ସାମ୍ପ୍ରତିକ ପରିପ୍ରେକ୍ଷୀରେ ପୂର୍ବ ଭାରତ ଜୈନ କଳା ଓ ସ୍ଥାପତ୍ୟର ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜୈନ ଚେୟାର ଆନୁକୂଲ୍ୟରେ ‘ସାମ୍ପ୍ରତିକ ପରିପ୍ରେକ୍ଷୀରେ ପୂର୍ବ ଭାରତ ଜୈନ କଳା ଓ ସ୍ଥାପତ୍ୟ’ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳରେ  ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆଲୋଚନାଚକ୍ରକୁ ଆସିଥିବା ଭାରତବର୍ଷର ବିଶିଷ୍ଟ ଗବେଷକମାନଙ୍କୁ ଜୈନ କଳା ଓ ସ୍ଥାପତ୍ୟରେ ଅଧିକ ଉଚ୍ଚତର ଗବେଷଣା ଆଗାମୀ ଦିନରେ କରାଯିବା ପାଇଁ ପରାମର୍ଶ ଦେଇଥିଲେ। ଉତ୍କଳ ସଂସ୍କୃତି ବିଶ୍ୱବିଶ୍ୱବିଦ୍ୟାଳୟ ଭାରତବର୍ଷର ଅନନ୍ୟ ବିଶ୍ୱବିଦ୍ୟାଳୟ ହୋଇଥିବାରୁ ଏଭଳି ଆଲୋଚନାଚକ୍ର ଆୟୋଜନ ମାଧ୍ୟମରେ ଓଡ଼ିଶାର ସଂସ୍କୃତିର ସଂରକ୍ଷଣ ଓ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶାବ୍ୟକ୍ତ କରିଥିଲେ।
ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ଏଏସଆଇ ମୁଖ୍ୟ ତଥା ତାମିଲନାଡୁ ସରକାରଙ୍କ ସ୍ଥାପତ୍ୟ ପରାମର୍ଶଦାତା ପ୍ରଫେସର ଜି.ଦୟାଲନ ନିଜ ବକ୍ତବ୍ୟରେ ଓଡ଼ିଶାର ପୃଷ୍ଠପୋଷକତାରେ ବହୁ ପ୍ରାଚୀନ କାଳରୁ ଜୈନ କଳା ଓ ସ୍ଥାପତ୍ୟ ପାଇଁ ବିକାଶଧାରା ଆରମ୍ଭ ହୋଇଥିଲା ବୋଲି ପ୍ରକାଶ କରିଥିଲେ। ଭିଲାଇସ୍ଥିତ ଶଙ୍କରାଚାର୍ଯ୍ୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏଲ.ଏସ. ନିଗମ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରି ବିଭିନ୍ନ ପ୍ରାମାଣିକ ତଥ୍ୟ ମାଧ୍ୟମରେ ଓଡ଼ିଶାରେ ସମୃଦ୍ଧ ଜୈନ କଳା ଓ ସ୍ଥାପତ୍ୟର ମହତ୍ତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଖାରବେଳଙ୍କ ଖଣ୍ଡଗିରି, ଉଦୟଗିରି ତଥା ଅନ୍ୟାନ୍ୟ ଜୈନ କୀର୍ତ୍ତିରାଜି ସମ୍ପର୍କରେ ସୂଚନା ଦେଇଥିଲେ।ଏହି ଅବସରରେ ସଭାପତିତ୍ବ ଅଭିଭାଷଣ ପ୍ରଦାନ କରି କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଓଡ଼ିଶାର କଳା ଓ ସଂସ୍କୃତିର ବିକାଶରେ ଜୈନ ଧର୍ମର ଅବଦାନ ସମ୍ପର୍କରେ ଅଧିକ ଅଧ୍ୟୟନ ଓ ଗବେଷଣାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଥିବା ଜୈନ କୀର୍ତ୍ତିରାଜି ସମ୍ପର୍କରେ ଏବଂ ପ୍ରାମାଣିକ ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ଗବେଷକମାନଙ୍କୁ ଆହ୍ୱାନ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଜଗନ୍ନାଥ କୁଅଁର ସ୍ୱାଗତ ଭାଷଣ ପ୍ରଦାନ କରଥିଲେ। ଜୈନ ଚେୟାରର ସଂଯୋଜିକା ଡ.ସୁଚିତ୍ରା ଦାସ ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗର ଗୁରୁ ଧୀରଜ ମହାପାତ୍ରଙ୍କ ସଂଯୋଜନାରେ ବିଭାଗୀୟ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ।

Spread the love