୍‌ସ ଚତୁର୍ଥ, ଓ୍ବାରେନ୍‌ ବଫେଟ୍‌ ୧୨୭ ବିଲିୟନ ଡଲାର ସହ ଧନୀ ତାଲିକାର ୫ମ ସ୍ଥାନରେ ରହିଛନ୍ତି ।

Spread the love