ଡେସ୍କ: ଦେଶ ଆଜି ଭାରତୀୟ ସମ୍ବିଧାନର ମୁଖ୍ୟ ପୁରୋଧା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏଥିଲାଗି ଦେଶ ତମାମ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ସମ୍ବିଧାନ ନିର୍ମାତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ମାନବାଧିକାର ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅର୍ଥଶାସ୍ତ୍ରୀ ଡକ୍ଟର ଆମ୍ବେଦକର ରାଷ୍ଟ୍ର ନିର୍ମାଣର ମୁଖ୍ୟ ପୁରୋଧା ଭାବେ ସର୍ବଜନ ପରିଚିତ। ସେ ସମସ୍ତଙ୍କ ମଧ୍ୟରେ ସଦ୍ଭାବ ବୃଦ୍ଧି ସହ ଜାତି ବ୍ୟବସ୍ଥା ମଧ୍ୟରେ ଥିବା ବିଭେଦ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସଂସଦ ଭବନରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବ। ଜଣେ ମହାନ ସମାଜ ସଂସ୍କାରକ, ଅର୍ଥନୀତିଜ୍ଞ ଓ ରାଜନେତା ଭାବରେ ଲୋକପ୍ରିୟ ବାବାସାହେବ ଡକ୍ଟର ଆମ୍ବେଦକର ଦେଶ ଓ ଦେଶବାସୀଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସମାଜରେ ସାମାଜିକ ଓ ଜାତିପ୍ରଥା ଆଧାରରେ ବିଭେଦତା ଦୂର କରିବା କ୍ଷେତ୍ରରେ ତାଙ୍କ ଭୂମିକା ଅବିସ୍ମରଣୀୟ। ସ୍ୱାଧୀନ ଭାରତର ସେ ପ୍ରଥମ ଆଇନ ଓ ନ୍ୟାୟ ମନ୍ତ୍ରୀ ଥିଲେ। ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି କହିଛନ୍ତି ଆଇନର ଶାସନ ଉପରେ ବିଶ୍ୱାସ କରୁଥିବା ଡକ୍ଟର ଆମ୍ବେଦକର ଗରିବ ଏବଂ ପଛୁଆବର୍ଗର ଲୋକମାନଙ୍କ ଅଧିକାର ନେଇ କାର୍ଯ୍ୟ କରୁଥିଲେ। ଶ୍ରୀ କୋବିନ୍ଦ କହିଛନ୍ତି ଏଭଳି ଏକ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀରୁ ସମସ୍ତେ ପ୍ରେରଣା ହାସଲ କରିବା ଉଚିତ। ସେ କହିଛନ୍ତି ସାମାଜିକ ଏବଂ ଆର୍ଥିକ ନ୍ୟାୟ ଓ ସମାନତାର ସିଦ୍ଧାନ୍ତ ଉପରେ ନିର୍ଭର କରି ଦେଶର ବିକାଶ କରିପାରିଲେ ତାହା ଡକ୍ଟର ଆମ୍ବେଦକରଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।