ଭାରତରେ ବୁଲେଟ୍ ଟ୍ରେନ୍ ଗଡ଼ିବା ନେଇ ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ

ନୂଆଦିଲ୍ଲୀ :ନ୍ୟାସନାଲ ହାଇସ୍ପିଡ୍ ରେଲଓ୍ବେ କର୍ପୋରେସନ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସତୀଶ ଅଗ୍ନିହୋତ୍ରୀ କହିଛନ୍ତି ଯେ, ବୁଲେଟ୍ ଟ୍ରେନର ପ୍ରଥମ ପରୀକ୍ଷଣ ୨୦୨୬ ସୁଦ୍ଧା ଗୁଜରାଟର ସୁରଟ-ବିଲିମୋରାରେ ଆରମ୍ଭ କରାଯିବ । ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ୍ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ଚଳାଚଳ କରିବ,ସେଥିପାଇଁ ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ମୋଟ୍ ୫୦୨ କିଲୋମିଟର ଲମ୍ବ ବିଶିଷ୍ଟ ହାଇସ୍ପିଡ୍ କରିଡର ନିର୍ମାଣ କରାଯାଉଛି । ଏଥିମଧ୍ୟରୁ ଗୁଜରାଟ ମଧ୍ୟରେ ୩୫୨ କିଲୋମିଟରର ରେଳ ଧାରଣା କରାଯିବ । ଏଥିପାଇଁ ୯୮.୭ ପ୍ରତିଶତ ଜମି ଅଧିଗ୍ରହଣ ସରିଛି ।

ସୁରଟ-ନଓ୍ବସାରୀ ମଧ୍ୟରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନୀରିକ୍ଷଣ କରିବା ପରେ ସତୀଶ ଅଗ୍ନିହୋତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହତ୍ତ୍ବକାଂକ୍ଷୀ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର କାମ ସର୍ବୋଚ୍ଚ ପ୍ରାଥମିକତା ଆଧାରରେ କରାଯାଉଛି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରତିଦିନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ରିପୋର୍ଟ ପଠାଯାଉଛି ।

ସତୀଶ ଅଗ୍ନିହୋତ୍ରୀ ଆହୁରି କହିଛନ୍ତି ଯେ, ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ବର୍ତ୍ତମାନ୨୦ ହଜାର ଲୋକ କାମ କରୁଛନ୍ତି । ଖୁବ୍ ଶୀଘ୍ର ଲକ୍ଷେ ଲୋକ ଏଥିପାଇଁ କାମ କରିବେ । ମେକ୍ ଇନ୍ ଇଣ୍ଡିଆ ଅଧୀନରେ ସମସ୍ତ ପ୍ରକଳ୍ପର ଠିକା ଭାରତୀୟ କମ୍ପାନୀଗୁଡିକୁ ଦିଆଯାଇଛି । ନର୍ମଦା ବ୍ରିଜ୍, ମାହି ବ୍ରିଜ୍, ତାପ୍ତି ବ୍ରିଜ୍ ଏବଂ ସାବରମତୀ ବ୍ରିଜ୍ ଉପରେ ଓ୍ବେଲ ଫାଉଣ୍ଡେସନ ଉପରେ କାମ ଚାଲିଛି । ଏହା ବ୍ୟତୀତ ଭାପି-ସାବରମତୀ ପର୍ଯ୍ୟନ୍ତ ସମସ୍ତ ୮ଟି ବୁଲେଟ୍ ଟ୍ରେନ୍ ଷ୍ଟେସନରେ ନିର୍ମାଣ କାର୍ଯ୍ୟ ବିଭିନ୍ନ ସୋପାନରେ ରହିଛି । ଜାପାନୀ କୌଶଳ, ରୋଲିଂ ଷ୍ଟକ୍ ଏବଂ ସିଗନାଲ୍ ସିଷ୍ଟମ ରହିଥିବା କାରଣରୁ ବୁଲେଟ୍ ଟ୍ରେନ୍ କେବେବି ଦୁର୍ଘଟଣାଗ୍ରସ୍ତ ହେବନାହିଁ । ଏହି କୌଶଳକୁ କ୍ରାସ୍ ଏଭୟଡାନ୍ସ ସିଷ୍ଟମ୍ କୁହାଯାଏ ।

Spread the love